Parliament Attack Update: ଭିଜିଟର ଗ୍ୟାଲେରୀ ପାସ୍ ଉପରେ ଲାଗୁହେଲା ସାମୟିକ ପ୍ରତିବନ୍ଧକ
Advertisement
Article Detail0/zeeodisha/odisha2009101

Parliament Attack Update: ଭିଜିଟର ଗ୍ୟାଲେରୀ ପାସ୍ ଉପରେ ଲାଗୁହେଲା ସାମୟିକ ପ୍ରତିବନ୍ଧକ

Parliament Attack Latest Update: ସୁରକ୍ଷା ବ୍ୟବସ୍ଥା ଉଲଂଘନ ହେବା ଘଟଣାାରେ ଲୋକସଭାର ଭିଜିଟର ଗ୍ୟାଲେରୀ ପାସ୍ ଉପରେ ଲାଗୁ ହୋଇଛି ସାମୟିକ ପ୍ରତିବନ୍ଧକ।

Parliament Attack Update: ଭିଜିଟର ଗ୍ୟାଲେରୀ ପାସ୍ ଉପରେ ଲାଗୁହେଲା ସାମୟିକ ପ୍ରତିବନ୍ଧକ

Parliament Security Breach Latest Update: ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଛି ଉଲ୍ଲଂଘନ। ଗତ ୨୦୦୧ ମସିହାରେ ହୋଇଥିବା ସଂସଦ ଆକ୍ରମଣର ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି। ଡିସେମ୍ବର ୧୩ ତାରିଖ ବୁଧବାର ଗୃହକାର୍ଯ୍ୟ ଚାଲିଥିବା ସମୟରେ ୨ ଜଣ ଲୋକ ଭିଜିଟର ଗ୍ୟାଲେରୀ ଠାରୁ ଡେଇଁ ଗୃହ ପରିସରରେ ପ୍ରବେଶ କରିଥିଲେ। ସେମାନେ କୌଣସି ଏକ ପଦାର୍ଥ ଲୋକସଭା  ପରିସରରେ ଫିଙ୍ଗି ଦେଇଥିଲେ। ଯେଉଁ କାରଣରୁ ଗ୍ୟାସ ନିର୍ଗତ ହୋଇଥିଲା। ଯାହା ପରେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିଥିଲା। ଏହି ଘଟଣା ପରେ ତୁରନ୍ତ ଉଭୟଙ୍କୁ ଧରାଯାଇଥିଲା। ସଂସଦର ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ହେବା ଘଟଣାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ଅନ୍ୟପଟେ ଗୃହକାର୍ଯ୍ୟ ଗୁରୁବାର ସକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବୁଧବାର ଘଟିଥିବା ଅଘଟଣ ପରେ ସଂସଦର ସୁରକ୍ଷା ବ୍ୟବସ୍ଥା ଉପରେ  ସମୀକ୍ଷା କରାଯିବା ନେଇ କୁହାଯାଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ଏନେଇ ବାଚସ୍ପତି କହିଛନ୍ତି ଯେ ଲୋକସଭା ନିଜସ୍ୱ ସ୍ତରରେ ଏହାର ଅନୁସନ୍ଧାନ କରୁଛି। ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ଉଦ୍ଦେଶ୍ୟରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗୃହରେ ବ୍ୟାପିଥିବା ଧୂଆଁ ସ୍ୱାଭାବିକ ଏବଂ ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ଲୋକସଭା ବାଚସ୍ପତି ଅପରାହ୍ନ ଚାରିଟାଟାରେ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଭିଜିଟର ଗ୍ୟାଲେରୀ ପାସ୍ ଉପରେ ବର୍ତ୍ତମାନ ପାଇଁ ସାମୟିକ ଭାବରେ ପ୍ରତିବନ୍ଧକ ଲଗାଯାଇଛି।

ଗୃହ ପରିସରରେ ପ୍ରବେଶ କରିଥିବା ସେହି ୨ ଜଣ  ଲୋକଙ୍କୁ ଧରାଯାଇଛି। ସେମାନଙ୍କ ଠାରୁ ସେମାନଙ୍କର ସମସ୍ତ ସାମଗ୍ରୀ ଜବତ କରାଯାଇଛି। ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ଅନ୍ୟ ୨ ଜଣ ଲୋକଙ୍କୁ ମଧ୍ୟ ଧରାଯାଇଛି। ଗୃହରେ ଶୂନ କାଳ ଚାଲିଥିବା ସମୟରେ ମଧ୍ୟାନ୍ନ ପ୍ରାୟ ୧:୦୦ ସମୟରେ ଜଣ ବ୍ୟକ୍ତି ଭିଜିଟର ଗ୍ୟାଲେରୀ ଠାରୁ ଗୃହ ଭିତରକୁ ଡେଇଁ ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆଗକୁ ଦୌଡୁଥିଲେ। ଗୋଟିଏ ଟେବୁଲ ଠାରୁ ଅନ୍ୟ ଟେବୁଲ ଆଡ଼କୁ ଡେଇଁପଡିଥିଲେ। ସୁରକ୍ଷା କର୍ମୀ ଏବଂ କିଛି ସାଂସଦ ସେମାନଙ୍କୁ ଘେରି  ନେଇଥିଲେ। ପରେ ଉଭୟ ଧରାପଡିଥିଲେ। ପୀଠାସୀନ ଅଧ୍ୟକ୍ଷ ରାଜେନ୍ଦ୍ର ଅଗ୍ରୱାଲ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ଥଗିତ  ରହିଥିଲେ।

