close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଜେପି ସହ ମେଣ୍ଟ ଭାଙ୍ଗିବ ଶିବସେନା!

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶିବସେନା ଉପରେ ବର୍ଷିଛନ୍ତି ଫଡନାବିସ । ରାଜ୍ୟରେ ସରକାର ଗଠନ  ନ ହେବାରୁ ଶିବସେନାକୁ ଦାୟୀ କରିଛନ୍ତି ସେ ।

ବିଜେପି ସହ ମେଣ୍ଟ ଭାଙ୍ଗିବ ଶିବସେନା!
ପିଏମ ମୋଦିଙ୍କ ସହ ଉଦ୍ଧବ ଠାକରେ

ତମାଲ ବାକଚି, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସଂଶୟର ସ୍ଥିତି ଜାରି ରହିଛି । ଏପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାବିସ । ନଭେମ୍ୱର ୯ରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଯଦି ସରକାର ଗଠନ ନ ହେବ, ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରି ପାରନ୍ତି । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶିବସେନା ଉପରେ ବର୍ଷିଛନ୍ତି ଫଡନାବିସ । ରାଜ୍ୟରେ ସରକାର ଗଠନ  ନ ହେବାରୁ ଶିବସେନାକୁ ଦାୟୀ କରିଛନ୍ତି ସେ ।

ସେ କହିଛନ୍ତି ଯେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି କିନ୍ତୁ ଦୁର୍ଭାଗ୍ୟବଶତଃ ସରକାର ଗଠନ ହୋଇ ପାରି ନାହିଁ । ୨.୫ ବର୍ଷ ସିଏମ ପଦକୁ ନେଇ ଉଦ୍ଧବ ଠାକରେଙ୍କ ଆଗରେ କୌଣସି ପ୍ରସ୍ତାବ ରଖାଯାଇ ନଥିଲା । ରାଜ୍ୟରେ ସରକାର ଗଠନ ନ ହୋଇ ପାରିବାରୁ ଶିବସେନା ହିଁ ଦାୟୀ । ହିନ୍ଦୁତ୍ୱକୁ ନେଇ ଶିବସେନା ସହ ମେଣ୍ଟ କରାଯାଇଥିଲା । ଶିବସେନା ପିଏମ ମୋଦି ଓ ଅମିତ ଶାହଙ୍କ ଉପରେ ଅଭିଯୋଗ ଆଣିଛି । ଅନ୍ୟପକ୍ଷେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ଯେ ୨.୫ ବର୍ଷର ସିଏମ ପଦ ପାଇଁ ବିଜେପି ସହ ଆଲୋଚନା କରାଯାଇଥିଲା । ଆମେ କାହା ଉପରେ ବ୍ୟକ୍ତିଗତ ଟିପ୍ପଣୀ କରି ନାହୁ । ଶିବସେନା ଚାହିଁଲେ ମୁଖ୍ୟମନ୍ତ୍ରୀ ପଦ ସହ ସରକାର ଗଢି ପାରିବ ।

ଏହି ସମସ୍ତ ଘଟଣା ଚକ୍ରକୁ ଦେଖିଲେ, ବର୍ତ୍ତମାନ ଗୋଟିଏ ପ୍ରଶ୍ନ ଉଠୁଛି । ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ମେଣ୍ଟ ଭାଙ୍ଗିବ କି ? ଖବର ମିଳୁଛି ଶିବସେନା ମହାୟୁତିରୁ ଅଲଗା ହୋଇ ପାରନ୍ତି । ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ଶିବସେନାର ଏହା ବଡ଼ ପଦକ୍ଷେପ ହୋଇପାରେ । ଉଦ୍ଧବ ଠାକରେଙ୍କ ସହ ଦଳର ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି । ଏହି ବୈଠକ ପୂର୍ବରୁ ଶିବସେନା ନେତା ଗୁଲାବରାବ ପାଟିଲ କହିଛନ୍ତି ଯେ ସିଏମ ଶିବସେନାରୁ ହିଁ ହେବା ଆବଶ୍ୟକ । ଆମେ ଉଦ୍ଧବ ଠାକରେଙ୍କ ଆଦେଶର ପ୍ରତୀକ୍ଷା କରୁଛି । ଯେତେ ଯାଏ ଆମକୁ ହୋଟେଲରେ ରହିବାକୁ କୁହାଯିବ, ସେତେଯାଏ ଆମେ ହୋଟେଲରେ ରହିବୁ ।

ଅନ୍ୟପକ୍ଷେ ଶିବସେନା ସ୍ପଷ୍ଟ କରିଛି ଯେ ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଛି । ଗୁରୁବାର ମଧ୍ୟ ରାତ୍ରିରେ ଆଦିତ୍ୟ ଠାକରେ ମୁମ୍ୱାଇର ରଙ୍ଗଶାରଦା ହୋଟେଲରେ ଯାଇ ଶିବସେନା ବିଧାୟକଙ୍କ ସହ ସାକ୍ଷାତ କରିଛନ୍ତି । ସେହିପରି ସରକାର ଗଢିବା ପାଇଁ ସଞ୍ଜୟ ରାଉତ ଶୁକ୍ରବାର ଏନସିପି ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି ।