Gujarat Election 2022: ସେହି ୧୦ ବିଧାନସଭା ଆସନ, ଯାହା ଉପରେ ରହିଛି ସବୁ ଦଳ ନଜର
Advertisement
Article Detail0/zeeodisha/odisha1466530

Gujarat Election 2022: ସେହି ୧୦ ବିଧାନସଭା ଆସନ, ଯାହା ଉପରେ ରହିଛି ସବୁ ଦଳ ନଜର

VIP Seat of Gujarat: ଗୁଜୁରାଟର ମୋଟ ୧୮୨ ସିଟ ମଧ୍ୟରୁ ଏପରି ୧୦ ଆସନ ରହିଛି ଯାହା ଉପରେ ରହିଛି ସବୁ ଦଳର ନଜର। ଏହି ଆସନରେ ବିଜୟ ବାନା ଉଡାଇବା ପାଇଁ ୩ ପ୍ରମୁଖ ଦଳ  ​​ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଏହି ୧୦ ଆସନ ହେଉଛି ଖମ୍ଭାଲିଆ, ଘାଟଲୋଡିଆ, ସୁରଟ, ବୀରମଗାମ, ମୋର୍ବି, ମଣି ନଗର, ଗୋଧ୍ରା, ଉତ୍ତର ଜାମନଗର ଏବଂ ଦାନିଲିମଦା, ଦ୍ୱାରକା।  

Gujarat Election 2022: ସେହି ୧୦ ବିଧାନସଭା ଆସନ, ଯାହା ଉପରେ ରହିଛି ସବୁ ଦଳ ନଜର

Gujarat Assembly Election 2022: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୮୯ ଆସନ ଲାଗି ହୋଇଥିଲା ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ​ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୨ କୋଟି ୩୯ ଲକ୍ଷ ୭୬ ରାଜ୍ୟ ୬୭୦ ମତଦାତା। ବାକି ୯୩ ଆସନ ଲାଗି ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ।

ଗୁଜୁରାଟର ମୋଟ ୧୮୨ ସିଟ ମଧ୍ୟରୁ ଏପରି ୧୦ ଆସନ ରହିଛି ଯାହା ଉପରେ ରହିଛି ସବୁ ଦଳର ନଜର। ଏହି ଆସନରେ ବିଜୟ ବାନା ଉଡାଇବା ପାଇଁ ୩ ପ୍ରମୁଖ ଦଳ  ​​ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଏହି ୧୦ ଆସନ ହେଉଛି ଖମ୍ଭାଲିଆ, ଘାଟଲୋଡିଆ, ସୁରଟ, ବୀରମଗାମ, ମୋର୍ବି, ମଣି ନଗର, ଗୋଧ୍ରା, ଉତ୍ତର ଜାମନଗର ଏବଂ ଦାନିଲିମଦା, ଦ୍ୱାରକା। କେଉଁ ଦୃଷ୍ଟିକୋଣରୁ ଏହି ୧୦ ଆସନ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହାର କାରଣ ବୁଝନ୍ତୁ। 

୧. ଖମ୍ଭାଲିଆ: ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଇତିହାସ ସୃଷ୍ଟି କରିବା ଆମ ଆଦମୀ ପାର୍ଟି ଖମ୍ଭାଲିଆ ଆସନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭୀଙ୍କୁ ଛିଡା କରିଛି। ଏଠାରେ ତାଙ୍କର ସିଧା ମୁକାବିଲା କଂଗ୍ରେସ ପ୍ରାର୍ଥୀ ବିକ୍ରମ ମଦାମ ଏବଂ ଭେଟେରାନ ବିଜେପି ନେତା ମୁଲୁ ବେରାଙ୍କ ସହ ହେବାକୁ ଯାଉଛି। ଯଦି ଏହି ଆସନର ଜାତିଗତ ସମୀକରଣ କଥା କୁହାଯାଏ, ତାହେଲେ ଏଠାରେ ଅହିର ମତଦାତଙ୍କ ପ୍ରାଧାନ୍ୟ ରହିଛି। ପ୍ରତ୍ୟେକ ଥର ଅହିର ସମ୍ପ୍ରଦାୟର ନେତା ଏଠାରୁ ବିଧାୟକ ନିର୍ବାଚିତ ହୁଅନ୍ତି। ଏହି କାରଣରୁ ଆପ୍ ନେତା ଇସୁଦାନ ଗଡଭୀଙ୍କ ପାଇଁ ସଂଘର୍ଷ କଠିନ ହେବାକୁ ଯାଉଛି। କେବଳ ୧୯୬୭ ମସିହାରେ ଏହି ଆସନରେ ଅଣ ଅହିର ସମ୍ପ୍ରଦାୟର ଜଣେ ବ୍ୟକ୍ତି ବିଧାୟକ ନିର୍ବାଚିତ ହୋଇଥିଲେ।

