'ମହାରାଷ୍ଟ୍ରରେ ଚାଲିଛି ମାଙ୍କଡ ନାଚ'
Advertisement
Article Detail0/zeeodisha/odisha1232970

'ମହାରାଷ୍ଟ୍ରରେ ଚାଲିଛି ମାଙ୍କଡ ନାଚ'

ମହାରାଷ୍ଟ୍ର ସଙ୍କଟକୁ ନେଇ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି  'ମାଙ୍କଡମାନଙ୍କର ନୃତ୍ୟ' ଚାଲିଥିବା କହି କଟାକ୍ଷ କରିଛନ୍ତି । ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ତାଙ୍କ ଦଳର କିଛି ବିଧାୟକ ତଥା କିଛି ସ୍ୱାଧୀନ ବିଧାୟକଙ୍କ ସହ ଗୁଜୁରାଟକୁ ପଳାଇବା ପରେ  ମହାରାଷ୍ଟ୍ରରେ ସଙ୍କଟ ଦେଖାଦେଇଥିଲା । 

'ମହାରାଷ୍ଟ୍ରରେ ଚାଲିଛି ମାଙ୍କଡ ନାଚ'

ମୁମ୍ୱାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ନେଇ ଏଆଇଏମ୍ଆଇଏମ୍(AIMIM ) ମୁଖ୍ୟ ଅସାଦୁଦ୍ଦିନ ଓୱେସି(AIMIM chief Asaduddin Owaisi) ଶନିବାର ଦିନ ଏହା  'ମାଙ୍କଡମାନଙ୍କର ନୃତ୍ୟ'('dance of monkeys') ... ଏମାନେ ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଡେଇଁବା କାମ କରନ୍ତି ବୋଲି ବର୍ଣ୍ଣନା କରିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ ଶିବସେନା(Shiv Sena ) ଏବଂ ଶାସକ ମହା ବିକାଶ ଆଘାଡି ସରକାର(Maha Vikas Aghadi government)ଙ୍କ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସେ ନିଜକୁ କିମ୍ବା ତାଙ୍କ ଦଳକୁ ଜଡିତ କରିବେ ନାହିଁ  । "ଯେହେତୁ ଏହା ମହା ବିକାଶ ଅଘାଡିର ଆଭ୍ୟନ୍ତରୀଣ  ସମସ୍ୟା,ତେଣୁ ଏହି ପ୍ରସଙ୍ଗ ସେମାନଙ୍କୁ ହିଁ ଚିନ୍ତା କରିବାକୁ ପଡ଼ିବ । ମୁଁ କାହିଁକି ସେଠାକୁ ଯାଇ କିଛି କହିବି ? ତେବେ ଆମେ ଚାଲିଥିବା ଡ୍ରାମା ଉପରେ ନଜର ରଖିଛୁ ..."ବୋଲି ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ୍ ର ସଭାପତି(All India Majlis-e-Ittehadul Muslimeen president)ଅସାଦୁଦ୍ଦିନ ଓୱେସି  ANI କୁ ସାକ୍ଷାତକାରରେ କହିଛନ୍ତି ।

ସ୍ଥିତି ଉପରେ ମନ୍ତବ୍ୟ ଦେବାକୁ ଯାଇ  ଓୱେସି କହିଛନ୍ତି : "ଏହା ମାଙ୍କଡଙ୍କ ନୃତ୍ୟ ଭଳି ଲାଗୁଛି । ସେମାନେ ଗୋଟିଏ ଶାଖା ରୁ ଅନ୍ୟ ଶାଖାକୁ ଡେଇଁପଡୁଥିବା ମାଙ୍କଡ ପରି ଅଭିନୟ କରୁଛନ୍ତି ।" ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ(Eknath Shinde),ତାଙ୍କ ଦଳର ବିଧାୟକ ତଥା ସ୍ୱାଧୀନ ବିଧାୟକଙ୍କ  ସହ ବିଜେପି ଶାସିତ ଗୁଜୁରାଟକୁ ଯିବା ପରେ ବୁଧବାର ଏହି ସଙ୍କଟ ଦେଖାଦେଇଥିଲା । ବିଗତ ଚାରି ଦିନ ମଧ୍ୟରେ ସିନ୍ଦେଙ୍କୁ ସମର୍ଥନ ଦେଉଥିବା ଶିବସେନାର ବିଧାୟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହାସହିତ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଥିବାରୁ ତାଙ୍କ ଗୋଷ୍ଠୀପାଇଁ ଏହା ଲାଭଦାୟକ ହେବ ବୋଲି ବିରୋଧୀ ଆଶା ରଖିଛନ୍ତି । ‘ଶିବସେନା ବାଲାସାହେବ’ ନାଁରେ ଏକ ନୂଆ ଗୋଷ୍ଠୀ ଗଠନ କରିଛନ୍ତି ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକ । ଯାହାକୁ ବିରୋଧ କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ(Uddhav Thackeray) । ବାଲାସାହେବଙ୍କ ନାଁର ଅପବ୍ୟବହାର କରାନଯାଉ ବୋଲି କହିବା ସହିତ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ଶିବସେନା ସୁପ୍ରିମୋ । ଆଜି ଅପରାହ୍ନରେ ଠାକରେ ଦଳର ନେତାଙ୍କ ସହ ସାକ୍ଷାତ କରିଥିଲେ ଏବଂ ପରେ ସାଂସଦ ସଞ୍ଜୟ ରାଉତ  ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ଏହାପରେ ସିନ୍ଦେଙ୍କ ଶିବିରରୁ ବିଦ୍ରୋହୀ ବିଧାୟକ ଦୀପକ କେସରକର ଏହାର ଜବାବ ଦେଇ କହିଛନ୍ତି ଯେ; ଯଦି ଆମକୁ ସଠିକ ମାନ୍ୟତା ନମିଳେ  ତେବେ ଆମେ କୋର୍ଟକୁ ଯିବୁ।

ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ବଢୁଥିବା ଆକ୍ରୋଶ  କାରଣରୁ ଶନିବାର ମୁମ୍ବାଇରେ  ୧୪୪ ଧାରା ଜାରି ହୋଇଛି। ଜୁଲାଇ ୧୦ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ନିଷେଧାଜ୍ଞା ଅନୁସାରେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ କଟକଣା ଲାଗୁ କରାଯାଇଥାଏ। ଏହା ଛଡା ମୁମ୍ବାଇ ସହରରେ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟାଳୟ, ବିଧାୟକ, ସାଂସଦ ଓ ନେତା ମନ୍ତ୍ରୀଙ୍କ ଆବାସ ଓ କାର୍ଯ୍ୟାଳୟ ସୁରକ୍ଷା ମଧ୍ୟ କଡ଼ାକଡି କରାଯାଇଛି। ଜନୈକ ଅଧିକାରୀ ଶନିବାର ଏହା କହିଛନ୍ତି ଯେ ମୁମ୍ବାଇ ପୋଲିସ କମିସନର ସଞ୍ଜୟ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ କାର୍ଯ୍ୟାଳୟ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଲାଗି ନିଷ୍ପତ୍ତି ହୋଇଛି। ବୈଠକରେ ଯୁଗ୍ନ ପୋଲିସ କମିଶନର (ଆଇନଶୃଙ୍ଖଳା) ସମେତ ଅତିରିକ୍ତ କମିଶନର ଓ ଆଞ୍ଚଳିକ ଉପ ପୋଲିସ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ପକ୍ଷରୁ ଅଗ୍ରୀମ ସତର୍କତା ଅବଲମ୍ବନ କରାଯାଇଛି।