ବିଧାନସଭା ଶୀତ ଅଧିବେଶନ; ପୁଣି କଟିଲା ପ୍ରଶ୍ନକାଳ, ୨୦ ତାରିଖରେ ଅତିରିକ୍ତ ବଜେଟ ଉପସ୍ଥାପନ
Advertisement

ବିଧାନସଭା ଶୀତ ଅଧିବେଶନ; ପୁଣି କଟିଲା ପ୍ରଶ୍ନକାଳ, ୨୦ ତାରିଖରେ ଅତିରିକ୍ତ ବଜେଟ ଉପସ୍ଥାପନ

କୋରୋନା ଗାଇଡଲାଇନ ମାନି ବସିବ ବିଧାନସଭା ଅଧିବେଶନ। ମୌସୁମି ଅଧିବେଶନ ପରି ଏଥର ବି ରହିବ ନାହିଁ ପ୍ରଶ୍ନକାଳ।

ସର୍ବଦଳୀୟ ବୌଠକ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ମୌସୁମୀ ଅଧିବେଶନ ଭଳି ଏଥର ବି ସମାନ ଢଙ୍ଗରେ ହେବ ବିଧାନସଭାର ଶୀତ ଅଧିବେଶନ। ଏଥର ବି ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ସାଢ଼େ ଚାରି ଘଣ୍ଟା ହେବ ବିଧାନସଭା। ୨୦ ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। କୋଭିଡ ସ୍ଥିତିକୁ ଦେଖି ବିଧାୟକ ମାନଙ୍କର ବସିବା ସ୍ଥାନ ନିରୂପଣ କରାଯାଇଛି। ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ରହିପାରିବେ ବୋଲି ବାଚସ୍ପତି କହିଛନ୍ତି।

ପ୍ରଶ୍ନକାଳ ନ ରଖିବାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ। ପ୍ରଶ୍ନ ନ ନେଇ ଆଗରୁ ପ୍ରଶ୍ନକାଳ ବାତିଲ କହିବା ସମ୍ବିଧାନ ବିରୋଧୀ ଓ ବେଆଇନ୍ କାମ। ଆମେ ଏହାର ଦୃଢ ପ୍ରତିବାଦ କରୁଛୁ। ସେପଟେ ପ୍ରଦୀପ ନାୟକ କହିଛନ୍ତି , ବିଧାନସଭା ସାଢେ ୪ ଘଣ୍ଟା ଚାଲିବ କାହାକୁ କରୋନା ହେବ ନାହିଁ। ଆଉ ପ୍ରଶ୍ନକାଳ ପାଇଁ ଘଣ୍ଟାଏ ବଢିଗଲେ କ’ଣ କରୋନା ସଂକ୍ରମଣ ହୋଇଯିବ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। 

ଅନ୍ୟପକ୍ଷରେ ଶାସକ ଦଳର କହିବା କଥା, କୋରୋନା ପାଇଁ ପ୍ରଶ୍ନକାଳ ବାତିଲ କରାଯାଇଛି। ପ୍ରଶ୍ନକାଳ ରହିଲେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ମନ୍ତ୍ରୀମାନେ ବାରମ୍ବାର ବୈଠକ ନେବେ। ସେଥିପାଇଁ ଅସୁବିଧା ହେବ। କୋରୋନା ଟେଷ୍ଟ ପରେ ଯାହାର ନେଗେଟିଭ ଆସୁଛି ସେମାନେ ବିଧାନସଭା ଆସୁଛନ୍ତି। ତେଣୁ ଏହି ଅଧିକାରୀମାନଙ୍କୁ ବିଧାନସଭା ଆସିବାରେ ଅସୁବିଧା ହେବ। ସେଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି। 

ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେପି ପିଇବା ପାଣି ସମସ୍ୟା, ଡାକ୍ତର ଅଭାବ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛି। ତେବେ କଂଗ୍ରେସ ଧାନକିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ। ଅନ୍ୟପକ୍ଷରେ ବିରୋଧୀ ଦଳ ଯାହା ପ୍ରସଙ୍ଗ ଉଠାଇବେ ସେଥିରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ କହିଛି।