ଛିଣ୍ଡୁନି ଅଙ୍କ, ବଣ୍ଟାଯାଇପାରୁନି ମନ୍ତ୍ରୀଙ୍କୁ ବିଭାଗ: ଜାଣନ୍ତୁ ୩ ଦିନରେ କେଉଁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
Advertisement
Article Detail0/zeeodisha/odisha2292192

ଛିଣ୍ଡୁନି ଅଙ୍କ, ବଣ୍ଟାଯାଇପାରୁନି ମନ୍ତ୍ରୀଙ୍କୁ ବିଭାଗ: ଜାଣନ୍ତୁ ୩ ଦିନରେ କେଉଁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

 ମୁଖ୍ୟମନ୍ତ୍ରୀ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାରେ ମଧ୍ୟ ଅନେକ କାରକ ବାଧକ ହେଉଥିବାରୁ ଘରେ ପଶୁ ପଶୁ ଚାଳ ବାଜିବା ଆରମ୍ଭ ହୋଇଛି। ଆସନ୍ତୁ ନଜର ପାଇବା କିଛି ପ୍ରମୁଖ ବିନ୍ଦୁ ଉପରେ ଯେଉଁଗୁଡ଼ିକ ଏହି ତିନିଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆଗରେ ଆହ୍ୱାନ ହୋଇଛି। 

ଛିଣ୍ଡୁନି ଅଙ୍କ, ବଣ୍ଟାଯାଇପାରୁନି ମନ୍ତ୍ରୀଙ୍କୁ ବିଭାଗ: ଜାଣନ୍ତୁ ୩ ଦିନରେ କେଉଁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

Mohan Charan Majhi: ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଦାୟିତ୍ୱ ନେବା ଆଜିକୁ ତିନି ଦିନ ହୋଇଛି। ଏହି ତିନିଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳର ୧୬ଜଣ ସଦସ୍ୟ ଶପଥ ନେଇ ସାରିଥିଲେ ମଧ୍ୟ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇ ପାରୁନାହିଁ। ପ୍ରଥମ ଦିନରେ କିଛି  ବରିଷ୍ଠ ସଦସ୍ୟଙ୍କ ଅପମାନବୋଧ କରିବା, ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସୋଶାଲ୍‍ ମିଡିଆ ଆକାଉଣ୍ଟ ଜାଲି ବୋଲି ପ୍ରଚାର କରାଯିବା ଆଉ ତିନି ଦିନ ଭିତରେ ସରକାରଙ୍କ ଲକ୍ଷ୍ୟ ତଥା ପ୍ରଥମ ୧୦୦ ଦିନର କାମ ସ୍ପଷ୍ଟ କରାଯାଇ ନପାରିବା ଏକ ଧିମା ସରକାରର ପରିଚୟ ଦେଉଥିବା ଆଲୋଚନା ହେଉଛି। 
ରାଜ୍ୟ ବିଜେପିରେ କେନ୍ଦ୍ରୀୟ ନେତୃତ୍ୱର ଅତ୍ୟଧିକ ହସ୍ତକ୍ଷେପ ଏହାର କାରଣ ବୋଲି କେହି କେହି କହିଲାଣି। ଏପରିକି ମୁଖ୍ୟମନ୍ତ୍ରୀ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାରେ ମଧ୍ୟ ଅନେକ କାରକ ବାଧକ ହେଉଥିବାରୁ ଘରେ ପଶୁ ପଶୁ ଚାଳ ବାଜିବା ଆରମ୍ଭ ହୋଇଛି। ଆସନ୍ତୁ ନଜର ପାଇବା କିଛି ପ୍ରମୁଖ ବିନ୍ଦୁ ଉପରେ ଯେଉଁଗୁଡ଼ିକ ଏହି ତିନିଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆଗରେ ଆହ୍ୱାନ ହୋଇଛି। 

