ଶତ୍ରୁ ସାଙ୍ଗେ ମିତ୍ର କଲେ, ଏମନ୍ତ ହୁଅଇ !
Advertisement

ଶତ୍ରୁ ସାଙ୍ଗେ ମିତ୍ର କଲେ, ଏମନ୍ତ ହୁଅଇ !

ଦିନେ ବିଜେପିକୁ ୫୦/୫୦ ଫର୍ମୁଲାର ପାଠ ପଢେଇଥିଲା ଶିବସେନା ...ଆଜି ଶିବସେନାକୁ ଠିକ ସମାନ୍ ଫର୍ମୁଲା ପଢାଇଛି ଏନସିପି ...ଏପଟେ ମୌକା ଦେଖି ଛକା ମାରିଛି କଂଗ୍ରେସ....

 

ଫାଇଲ ଫଟୋ

ଶେଷଦେବ ମହାପାତ୍ର ​, ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକରେ ଯେମିତି ଘଡ଼ିକେ ଘୋଡ଼ା ଛୁଟୁଛି, ଠିକ୍ ସେହିପରି ପାଗ ଦେଖି ଅଣ୍ଟା ଭିଡ଼ୁଛନ୍ତି ଉଭୟ କଂଗ୍ରେସ ଓ ଏନସିପି । ଧର୍ମନିରପେକ୍ଷତାର ଦ୍ୱାହି ଦେଉଥିବା କଂଗ୍ରେସ ମଧ୍ୟ ଇତି ମଧ୍ୟରେ ପଦବୀ ଲାଳସା ଭିତରକୁ ଆସି ସାରିଛି । ସେଥିପାଇଁ ଦଳକୁ ଏବେ ଦରକାର ଫୁଲ୍ ଟାଇମ୍ ଉପ ମୁଖ୍ୟମନ୍ତ୍ରୀ ପଦ । ସେହିପରି ମହାରାଷ୍ଟ୍ର ରାଜନୀତିରେ ଏଥର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଏନସିପି ମଧ୍ୟ ଅଢ଼େଇ ବର୍ଷିଆ ମୁଖ୍ୟମନ୍ତ୍ରୀ ପଦ ପଛରେ ପଡ଼ିଯାଇଛି । ଯାହା ବି ହେଉ ପଛେ, ଦଳକୁ ଦରକାର ଅଢ଼େଇ ବର୍ଷିଆ ମୁଖ୍ୟମନ୍ତ୍ରୀ ପଦ । ଅନ୍ୟପଟେ ଚାରିଆଡ଼ୁ ସଦମା ଖାଇଥିବା ଶିବସେନା, ଏବେ ଦୁଇ ଦଳର ସର୍ତ୍ତ ଉପରେ ରାଜି ହେବାକୁ ବାଧ୍ୟ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି ।

ଏପଟେ ଶିବସେନା ନିଜ ଘରକୁ ଫେରିବା ନେଇ ମଧ୍ୟ କେତେକ ଏବେଠାରୁ ଭବିଷ୍ୟବାଣୀ କଲେଣି । କିନ୍ତୁ ଯେଉଁ ଲକ୍ଷ୍ମଣରେଖା ପାର କରି ଶିବସେନା ଏନଡିଏ ଠାରୁ ସମ୍ପର୍କ ଛିନ୍ନ କରିଛି, ନିଜର ସମ୍ମାନ ରକ୍ଷା କରିବା ପାଇଁ ହୁଏତ ଦଳ ପୁଣି ଥରେ ବିଜେପିର ହାତ ଧରି ନପାରେ । ମାତ୍ର, ରାଜନୀତିରେ ସବୁ ସମ୍ଭବ ।

ଯେଉଁ କଂଗ୍ରେସ ଦିନେ ବାହ୍ୟ ସମର୍ଥନ ଦେବାକୁ ଚିନ୍ତା କରୁଥିଲା, ଏବେ ତାକୁ ବି ଘାରିଛି କ୍ଷମତା ଲୋଭ । କେନ୍ଦ୍ର ନେତୃତ୍ୱ ବାହ୍ୟ ସମର୍ଥନ କଥା କହିଲେ, ରାଜ୍ୟ ନେତାଏ ଫଣା ଟେକୁଛନ୍ତି । ବାଚସ୍ପତି ପରି ଏକ ସାମ୍ବିଧାନିକ ପଦ ଦେଇ କଂଗ୍ରେସକୁ ମନେଇ ଦେବାକୁ ଶିବସେନା ଓ ଏନସିପି ଯେଉଁ ଗଣିତ କଷୁଥିଲେ, ତାଙ୍କ ଚାଲାକି ମହାରାଷ୍ଟ୍ର କଂଗ୍ରେସ ନେତାଏ ଭଲରେ ବୁଝି ପାରିଛନ୍ତି । ତେଣୁ, ଏବେ ଶିବସେନା ଓ ଏନସିପି ନିକଟରେ ଅନ୍ୟ କୌଣସି ବିକଳ୍ପ ହିଁ ନାହିଁ । ଦୁଇ ସହଯୋଗୀ ଦଳ କଂଗ୍ରେସର ସର୍ତ୍ତ ମାନିବାକୁ ବାଧ୍ୟ ହେବେ । 

ସେହିପରି ରାଷ୍ଟ୍ରପତି ଶାସନ ଘୋଷଣା ହେବା ପରେ ଏମିତି କିଛି ଢଙ୍ଗରେ ମେଣ୍ଟକୁ ସୁଦୃଢ କରୁଛନ୍ତି ଶିବସେନା-କଂଗ୍ରେସ-ଏନସିପି । ହାତରେ ଛଅ ମାସ ସମୟ ଥିବାବେଳେ ଖୁବଶୀଘ୍ର ବହୁମତ ଥିବା ନେଇ ସେମାନେ ଦାବି କରିପାରନ୍ତି । ହୁଏତ ନିଜ ପୁଅ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଉଦ୍ଧବଙ୍କ ସ୍ୱପ୍ନ ଏଥିରେ ପୂରଣ ହୋଇଯିବ । ହେଲେ ବିଜେପି ଛାଡ଼ି ବିକଳ୍ପ ସରକାର ଗଢିଲେ ଶିବସେନାକୁ ପୂରା ଟର୍ମ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ଯେଉଁ ସ୍ୱପ୍ନ ଦେଖାଇଥିଲା ଏନସିପି, ତାହା ଦିବାସ୍ୱପ୍ନ ବୋଲି ହିଁ କୁହାଯିବ  କାହିଁକିନା ଶତ୍ରୁକୁ ହରାଇବା ପାଇଁ ଶତ୍ରୁର ସାହାରା ନେବା ଯାହା,  ଏବେ ଶିବସେନାର ସ୍ଥିତି ଠିକ୍ ସେଇଆ ।