Rajya Sabha Election 2022: ବିଜେପି ରଣନୀତିରେ ଫସିଗଲା କଂଗ୍ରେସ!
Advertisement
Article Detail0/zeeodisha/odisha1206046

Rajya Sabha Election 2022: ବିଜେପି ରଣନୀତିରେ ଫସିଗଲା କଂଗ୍ରେସ!

ଆସନ୍ତା ଜୁନ ୧୦ ତାରିଖରେ ଦେଶର ୧୫ ରାଜ୍ୟରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ।

Rajya Sabha Election 2022: ବିଜେପି ରଣନୀତିରେ ଫସିଗଲା କଂଗ୍ରେସ!

Rajya Sabha Election 2022: ରାଜ୍ୟସଭାରେ ଖାଲି ପଡୁଥିବା ୫୭ ଆସନ ଲାଗି ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ଦେଶର ୧୫ ରାଜ୍ୟରେ ଅନୁଷ୍ଠିତ ହେବ ଏହି ନିର୍ବାଚନ। ଯେହେତୁ ଏହି ନିର୍ବାଚନରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେଉଥିବା ଦଳୀୟ ବିଧାୟକ ମତଦାନ କରିଥାନ୍ତି, ଏହାକୁ ନଜରରେ ରଖି ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ବିଭିନ୍ନ ଦଳ। ଉତ୍ତର ପ୍ରଦେଶର ୧୧, ମହାରାଷ୍ଟ୍ରର ୬, ତାମିଲନାଡୁର ୬, ବିହାରର ୫, ଆନ୍ଧ୍ର ପ୍ରଦେଶର ୪, କର୍ଣ୍ଣାଟକର ୪, ରାଜସ୍ଥାନର ୪, ଓଡିଶାର ୩, ମଧ୍ୟ ପ୍ରଦେଶର ୩, ଝାଡଖଣ୍ଡର ୨, ଛତିଶଗଡର ୨, ତେଲେଙ୍ଗାନାର ୨, ହରିୟାଣାର ୨, ପଞ୍ଜାବର ୨, ଉତ୍ତରାଖଣ୍ଡର ଗୋଟିଏ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।

ହେଲେ ଉପରୋକ୍ତ ସମସ୍ତ ରାଜ୍ୟ ମଧ୍ୟରୁ ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ କଡା ଟକର ଦେଖିବାକୁ ମିଳିପାରେ। କାରଣ ଏହି ୪ ରାଜ୍ୟରେ ବିଜେପି ନିଶ୍ଚିତ ବିଜୟ ସିଟ୍ ଛାଡି ଅନ୍ୟ ଆସନରେ ଦଲୀୟ ପ୍ରାର୍ଥୀ ଛିଡା କରି କଂଗ୍ରେସ ପ୍ରାର୍ଥୀକୁ ଚ୍ୟାଲେଞ୍ଜ ଦେଇଛି। 

ଏହି ୪ ରାଜ୍ୟରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ ବାଜିମାତ କରିବା ଲାଗି ବିଜେପି କଳ ବଳ କୌଶଳ ଲଗାଇ ଦେଇଛି। ଦଳ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ବାଚନ ଦାୟିତ୍ୱ ପ୍ରଦାନ କରିଛି। କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଜସ୍ଥାନ, ଗଜେନ୍ଦ୍ର ସିଂହ ଶେଖୱାତ ହରିୟାଣା, ଜି.କିଶାନ ରେଡ୍ଡୀ କର୍ଣ୍ଣାଟକ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ମହାରାଷ୍ଟ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। 