୨.ଘାଟଲୋଡିଆ: ଗୁଜୁରାଟର ଅହମ୍ମଦାବାଦ ଜିଲ୍ଲାରେ ଅବସ୍ଥିତ ଘାଟଲୋଡିଆ ଆସନ ବିଜେପି ଗଡ଼ ବୋଲି ବିବେଚନା କରାଯାଏ। କାରଣ ଏହି ଆସନରୁ ରାଜ୍ୟର ୨ ଜଣ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଆନନ୍ଦୀବନ୍ ପଟେଲ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ଆସନରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଘାଟଲୋଡିଆ ଆସନ ପାଟିଦାର ସମ୍ପ୍ରଦାୟର ମତଦାତାଙ୍କ ପ୍ରାଧାନ୍ୟ ରହିଛି। 

୩.ସୁରଟ: ସୁରଟ ବିଧାନସଭାରେ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ତ୍ରିକୋଣୀୟ ଲଢେଇ ଲଢେଇ ହେବାର ସମ୍ଭାବନା ରହିଛି। କାରଣ ଗତ ୨୦୧୭ ନିର୍ବାଚନରେ ​​କଂଗ୍ରେସ ୭୭ ସିଟ୍ ଜିତିଥିବା ବିଜେପି ୯୯ ଆସନରେ ସୀମିତ ହୋଇ ଯାଇଥିଲା। ଏହା ବ୍ୟତୀତ ଆମ ଆଦମୀ ପାର୍ଟି ଭଳି ଦଳର ୨୭ ଜଣ ​କର୍ପୋରେଟର ସୁରଟ ନଗର ନିଗମକୁ ନିର୍ବାଚିତ ହୋଇଛନ୍ତି। 

୪.ବୀରମଗାମ: ଗୁଜୁରାଟର ଅହମ୍ମଦାବାଦ ଜିଲ୍ଲାରେ ଅବସ୍ଥିତ ବୀରମଗାମ ଆସନ ଏଥର ସର୍ବାଧିକ ଚର୍ଚ୍ଚାରେ ରହିଛି। କାରଣ ଏଠାରୁ ପଟିଦାର ଆନ୍ଦୋଳନରୁ ନିଜର ପରିଚୟ ସୃଷ୍ଟି କରିଥିବା ହାର୍ଦ୍ଦିକ ପଟେଲ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଗତ ୨୦୧୭ ନିର୍ବାଚନରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମର୍ଥନ ବଳରେ କଂଗ୍ରେସ ବୀରମଗାମ ଆସନରେ ବିଜୟବାନା ଉଡ଼ାଇଥିଲା।  ଏଥର କଂଗ୍ରେସ ପକ୍ଷରୁ ଲଖାଭାଇ ଭାରୱାଡ଼ ଏବଂ ଆମ ଆଦମୀ ପାର୍ଟି ପକ୍ଷରୁ କୁୱରଜୀ ଠାକୋର ନିର୍ବାଚନ ଲଢୁଛନ୍ତି। 

୫.ମୋର୍ବି: ଗୁଜୁରାଟର ମୋର୍ବି ଆସନ ଦୀର୍ଘ ଦିନ ଧରି ବିଜେପି ଲାଗି ଗଡ଼ ହୋଇ ରହିଥିଲା। ଗତ ୧୯୯୫ ମସିହାରୁ ୨୦୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ପ୍ରତ୍ୟକ ଥର ବିଜେପି ଏଠାରେ ବିଜୟ ବାନା ଉଡ଼ାଇଥିଲା। ମୋର୍ବି ଆସନରେ ବହୁ ସଂଖ୍ୟକ ପଟିଦାର ଭୋଟର ଅଛନ୍ତି। ପଟିଦାର ଆନ୍ଦୋଳନ ହେତୁ କଂଗ୍ରେସ ଏହାର ଲାଭ ଗତ ୨୦୧୭ ନିର୍ବାଚନରେ ଉଠାଇଥିଲା। ଗତ ଥରର ନିର୍ବାଚନରେ କଂଗ୍ରେସ ବିଜେପି ହାତରୁ ଏହାର ପାରମ୍ପରିକ ଗଡ଼ ଛଡାଇ ନେଇଥିଲା। 