ଯେତେବେଳେ ମଧ୍ୟାନ୍ନ ୦୨:୦୦ ସମୟରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ଶୂନ୍ୟ କାଳ ସମୟରେ ଘଟିଥିବା ଘଟଣାରେ ଲୋକସଭା ପକ୍ଷରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି। ଏ ବାବଦରେ ଦିଲ୍ଲୀ ପୋଲିସ ଉଦ୍ଦେଶ୍ୟରେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଏହା ହେଉଛି ସାଧାରଣ ଧୂଆଁ। ଯାହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ସୁରକ୍ଷା ଅଭାବରୁ ଘଟିଥିବା ଏଭଳି ଘଟଣାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧରୀଙ୍କ ସହ ଅନ୍ୟ ସାଂସଦ ଉଦବେଗ ପ୍ରକାଶ କରିଛନ୍ତି। ଘଟଣା ଘଟିବା ସମୟରେ ଗୃହକାର୍ଯ୍ୟ ପରିଚାଳନା କରୁଥିବା ଅଧ୍ୟକ୍ଷ ଅଗ୍ରୱାଲ ପ୍ରତିକ୍ରୟା ରଖି କହିଛନ୍ତି ଯେ ଆମେ ଅନୁଭବ କଲୁ ଯେ ଜଣେ ବ୍ୟକ୍ତି ଖସି ପଡ଼ିଛନ୍ତି। ତାପରେ ମୁଁ ଦେଖିଲି ଜଣେ ବ୍ୟକ୍ତି ଡେଉଁଛନ୍ତି।  ତାପରେ ମୋ ମନକୁ ଆସିଲା ଯେ ଦୁହେଁ ନିଶ୍ଚୟ ଡେଇଁଥିବେ। ଜଣେ ବ୍ୟକ୍ତି ତାଙ୍କ ଜୋତାରୁ କିଛି ବାହାର କରି ଧୂଆଁ ବିସ୍ତାର କରିଥିଲେ। ପରେ ଉଭୟଙ୍କୁ ଧରାଯାଇଥିଲା। 

ସାଂସଦ ଦାନିଶ ଅଲି କହିଛନ୍ତି ଯେ ଯେତେବେଳେ ସେ ଜଣେ ବ୍ୟକ୍ତିଙ୍କ ପାସ୍ ବାହାର କରିଥିଲେ ସେତେବେଳେ ଜଣାପଡିଥିଲା ​​ଯେ ତାଙ୍କ ନାମ ହେଉଛି ସାଗର। ସେ ମହୀଶୂର ସାଂସଦ ପ୍ରତାପ ସିମ୍ହାଙ୍କ ଅତିଥି ଭାବରେ ଆସିଥିଲେ। ସୁରକ୍ଷା ଅଭାବରୁ ଏହା ଏକ ଗୁରୁତର ମାମଲା ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟି ସାଂସଦ ଏସ.ଟି ହାସନ କହିଛନ୍ତି ଯେ ଭିଜିଟର ଗ୍ୟାଲେରୀ ଠାରୁ ୨ ଜଣ ଲୋକ ଗୃହ ଭିତରକୁ ଡେଇଁପଡିଥିଲେ ଏବଂ ସେମାନଙ୍କ ଜୋତାରୁ କିଛି ବାହାର କରିଥିଲେ। ଯେଉଁଥିପାଇଁ ଗ୍ୟାସ ବ୍ୟାପି ଯାଇଥିଲା। ମୁଁ ଜାଣେ ନାହିଁ ଏହା କେଉଁ ପ୍ରକାରର ଗ୍ୟାସ ଥିଲା, ଏହା କୌଣସି ବିଷାକ୍ତ ଗ୍ୟାସ ଥିଲା ନାଁ ନାହିଁ। ସଂସଦର ସୁରକ୍ଷା କ୍ଷେତ୍ରରେ ଆମେ ବହୁତ ଗମ୍ଭୀର ତ୍ରୁଟି ଦେଖୁଛୁ। ଏହି ଉପାୟରେ କୌଣସି ବ୍ୟକ୍ତି ତାଙ୍କ ଜୋତାରେ ବୋମା ନେଇ ଆସିପାରନ୍ତି।

ବୁଧାବର ଘଟିଥିବା ଘଟଣାରେ ପ୍ରତିକ୍ରିୟା ରଖି ଆରଜେଡି ସାଂସଦ ମନୋଜ ସଂସଦରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ଫାଟକୁ ସରକାର ଗ୍ରହଣ କରିବା ଆବଶ୍ୟକ। ପରିଦର୍ଶକ ତଥା ସାମ୍ବାଦିକଙ୍କ ଗୃହରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ସୁରକ୍ଷା ବ୍ୟବସ୍ଥା ବଢାଯିବା ଆବଶ୍ୟକ।