ହରିୟାଣାରେ ଦୁଇଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଠାରେ ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନଦ୍ୱିତା ହେଉଛି। ନିର୍ବାଚନ ଜିତିବା ଲାଗି କୌଣସି ପ୍ରାର୍ଥୀଙ୍କୁ ୩୧ ବିଧାୟକଙ୍କ ସମର୍ଥକ ଅଛନ୍ତି। ରାଜ୍ୟ ବିଧାନସଭାରେ ଶାସକ ବିଜେପି ପାଖରେ ୪୧ ଜଣ ବିଧାୟକ ଅଛନ୍ତି। ଯାହା ଫଳରେ ରାଜ୍ୟସଭା ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀ କୃଷ୍ଣ ଲାଲ ପୱାଁରଙ୍କ ବିଜୟ ସୁନିଶ୍ଚିତ ହୋଇଯାଇଛି। ଅନ୍ୟପଟେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ପାଖରେ ୩୧ ବିଧାୟକ ଅଛନ୍ତି ଏବଂ ଏହାର ଦଲୀୟ ପ୍ରାର୍ଥୀ ଅଜୟ ମାକେନ୍ ମଧ୍ୟ ଜିତିବାର ସମ୍ଭାବନା ରହିଛି। ହେଲେ ଯଦି ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ୍ ଏପଟ ସେପଟ ହୋଇଯାଏ ତାହେଲେ ଏହାର ଫାଇଦା ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଜେଜେପି ସମର୍ଥନରେ ନିର୍ବାଚନ ଲଢୁଥିବା ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ଉଠାଇ ପାରନ୍ତି। ଦଳର ସମସ୍ତ ୧୦ ବିଧାୟକ କାର୍ତ୍ତିକେୟ ଶର୍ମାଙ୍କୁ ସମର୍ଥନ କରିବା ନେଇ ଜଣାଇଛି ଜେଜେପି।     

ମୋଟ ୨୦୦ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ୪ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟରେ କ୍ଷମତାସୀନ କଂଗ୍ରେସ ପାଖରେ ୧୦୮ ଏବଂ ବିରୋଧି ବିଜେପି ପାଖରେ ୭୧ ବିଧାୟକ ଅଛନ୍ତି। ଏଠାରୁ ରାଜ୍ୟସଭା ନିର୍ବାଚନ ଲଢୁଥିବା କୌଣସି ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସଂଖ୍ୟାବଳ ଆଧାରରେ ରାଜ୍ୟସଭାର ମୋଟ ୪ ଆସନ ମଧ୍ୟରୁ  କଂଗ୍ରେସ ୨ ଏବଂ ବିଜେପି ଗୋଟିଏ ଆସନ ଦଖଲ କରିପାରେ। ମାତ୍ର ଚତୁର୍ଥ ଆସନ ଲାଗି ଜୋରଦାର ମୁକାବିଲା ହୋଇପାରେ।    

ମୋଟ ୨୨୪ ବିଧାନସଭା ଆସନ ବିଶିଷ୍ଟ କର୍ଣ୍ଣାଟକରେ ୪ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟରେ କ୍ଷମତାସୀନ ବିଜେପି ପାଖରେ ୧୨୨ ଏବଂ ବିରୋଧି କଂଗ୍ରେସ ପାଖରେ ୭୦ ବିଧାୟକ ଅଛନ୍ତି। ଏଠାରୁ ରାଜ୍ୟସଭା ନିର୍ବାଚନ ଲଢୁଥିବା କୌଣସି ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସଂଖ୍ୟା ବଳ ଆଧାରରେ ବିଜେପି ୨ ଏବଂ କଂଗ୍ରେସ ଗୋଟିଏ ଆସନ ଦଖଲ କରିବ। 

ବିଜେପି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅଭିନେତା ଜଗେଶଙ୍କୁ ଜିତାଇବା ପରେ ଦଳ ପାଖରେ ୩୨ ବିଧାୟକଙ୍କ ଭୋଟ୍ ବଳକା ରହୁଛି। ଯାହା ଦଳର ତୃତୀୟ ପ୍ରାର୍ଥୀ ଲାହର ସିଂହଙ୍କୁ ମିଳିବ। ଦଳର ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିକୁ ୧୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଅନ୍ୟପଟେ କଂଗ୍ରେସ ପାଖରେ ୭୦ ବିଧାୟକ ଅଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପରେ ଦଳ ପାଖରେ ୨୫ ବିଧାୟକଙ୍କ ଭୋଟ୍ ବଳକା ରହୁଛି। ଦଳର ଦ୍ୱିତୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଂଗ୍ରେସକୁ ଆହୁରି ୨୦ ବିଧାୟକଙ୍କ ସମର୍ଥନ ଦରକାର।

