ଏହି ସର୍ତ୍ତରେ କମବ୍ୟାକ୍ କରିବେ ପାଇଲଟ: ସୂତ୍ର
Advertisement

ଏହି ସର୍ତ୍ତରେ କମବ୍ୟାକ୍ କରିବେ ପାଇଲଟ: ସୂତ୍ର

ସଚିନ ପାଇଲଟ ରାଜସ୍ଥାନ ପିସିସିର ଅଧ୍ୟକ୍ଷ କିମ୍ବା ଉପମୁଖ୍ୟମନ୍ତ୍ରୀ ପଦରେ ଆଉ ରହିବାକୁ ଚାହୁଁନାହାଁନ୍ତି । ସୂତ୍ର ଅନୁସାରେ, ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦରକାର ।

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜସ୍ଥାନ ସରକାରରେ ସଙ୍କଟ । ଦିନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିବା ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ମନେଇ ଦେଇଥିଲା କଂଗ୍ରେସ । ପାଇଲଟ ବି ମାନିଯାଇଥିଲା ଦଳର ନିଷ୍ପତ୍ତିକୁ । ହେଲେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ କାମ କରିବା ଯେ ସମ୍ଭବ ନୁହେଁ, ପାଇଲଟ ଏବେ ବୁଝିଗଲେଣି ! ତେଣୁ ନିଜ ସମର୍ଥକଙ୍କ ସହ ନିଜ ଜିଦରେ ଅଡ଼ି ବସିଛନ୍ତି । ଅବୁଝା ପାଇଲଟଙ୍କୁ ଏବେ ବୁଝାଇବା ମୁସକିଲ । ସେପଟେ ନ ବୁଝାଇଲେ ଚରମ ନିଷ୍ପତ୍ତି ନେଇପାରନ୍ତି ଏହି ଯୁବନେତା । 
 
ଗତକାଲି ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ରହିଥିଲେ ପାଇଲଟ । ଆଉ ଆଜି ବି ବୈଠକ ଆରମ୍ଭ ହୋଇଗଲାଣି । ହେଲେ ପାଇଲଟ ବୈଠକକୁ ଯାଇନଥିବା ଖବର ଆସୁଛି । କେବଳ ସଚିନ ପାଇଲଟ ନୁହଁନ୍ତି, ତାଙ୍କ ସମର୍ଥକ ବିଧାୟକ ମଧ୍ୟ ଅନୁପସ୍ଥିତ ଅଛନ୍ତି । ତେବେ ସୂତ୍ର ଅନୁସାରେ, ପାଇଲଟ ଗୋଟିଏ ହିଁ ଜିଦରେ ଅଡ଼ି ବସିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ପଦ ବ୍ୟତୀତ ଫେରିବେନି ପାଇଲଟ୍ । 

ସଚିନ ପାଇଲଟ ରାଜସ୍ଥାନ ପିସିସିର ଅଧ୍ୟକ୍ଷ କିମ୍ବା ଉପମୁଖ୍ୟମନ୍ତ୍ରୀ ପଦରେ ଆଉ ରହିବାକୁ ଚାହୁଁନାହାଁନ୍ତି । ସୂତ୍ର ଅନୁସାରେ, ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦରକାର । ତାଙ୍କୁ ବୁଝାଇବା ଦାୟିତ୍ୱରେ ଥିବା ନେତାଙ୍କ ସାମ୍ନାରେ ସେ ଏହି ସର୍ତ୍ତ ସେ ରଖିଛନ୍ତି । 

ସେପଟେ ପାଇଲଟଙ୍କୁ ବୁଝାଇବା ପାଇଁ ପ୍ରୟାସ ଜାରିରହିଛି । ସୂତ୍ର ଅନୁସାରେ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସଚିନଙ୍କୁ ଫୋନ କରୁଛନ୍ତି । ହେଲେ ସଚିନ ପାଇଲଟ କୌଣସି ଜବାବ ଦେଉନଥିବା ଜଣାପଡ଼ିଛି । ଏବେ ପାଇଲଟଙ୍କ ପାଖକୁ ବଡ଼ ବଡ଼ ନମ୍ବରରୁ ଖାଲି ଫୋନ୍ ଆସୁଛି । ରାହୁଲ ଗାନ୍ଧୀ ଥରେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୪ଥର, ଚିଦାମ୍ବରମ ୬ ଥର, ଅହମ୍ମଦ ପଟେଲ ୧୫ ଥର ଏବଂ କେସି ବେଣୁଗୋପାଳ ୩ ଥର ଫୋନ କଲେଣି(ସୂତ୍ର) । ସମସ୍ତେ ପାଇଲଟଙ୍କୁ ବୁଝାଇବାକୁ ଚାହୁଁଛନ୍ତି । କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଯାହା ହେଲା, ତାହା ଯେ ରାଜସ୍ଥାନରେ ବି ହୋଇଯିବ, କଂଗ୍ରେସ ନେତୃବୃନ୍ଦଙ୍କୁ ସେଇ ଡର ଏବେ ରାତି ଶୁଆଇଦେଉନି । ହେଲେ ପାଇଲଟ ଫୋନ ଉଠାଉନାହାଁନ୍ତି । ଗୋଟିଏ ହିଁ ସର୍ତ୍ତ, ମୁଖ୍ୟମନ୍ତ୍ରୀ ଆସନ !