New CM: ନାମକୁ ନେଇ ଜାରି ରହିଛି ଛକାପଞ୍ଝା, କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ?
Advertisement

New CM: ନାମକୁ ନେଇ ଜାରି ରହିଛି ଛକାପଞ୍ଝା, କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ?

Suspense On CM Name: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳ ଘୋଷଣା ହୋଇସାରିବା ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ କୁହାଯାଉଛି ଏଥର ଜଣେ ମହିଳା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ।

New CM: ନାମକୁ ନେଇ ଜାରି ରହିଛି ଛକାପଞ୍ଝା, କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ?

Suspense On CM Name in Tripura: ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସରକାର ଗଠନ କରିବାକୁ ଅଣ୍ଟାଭିଡ଼ିଛି ବିଜେପି। ଆସନ୍ତା ୮ ତାରିଖରେ ଶପଥ ଗ୍ରହଣ ସମାରୋହ ମଧ୍ୟ ସ୍ଥିର କରାଯାଇଛି। ଫଳାଫଳ ଘୋଷଣା ହେବାକୁ ୫ ଦିନ ଅତିକ୍ରମ କରିଯାଇଛି, ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଘୋଷଣା କରାଯାଇ ନାହିଁ। ଗତ ୨ ତାରିଖରେ ପ୍ରକାଶ ପାଇଥିଲା ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ। ଏହାର ପର ଦିନ ଅର୍ଥାତ ମାର୍ଚ୍ଚ ୩ ତାରିଖରେ ମୁଖ୍ୟମନ୍ତ୍ରୀ ମାଣିକ ସାହା ତ୍ରିପୁରା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି। 

ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳ ଘୋଷଣା ହୋଇସାରିବା ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ କୁହାଯାଉଛି ଏଥର ଜଣେ ମହିଳା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମ ତ୍ରିପୁରା ଲୋକସଭା ଆସନର ସାଂସଦ ପ୍ରତିମା ଭୌମିକ୍ ରାଜ୍ୟର ଧାନପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଯେଉଁ ଆସନରୁ ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ବିଧାନସଭା ପ୍ରତିନିଧିତ୍ୱ କରୁଥିଲେ। ସେବେଠାରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିମା ଭୌମିକଙ୍କ ନାମକୁ ଆଲୋଚନା ଆରମ୍ଭ ହୋଇଯାଇଛି। କାରଣ ତ୍ରିପୁରା ରାଜନୀତିରେ ସବୁଠାରୁ ମଜବୁତ ବାମ ଗଡ଼ କୁହାଯାଉଥିବା ଧାନପୁର ବିଧାନସଭା ଆସନରେ ନିଜର ତୃତୀୟ ପ୍ରୟାସରେ ଦଳର ବିଜୟ ବାନା ଉଡ଼ାଇବାରେ ସକ୍ଷମ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ୍। 

ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୫ ଦିନ ପରେ ମଧ୍ୟ ତ୍ରିପୁରାରେ ବିଜେପି କାହିଁକି ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ତ୍ରିପୁରା ବିଧାନସଭାରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ମାତ୍ର ପୂର୍ବ ଥରର ସରକାରରେ ଉପମୁଖ୍ୟମନ୍ତ୍ରୀ ରହିଥିବା ବିଜେପି ନେତା ଜିଷ୍ଣୁ ଦେବ ବର୍ମା ଏହି ନିର୍ବାଚନରେ ପରାସ୍ତ ହୋଇଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟିପ୍ରା ମୋଥା ଦଳର ସୁବୋଧ ଦେବ ବର୍ମାଙ୍କ ଦ୍ୱାରା ପରାସ୍ତ ହୋଇଛନ୍ତି ଶକ୍ତିଶାଳୀ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମା। ବିଧାନସଭା ନିର୍ବାଚନରେ ଉପମୁଖ୍ୟମନ୍ତ୍ରୀଙ୍କ ପରାଜୟ କାରଣରୁ ତ୍ରିପୁରାରେ ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ଚୟନ କରିବାର ଚ୍ୟାଲେଞ୍ଜ ମଧ୍ୟ ବିଜେପି ସାମ୍ନାରେ ରହିଛି।

ରାଜ୍ୟର ଟାଉନ୍ ବରୋଡବଲି ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବର ଘନିଷ୍ଠ ସହଯୋଗୀ ସାହାଙ୍କ ନେତୃତ୍ୱରେ ବିଜେପି ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଗତ ବର୍ଷ ଯେତେବେଳେ ବିପ୍ଲବ ଦେବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା, ସେତେବେଳେ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା ଯେ ଏଥର ବିଜେପି କେନ୍ଦ୍ରୀୟ ନେତୃତ୍ୱ ତ୍ରିପୁରାରେ ନେତୃତ୍ୱ ପରିବର୍ତ୍ତନ କରିପାରନ୍ତି। ହେଲେ ବିଜେପି ସୂତ୍ରରୁ ପ୍ରକାଶ ଯେ ମାଣିକ ସାହା ଦଳ ପାଇଁ ଆଦିବାସୀ ମତଦାତାଙ୍କ ମଧ୍ୟରେ ଉପସ୍ଥିତି ମଜବୁତ କରିପାରିବେ। ଯାହା ଟିପ୍ରା ମୋଥା ପାର୍ଟି ଗଠନ ପରେ ବହୁତ ଗୁରୁତ୍ୱପୂର୍ଣ୍ଣ ମନେହୁଏ।

ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ରାଜନୀତିକୁ ନେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ପୂର୍ବରୁ ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି। ୨୦୨୧ ଆସାମ ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ସର୍ବାନନ୍ଦ ସୋନୋୱାଲଙ୍କ ସ୍ଥାନରେ ବିଜେପି ଆଶ୍ଚର୍ଯ୍ୟଜନକ ଭାବେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା। ଦେଶର ଉତ୍ତର-ପୂର୍ବ ରାଜ୍ୟର ରାଜନୀତିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବେଶ ଭଲ ପ୍ରଭାବ ରହିଛି। ଯେଉଁ କାରଣରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ନାମକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିପାରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ। ତ୍ରିପୁରା ମୁଖ୍ୟମନ୍ତ୍ରୀ ଦୌଡରେ ମାଣିକ ସାହା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ନାଁ
ଚର୍ଚ୍ଚାରେ ରହିଛି। ଏହି ଦୌଡ଼ରେ କିଏ ମାରିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।