1. ବିଭାଗ ବଣ୍ଟନ: ନିର୍ବାଚନ ଫଳାଫଳ ଘୋଷଣା ପରେ ଯଦିଓ ବିଜେପି ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ପରିଚିତ ହୋଇଥିଲା କିନ୍ତୁ ଦଳର ନେତା କିଏ ହେବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ବେଳେ ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କରାଯାଇ ପାରି ନଥିଲା। ଅର୍ଥାତ୍‍ ୧୦ ତାରିଖରେ ଶପଥ ପାଠ ହୋଇପାରିଲା ନାହିଁ। କେନ୍ଦ୍ରୀୟ ନେତା ଆସି ୭ ଦିନ ପରେ ରାଜ୍ୟରେ ନେତା ଘୋଷଣା କରିଲେ। ନିର୍ଦ୍ଧାରିତ ତାରିଖର ଦୁଇଦିନ ପରେ ଶପଥଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା। ସେଥିରେ ପୁଣି କୌଣସି ଜଣେ ନେତାଙ୍କୁ ଦାୟିତ୍ୱ ନଦେଇ କେନ୍ଦ୍ରୀୟ ନେତା ଦୁଇଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଲେ। ଓଡ଼ିଶାର ରାଜନୀତିକ ଇତିହାସରେ ଏକାସଙ୍ଗେ ୨ ଉପମୁଖ୍ୟମନ୍ତ୍ରୀ କେବେ ହେଇ ନଥିଲେ। ଏହା ଏକ ନୂଆ ଇତିହାସ ସୃଷ୍ଟି କରିଲା। 

2. ଜାଲି ଆକାଉଣ୍ଟ : ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆଉ ଏକ ଆହ୍ୱାନ ଆସି ଠିଆ ହେଲା। ତାହା ହେଲା ତାଙ୍କ ନାଁରେ ତାଲି ଆକାଉଣ୍ଟ। ସମାନ ଫଟୋ ଥାଇ ଆଉ ଏକ ଆକାଉଣ୍ଟ ମିଡିଆ କର୍ମୀଙ୍କୁ ବି ଦ୍ୱନ୍ଦ୍ୱରେ ପକାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନାଁରେ ସେଥିରେ ଖବର ପ୍ରସାର କରାଗଲା। ତାହାକୁ ଗଣମାଧ୍ୟମ ବି ଅବିଳମ୍ବେ ପ୍ରସାର କରିଲେ। ପରେ ତାହା ଏକ ଜାଲି ଆକାଉଣ୍ଟ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟୀକରଣ ଦେଲା। ପୁଣି ଯେଉଁ ୫-ଟି ଉପକ୍ରମ ଏବଂ ମୋ ସରକାର ବୋର୍ଡ ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନେଇ ନ୍ୟୁଜ୍‍ ପ୍ରସାରଣ କରାଯାଇଛି ତାହା ତଥ୍ୟ ଆଧାରିତ ନୁହେଁ ବୋଲି ଦର୍ଶାଇଲେ। ଏହାକୁ ଗଣମାଧ୍ୟମରେ ମଧ୍ୟ ନିଆଗଲା। ହେଲେ ଏହାକର କିଛି ସମୟ ପରେ ପୁଣି ଓସେପା ପକ୍ଷରୁ ଏକ ସରକାରୀ ଚିଠି ପ୍ରକାଶ ପାଇଲା। ସୂଚନା ଓ ଲୋକସମ୍ପର୍କ ସଚିବଙ୍କ ଆଦେଶ କ୍ରମେ ସମସ୍ତ ସ୍କୁଲ୍‍ରୁ  ତତ୍‍କ୍ଷଣାତ ଫାଇଭ୍‍ -ଟି  ବୋର୍ଡ ହଟାଇବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଥିବା କୁହାଗଲା।  ଫାଇଭ୍‍ ଟି ଏକ ବିଭାଗ ନଥିଲେ ବି ଏହି ବ୍ୟବସ୍ଥାକୁ ସେତେବେବେଳେ ଭିକେ ପାଣ୍ଡିଆନ୍‍ ଅଧ୍ୟକ୍ଷତା କରୁଥିଲେ। 

