କଂଗ୍ରେସ କହିଛି, କୋଭିଡ଼ ନିୟମାବଳୀ ଭିତରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ସଭାସମିତି ନକରି ଘରକୁ ଘର ବୁଲି ପ୍ରଚାର କରିହେବ ।
Trending Photos
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଦେଶରେ କୋରୋନା ସଙ୍କଟ ଜାରି ରହିଛି । ଆଉ ଏହାରି ଭିତରେ ନିର୍ବାଚନ କିପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ନିର୍ବାଚନ କମିଶନଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି । ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରଚାର କରିବେ କିପରି ? କୋରୋନା ଯୋଗୁ ସାମାଜିକ ଦୂରତ୍ୱ ନିହାତି ଆବଶ୍ୟକ ଥିବା ବେଳେ ଏବେ ଏମିତି ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି । ଆଉ ଏନେଇ(poll campaigns) ଦେଶର ପ୍ରତ୍ୟେକ ରାଜନୈତିକ ଦଳଠୁ ମତାମତ ଲୋଡ଼ିଛନ୍ତି ନିର୍ବାଚନ କମିଶନ । ଯାହାକୁ ନେଇ ଓଡ଼ିଶାର ପ୍ରମୁଖ ୩ ରାଜନୈତିକ ଦଳ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
ସାମ୍ପ୍ରତିକ ପରିସ୍ଥିତିରେ ନିର୍ବାଚନ କମିଶନ ଏଭଳି ମତାମତ ମାଗିବା ବୁଦ୍ଧିମତ୍ତାର ପରିଚୟ। ଏଥିପାଇଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛି ବିଜେପି । ସବୁ ଦଳ ସହ ବୈଠକ କରି ପରାମର୍ଶ କରିବାର ଆବଶ୍ୟକତା ଅଛି । ଯାହା ପରାମର୍ଶ ଆସିବ, ସେହି ଅନୁଯାୟୀ ହେବା ଉଚିତ। ନିର୍ବାଚନ ବେଳେ ସମାବେଶ ହେବ, କାର୍ଯ୍ୟକର୍ତ୍ତା ଏକାଠି ହୋଇଥାନ୍ତି । ତେଣୁ ବିପଦ ରହୁଛି । କିଭଳି ଲଢ଼ିଲେ ଗୋଷ୍ଠୀ ସଂକ୍ରମଣ ହେବନି, ସେ ସମ୍ପର୍କରେ ଚର୍ଚ୍ଚା ହେବା ଆବଶ୍ୟକ । ଲୋକଙ୍କ ଜୀବନ ମୂଲ୍ୟବାନ ଅଟେ । ତେଣୁ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବା ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
କଂଗ୍ରେସ କହିଛି, କୋଭିଡ଼ ନିୟମାବଳୀ ଭିତରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ସଭାସମିତି ନକରି ଘରକୁ ଘର ବୁଲି ପ୍ରଚାର କରିହେବ । କଂଗ୍ରେସର ଖର୍ଚ୍ଚ କିଛି ନାହିଁ । କିନ୍ତୁ ବିଜେଡି ଓ ବିଜେପିର ଅଧିକ ଖର୍ଚ୍ଚ ନେଇ ସନ୍ଦେହ ଥିବା କହିଛନ୍ତି ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ।
ଅନ୍ୟପଟେ ଶାସକ ବିଜେଡିର କହିବା କଥା ଏହା ଯେ, ନିର୍ବାଚନ ଗଣତନ୍ତ୍ର ଓ ସମ୍ବିଧାନର ଏକ ଅବିଛେଦ୍ୟ ଅଙ୍ଗ । କିନ୍ତୁ କୋଭିଡ଼ ମହାମାରୀ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିଛି । ନିର୍ବାଚନ ପରିଚାଳନକୁ ନେଇ ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳକୁ ମତାମତ ମାଗିବା ପ୍ରଶଂସନୀୟ ପଦକ୍ଷେପ । ଆମ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଦଳ ପକ୍ଷରୁ ନିଶ୍ଚିତ ଗଠନମୂଳକ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ବିଧାୟକ ଶଶୀ ଭୂଷଣ ବେହେରା ।