)
Hemant Soren Speech in Jharkhand Assembly: ଫେବୃଆରୀ ୫ ତାରିଖ ସୋମବାର ଝାଡ଼ଖଣ୍ଡ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ନେତୃତ୍ୱାଧିନ ସରକାର। ହେଲେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ନିଜର ଅଭିଭାଷଣ ରଖିଥିଲେ। ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ ହେବା ପରେ ହେମନ୍ତ ସୋରେନ ପ୍ରଥମ ଥର ପାଇଁ ନିଜର ଭାଷଣ ଦେଇଥିଲେ। ନିଜର ୨୩ ମିନିଟ ଭାଷଣରେ ହେମନ୍ତ ସୋରେନ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଛନ୍ତି ଯେ ସେମାନଙ୍କ ପାଖରେ କୌଣସି ମୂଲ୍ୟ ନ ଥିବାରୁ ମୁଁ ଲୁହ ଢାଳିବି ନାହିଁ। ଆମେ ମୁଣ୍ଡ ନୁଆଁଇ ଚାଲିବା ଶିଖିନଥିଲୁ। ସମୟ ଆସିଲେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଆଯିବ। ଦେଶରେ ଆଦିବାସୀ, ଦଳିତ, ପଛୁଆ ବର୍ଗ ଏବଂ ସଂଖ୍ୟଲଘୁଙ୍କୁ ନିର୍ଯାତନା ଦିଆଯାଉଛି। ସେମାନେ ଦେଶରେ ସୁରକ୍ଷିତ ନାହାଁନ୍ତି।
'ଜମି ଦୁର୍ନୀତି ମାମଲା ପ୍ରମାଣିତ ହେଲେ ରାଜନୀତି କ'ଣ ଝାଡ଼ଖଣ୍ଡ ମଧ୍ୟ ଛାଡି଼ ଦେବି'
ବିଧାନସଭାକୁ ସମ୍ବୋଧିତ କରି ହେମନ୍ତ ସୋରେନ କହିଛନ୍ତି ଯେ ସେମାନେ ଭାବୁଛନ୍ତି ଯେ କାହାକୁ ଜେଲ ପଠାଇ ନିଜ ଯୋଜନାରେ ସଫଳ ହୋଇଯିବେ। ହେଲେ ଏହା ଝାଡଖଣ୍ଡ। ଏହା ହେଉଛି ଦେଶର ଏପରି ଏକ ରାଜ୍ୟ ଯେଉଁଠି ଆଦିବାସୀ-ଦଳିତ ଶ୍ରେଣୀର ଅଗଣିତ ସୈନିକ ପ୍ରତ୍ୟେକ କୋଣରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଇଡି, ସିବିଆଇ, ଇନକମ ଟ୍ୟାକ୍ସ ଯାହାକୁ ସମ୍ବେଦନଶୀଳ ପ୍ରଣାଳୀ କୁହାଯାଏ। ଯେଉଁମାନେ କୋଟି କୋଟି ଟଙ୍କା ଲୁଟ କରିବା ପରେ ବିଦେଶ ପଳାୟନ କରିଛନ୍ତି ସେମାନଙ୍କର କିଛି କରିପାରୁ ନାହିଁ କେନ୍ଦ୍ରୀୟ ଏଜେନ୍ସି। ସେମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ଯଦି ଆପଣଙ୍କର ସାହସ ଅଛି ତାହେଲେ ପ୍ରମାଣ ଉପସ୍ଥାପନ କରନ୍ତୁ ଯେ ୮.୫ ଏକର ଜମି ମୋ ନାମରେ ରହିଛି। ଯଦି ମୋ ନାମରେ ଜମି ରହିଥିବାର ପ୍ରମାଣିତ ହୁଏ ତାହେଲେ ମୁଁ ରାଜନୀତି କ'ଣ ଝାଡ଼ଖଣ୍ଡ ମଧ୍ୟ ଛାଡି଼ ଦେବି।
ଆଦିବାସୀ ଦଳିତଙ୍କ ବିରୋଧରେ ହେଉଛି ଷଡଯନ୍ତ୍ର: ହେମନ୍ତ ସୋରେନ