ସେହିପରି ମୋଟ  ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ୬ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ଏଠାରୁ ରାଜ୍ୟସଭା ନିର୍ବାଚନ ଲଢୁଥିବା କୌଣସି ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ୪୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏହି ନିର୍ବାଚନରେ ବିଜେପି ପକ୍ଷରୁ ୩, ଶିବସେନା ପକ୍ଷରୁ ୨, ଉଭୟ କଂଗ୍ରେସ-ଏନସିପି ପକ୍ଷରୁ ଜଣେ ଲେଖାଁଏ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। 

ସଂଖ୍ୟା ବଳ ଆଧାରରେ ବିଜେପି ୨, ଶିବସେନା ୧, ଉଭୟ କଂଗ୍ରେସ-ଏନସିପି ଗୋଟିଏ ଲେଖାଁଏ ସିଟ୍ ଦଖଲ କରିପାରନ୍ତି। ତୃତୀୟ ପ୍ରାର୍ଥୀଙ୍କ ବିଜୟ ଲାଗି ବିଜେପିକୁ ୧୧ ଏବଂ ଦ୍ୱିତୀୟ ପ୍ରାର୍ଥୀଙ୍କ ବିଜୟ ଲାଗି ଶିବସେନାକୁ ୩୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 

ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଛିଡା କରିବାକୁ ନେଇ ଝାଡ଼ଖଣ୍ଡରେ କ୍ଷମତୀସୀନ ଜେଏମଏମ ଏବଂ ଏହାର ମେଣ୍ଟ ସହଯୋଗୀ କଂଗ୍ରେସ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ। ଏଠାରେ ରାଜ୍ୟସଭାର ୨ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ୨ ସିଟ୍ ମଧ୍ୟରୁ କଂଗ୍ରେସ ଗୋଟିଏ ଆସନରେ ପ୍ରାର୍ଥୀ ଛିଡା କରିବାକୁ ଚାହୁଁଛି। ଏନେଇ ଦଳ ଜେଏମଏମ ସମର୍ଥନ ଲୋଡୁଛି। ମୋଟ ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ୩୦ ବିଧାୟକ ଥିବା ଜେଏମଏମ ଏହି ନିର୍ବାଚନରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଛି। 

ରାଜ୍ୟର ଜଣେ କଂଗ୍ରେସ ବିଧାୟକ ବନ୍ଧୁ ତୀର୍କିଙ୍କ ସଦସ୍ୟତା ଶେଷ ହେବା ପରେ ବର୍ତ୍ତମାନ ରାଜ୍ୟ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ହେଉଛି ୮୦। ଏଠାରୁ ରାଜ୍ୟସଭା ନିର୍ବାଚନ ଲଢୁଥିବା କୌଣସି ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ୨୬.୬୭% ସମର୍ଥନ ଆବଶ୍ୟକ।

ମୋଟ ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ଶାସକ ମେଣ୍ଟରେ ସାମିଲ ଥିବା ଜେଏମଏମ ପାଖରେ ୩୦, ୧୭ କଂଗ୍ରେସ, ଜଣେ ଆରଜେଡି ବିଧାୟକ ଅଛନ୍ତି। ସେହିପରି ବିରୋଧି ବିଜେପି ୨୬ ଏବଂ ଅନ୍ୟ ଏକ ଦଳର ୨ ବିଧାୟକ ସମର୍ଥନ ରହିଛି। ସଂଖ୍ୟା ବଳ ଆଧାରରେ ଉଭୟ ଶାସକ-ବିରୋଧି ଗୋଟିଏ ଗୋଟିଏ ଲେଖାଁଏ ଆସନ ପରସ୍ପର ମଧ୍ୟରେ ବାଣ୍ଟିନେବେ। 

Also Read: Rajya Sabha Election 2022: କାହାର ସରୁଛି କାର୍ଯ୍ୟକାଳ? କିଏ କେଉଁଠୁ ଲଢୁଛନ୍ତି ନିର୍ବାଚନ?