୬.ମଣି ନଗର:  ଅହମ୍ମଦାବାଦ ଜିଲ୍ଲାରେ ଅବସ୍ଥିତ ମଣି ନଗର ଆସନ ୧୯୯୦ ପର ଠାରୁ ବିଜେପି ଦଖଲରେ ରହିଛି। ଏହି ଆସନରୁ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ୨୦୦୨, ୨୦୦୭, ୨୦୧୨ ନିର୍ବାଚନରେ ମଣି ନଗର ଆସନରୁ ଗୁଜୁରାଟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ବିଜେପି ସୁରେଶ ପଟେଲ ଏଠାକାର ବିଧାୟକ ଅଛନ୍ତି।

୭.ଗୋଧ୍ରା: ଗୁଜୁରାଟ ପଞ୍ଚମହଲ ଜିଲ୍ଲାରେ ଅବସ୍ଥିତ ଗୋଧ୍ରା ଆସନର ମୋଟ ମତଦାତାଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୭୯ ହଜାର। ସେମାନଙ୍କୁ ମଧ୍ୟରୁ ୭୨ ହଜାର ମତଦାତା ହେଉଛନ୍ତି ମୁସଲମାନ। ଏଠାରେ ଅନୁଷ୍ଠିତ ହୋଇଥିବା ପୌରପାଳିକା ନିର୍ବାଚନରେ ଏଆଇଏମଆଇଏମ ୭ ଆସନ ପାଇତିଲା। ଯଦିଓ ଗୋଧ୍ରା ଆସନର ବିଧାୟକ ହେଉଛନ୍ତି ବିଜେପି ନେତା ସି.କେ ରାଉଲଜୀ।

୮. ଉତ୍ତର ଜାମନଗର:  ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ବିଜେପି କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କୁ ଟିକେଟ୍ ଦେଇଛି। ଯିଏ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପଟେ କଂଗ୍ରେସ ଏଠାରୁ ବିପେନ୍ଦ୍ରସିଂହ ଜାଡେଜାଙ୍କୁ ପ୍ରାର୍ଥୀ କରିଛି। ଏଠାରେ ସିଧାସଳଖ ମୁକାବିଲା କଂଗ୍ରେସ-ବିଜେପି ମଧ୍ୟରେ ହେବାକୁ ଯାଉଛି। ରବୀନ୍ଦ୍ର ଜାଡେଜାଙ୍କ ଭଉଣୀ ତଥା କଂଗ୍ରେସ ମହିଳା ଦଳର ମୁଖ୍ୟ ନୈନା ଜାଡେଜା ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି।

୯.ଦାନିଲିମଦା: ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଦାନିଲିମଦା ଆସନ କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଗତ ୨୦୧୨ ନିର୍ବାଚନରେ ୧୪ ହଜାର ଏବଂ ୨୦୧୭ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଏହି ଆସନରୁ ୩୨ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ଏଥର ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ଏଆଇଏମଆଇଏମ ପ୍ରମୁଖ ଦଳ ପ୍ରାର୍ଥୀ ଦେଇଛନ୍ତି। 

୧୦. ଦ୍ୱାରକା: ଦେବଭୂମି ଦ୍ୱାରାକା ଜିଲ୍ଲାରେ ଅବସ୍ଥିତ ଏହି ଆସନ ଜିତିବା ବିଜେପି ପାଇଁ ସହଜ ମନେହୁଏ। କାରଣ ବିଜେପି ପ୍ରାର୍ଥୀ ପବୁଭା ମାନେକ ଏହି ଆସନରୁ କେବେ ହାରି ନାହାଁନ୍ତି। ଗତ ୧୯୯୦ ନିର୍ବାଚନ ପର ଠାରୁ ସେ ଲଗାତାର ୭ ଥର ଏହି ଆସନରୁ ନିର୍ବାଚିତ ହୋଇଛନ୍ତି। ଏହି ଆସନରେ ଅହିର ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ। ଏହା ବ୍ୟତୀତ ଓବିସି, ସତ୍ବରସ୍ ଗୋଷ୍ଠୀ ଏବଂ ମାନେକ ସମ୍ପ୍ରଦାୟର ଲୋକ ଏଠାରେ ତୃତୀୟ ସ୍ଥାନରେ ଅଛନ୍ତି।