ବିଧାନସଭାରେ ହେମନ୍ତ ସୋରେନ କହିଛନ୍ତି ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ସ୍ୱପ୍ନ ଭଙ୍ଗାଯାଉଛି। ଆଦିବାସୀ ଦଳିତଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ଅତ୍ୟାଚାରର ନୂଆ ରୂପ ଦେଖାଯାଉଛି। ଗତ ଜାନୁଆରୀ ୩୧ ତାରିଖରେ ଏହାର ଉଦାହରଣ ଦେଖିବାକୁ ମିଳିଲା। ବିରୋଧିଙ୍କୁ କାହିଁକି ଏତେ ଘୃଣା କରଯାଉଛି? ସେମାନେ ଏତେ ଶକ୍ତି କେଉଁଠୁ ମିଳୁଛି? ସେମାନେ ଲଜ୍ଜିତ ଅନୁଭବ କରନ୍ତି ନାହିଁ। କୁହାଯାଏ ଯେ ଆମେ ଜଙ୍ଗଲରେ ରହୁଥିଲୁ। ତେଣୁ ଆମେ ସେଠାରେ ରହିବା ଆବଶ୍ୟକ। ଯେତେବେଳେ ଆମେ ଜଙ୍ଗଲରୁ ବାହାରକୁ ଆସିଲୁ, ସେମାନଙ୍କ ପୋଷାକ ଅପରିଷ୍କାର ହେବାକୁ ଲାଗିଲା। ସେମାନେ ଚାହୁଁଛନ୍ତି ଯେ ଆମେ କେବଳ ଆମର ପୁରୁଣା ଜୀବନରେ ବଞ୍ଚି ରହୁ। ସେମାନଙ୍କ ଭିତରେ ଲୁଚି ରହିଥିବା ନିରାଶା ସେମାନଙ୍କ ବାସ୍ତବତାକୁ ଦର୍ଶାଇଛି।
ଗିରଫଦାରୀର କାହାଣୀ ବହୁତ ଯୋଜନାବଦ୍ଧ ଢଙ୍ଗରେ ଲେଖାଯାଇଛି: ହେମନ୍ତ ସୋରେନ
ଝାଡ଼ଖଣ୍ଡ ବିଧାନସଭାରେ ସମ୍ବୋଧିତ କରି ହେମନ୍ତ ସୋରେନ କହିଛନ୍ତି ଯେ ମୁଁ ଆଦିବାସୀ ସମ୍ପ୍ରଦାୟରୁ ଆସୁଛି। ନୀତି ନିୟମ ତଥା ଆଇନ କାନୁନର ଅଭାବ ଅଛି। ବୌଦ୍ଧିକ ଦକ୍ଷତା ସେପରି ନାହିଁ। ହେଲେ ସମସ୍ତେ ଠିକ୍ ଏବଂ ଭୁଲ୍ ବୁଝିପାରନ୍ତି। ମୋ ଗିରଫଦାରୀର କାହାଣୀ ବହୁତ ଯୋଜନାବଦ୍ଧ ଢଙ୍ଗରେ ଲେଖାଯାଇଥିଲା। ସେ ଆହୁରି କହିଛନ୍ତି ଯେ ଗତ ଜାନୁଆରୀ ୩୧ ତାରିଖର କଳା ରାତି ଦେଶ ସହିତ ଜଡିତ ଏକ ଅନ୍ଧକାର ଅଧ୍ୟାୟ। ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ମୁଁ ଭାବୁଛି ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି। ଏହି ଘଟଣାରେ ରାଜ ଭବନ କୌଣସି ପ୍ରକାରେ ଜଡିତ ରହିଛି।
ମୁଁ କାର ଚଳାଉଥିବାରୁ ସେମାନେ ଦୁଃଖିତ: ହେମନ୍ତ ସୋରନ
ହେମନ୍ତ ସୋରେନ କହିଛନ୍ତି ଯଦିଓ ମୁଁ ବିମାନରେ ଯାତ୍ରା କରୁଛି ତଥାପି ସେମାନଙ୍କର ସମସ୍ୟା ରହିଛି। ମୁଁ ବିଏମଡବ୍ଲୁ କାର ବ୍ୟବହାର କରୁଥିବାରୁ ସେମାନେ ଦୁଃଖିତ। ଆଇନ୍ ଭିତରେ ବେଆଇନ କାର୍ଯ୍ୟ କିପରି କରିବାକୁ ହୁଏ ତାହା ସେମାନଙ୍କ ଠାରୁ ଶିଖିବା ଆବଶ୍ୟକ। ଏହି ଲଢେଇ ବହୁତ ଲମ୍ବା ହେବ। ଝାଡଖଣ୍ଡ ଇତିହାସ ଆପଣଙ୍କୁ କଦାପି କ୍ଷମା କରିବ ନାହିଁ। ସେମନଙ୍କ ଆଚରଣ ଏବଂ ବିବୃତ୍ତିରୁ ମୋର ଏକ ଧାରଣା ରହିଥିଲା। ହେଲେ ମୁଁ ହାର ମାନି ନାହିଁ। ସେମାନେ ଅନୁଭବ କରୁଛନ୍ତି ଯେ ସେମାନେ ନିଜ ଯୋଜନାରେ ସଫଳ ହୋଇଯିବେ। ହେଲେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏବଂ ପ୍ରତ୍ୟେକ ଷଡଯନ୍ତ୍ରର ଜବାବ ଉପଯୁକ୍ତ ସମୟରେ ଦିଆଯିବ।