3. ବିଜେଡି ଅଫିସର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆଗରେ ଆଉ ଏକ ଆହ୍ୱାନ ହେଉଛି ସରକାରରେ ଥିବା ଅନେକ ବିଜେଡି ଅଧିକାରୀ। ୨୪ ବର୍ଷର ନବୀନ ସରକାର ସମୟରେ ଏହି ପଦାଧିକାରୀମାନେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରି ଆନନ୍ଦରେ ରହିଛନ୍ତି। କିଏ ୧୦ ବର୍ଷ ତ କିଏ ୭ ବର୍ଷ, ୮ ବର୍ଷ ଧରି ଗୋଟିଏ ବିଭାଗର ଦାୟିତ୍ୱ ମଣ୍ଡନ କରି ରହିଥିବା ଦେଖିବାକୁ ମିଳିଛି। ପୁଣି ସରକାରଙ୍କ ମୂଳ ବିଭାଗରେ ଏମାନଙ୍କ ଆଧିପତ୍ୟ ଏବେ ମୋହନଙ୍କୁ କାର୍ଯ୍ୟ ପରିଚାଳନାରେ ବାଧକ ସୃଷ୍ଟି କରୁଥିବା ଜଣାପଡ଼ିଛି। ଏବେ ମୋହନ ସରକାର ସେମାନଙ୍କୁ କିପରି ସମ୍ପୃକ୍ତ ପଦପଦବୀରୁ ବାହାର କରାଯିବ ସେ ଚିନ୍ତାରେ ପଡ଼ିଥିବା ନେଇ ଆଲୋଚନା ହେଉଛି। ଏହି ଅଧିକାରୀମାନଙ୍କୁ ବିଜେଡି ଅଧିକାରୀ ବୋଲି ବି କେହି କେହିଁ କହିବୁଲିଲେଣି। 

4. କେନ୍ଦ୍ରୀୟ ହସ୍ତକ୍ଷେପ : ସରକାରରେ ସବୁଠାରୁ ଅଧିକ ବାଧକ ହେଉଛି ଅଯଥା କେନ୍ଦ୍ରୀୟ ହସ୍ତକ୍ଷେପ। କେନ୍ଦ୍ରରେ ବିଭିନ୍ନ ପଦପଦବୀରେ ରହିଥିଲେ ମଧ୍ୟ କିଛି ନେତା ରାଜ୍ୟ ସରକାରରେ ହସ୍ତକ୍ଷେପ କରୁଥିବାରୁ ସରକାର ଚାଲୁଛି ଯେତିକି ଫେରୁଛି ସେତିକି। ଅର୍ଥାତ୍‍ କେଉଁ ନିଷ୍ପତ୍ତି ନିଆଯିବ ତାହାକୁ ମୁଖ୍ୟମନ୍ତ୍ରୀ ସ୍ଥିର କରିବା ସମ୍ଭବ ହୋଇ ପାରୁ ନାହିଁ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା କିଛି ମନ୍ତ୍ରୀ ଏଥି ପାଇଁ ଦାୟୀ ବୋଲି ଆଲୋଚନା ହେଉଛି। 

5. ୧୦୦ ଦିନର ଫୋକସ୍‍: ମୋହନ ସରକାର ଶପଥ ନେବାର ଗୋଟିଏ ଦିନ ପରେ ଅରୁଣାଚଳରେ ପ୍ରେମା ଖାଣ୍ଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଏ ଭିତରେ ୧୦୦ ଦିନର ଲକ୍ଷ୍ୟ ସ୍ଥିର କରି ସାରିଛନ୍ତି। ସରକାର କେଉଁସବୁ ଯୋଜନା ପ୍ରଣୟନ କରିବେ ତାହା ସ୍ପଷ୍ଟ ହୋଇଛି। କିନ୍ତୁ ରାଜ୍ୟରେ ତାହା ଦେଖିବାକୁ ମିଳିପାରୁ ନାହିଁ। ରାଜ୍ୟପାଳଙ୍କ ପ୍ରଥମ ଅଭିଭାଷଣରେ ଏହି ପ୍ରସଙ୍ଗସବୁ ସ୍ଥାନ ପାଇବ। ସେହିପରି ଦଳର ଅନେକ ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ସମ୍ମାନ ନମିଳିବା ନେଇ ବି ଆଲୋଚନା ହେଉଛି। ଏହାଦ୍ୱାରା ସେମାନେ ବି ଅସନ୍ତୁଷ୍ଟ ରହିଛନ୍ତି। ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଶପଥଗ୍ରହଣରେ ଅନୁପସ୍ଥିତି ଏହାକୁ ସୂଚାଉଛି।