ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ସମସ୍ତ ରାଜନୈତିକ ଦଳ। ଜନସମର୍ଥନ ହାତେଇବା ଲାଗି ବିଭିନ୍ନ ଦଳର ନେତା ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟରେ କ୍ଷମତାସୀନ ବିଜେପି ଠାରୁ ଆରମ୍ଭ କରି ବିରୋଧି ଏସପି-ବିଏସପି ସହ କଂଗ୍ରେସ ଏବଂ ରାଜ୍ୟର ଅନ୍ୟ ଛୋଟ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛନ୍ତି। 
 
ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ କିପରି ପ୍ରସ୍ତୁତି ହେଉଛି ସେ ନେଇ ଜଣାଇଛନ୍ତି ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ। ଏନେଇ ସେ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଦଳ ଏଥର ନିର୍ବାଚନ ଲଢିବ। ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟର ଅଯୋଧ୍ୟା ବିଧାନସଭା ଆସନକୁ ନିର୍ବାଚନ ଲଢିବେ ନା ନାହିଁ ଏନେଇ ଉଠୁଥିବା ପ୍ରଶ୍ନର ଉତ୍ତର ରଖି ୟୁପି ବିଜେପି ସଭାପତି କହିଛନ୍ତି ଏନେଇ ନିଷ୍ପତ୍ତି ନିଜେ ମୁଖ୍ୟମନ୍ତ୍ରୀ ନେବେ।  


COMMERCIAL BREAK
SCROLL TO CONTINUE READING

ଏଥର ଅଯୋଧ୍ୟା ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବର୍ତ୍ତମାନର ଅଯୋଧ୍ୟା ବିଧାୟକ ବେଦ ପ୍ରକାଶ ଗୁପ୍ତା କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି ତାହେଲେ ଏହା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ହେବ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେ ନିଜ ଆସନ ଛାଡିଦେବେ ବୋଲି କହିଛନ୍ତି।


ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନର ବିଧାୟକଙ୍କ ଟିକେଟ କଟାଯିବା ପ୍ରସଙ୍ଗରେ ମତ ରଖି  ୟୁପି ବିଜେପି ସଭାପତି କହିଛନ୍ତି ବର୍ତ୍ତମାନ ଏନେଇ କୌଣସି ନିଷ୍ପତ୍ତି ନିଆଯିବାର ନାହିଁ। ଦଳୀୟ ବିଧାୟକଙ୍କ ଲୋକପ୍ରିୟତା ବହୁତ ଅଧିକ। ଆଗାମୀ ନିର୍ବାଚନ ପାଇଁ ସେମାନଙ୍କ ଟିକେଟ୍ କାଟିବାର ପ୍ରଶ୍ନ ଉଠୁନାହିଁ। ଆଗାମୀ ନିର୍ବାଚନରେ ଦଳର ବରିଷ୍ଠ ନେତା ​​ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଦଳୀୟ ସଂସଦୀୟ ବୋର୍ଡ ଏହା ଉପରେ ବିଚାର କରିବ। 


Also Read: UP Election 2022: ଜାଣନ୍ତୁ କିଏ ହେବ BJP ମେଣ୍ଟ ସହଯୋଗୀ


ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶାସକ ଦଳ ବିଜେପି ଟିକେଟ୍ ବଣ୍ଟନ ସୂତ୍ର ପ୍ରସ୍ତୁତ କରିଛି। ଦଳ ସହ ଜଡିତ ସୂତ୍ର ଅନୁଯାୟୀ ଏହି ନିର୍ବାଚନରେ ​​ଅଧାରୁ ଅଧିକ ବିଧାୟକଙ୍କ ଟିକେଟ କଟାଯାଇପାରେ। ବିଧାୟକ ଭାବେ ନିର୍ବାଚିତ ହେବାର ପୂରା ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦଳୀୟ ସଙ୍ଗଠନ ଏବଂ ସରକାରଙ୍କ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରୁନଥିବା ବିଧାୟକଙ୍କ ଟିକେଟ୍ କଟିପାରେ।


ଏହା ସହିତ ଦଳ ତଥା ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ଅନିୟନ୍ତ୍ରିତ ବୟାନବାଜି କରୁଥିବା ବିଧାୟକଙ୍କୁ ଏଥର ଟିକେଟ ମିଳିନପାରେ। ଟିକେଟ୍ ବଣ୍ଟନରେ ବୟସ ମଧ୍ୟ ଏକ ମାନଦଣ୍ଡ ହେବ ଏବଂ ୭୦ ବର୍ଷ ଅତିକ୍ରମ କରିଥିବା ଦଳୀୟ ନେତାଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିକେଟ ଦିଆଯିବ ନାହିଁ। ଏହା ବ୍ୟତୀତ ଗୁରୁତର ରୋଗରେ ପୀଡିତ ବିଧାୟକଙ୍କ ଟିକେଟ୍ ମଧ୍ୟ କଟାଯିବ। ଦଳ ବିଶ୍ୱାସ ଯେ ଦଳର ଯେଉଁ ବିଧାୟକଙ୍କ ଉପରେ ସ୍ଥାନୀୟ ଜନସାଧାରଣ କିମ୍ବା ଭୋଟର ତଥା ଦଳୀୟ ସଙ୍ଗଠନର ଅସନ୍ତୋଷ ରହିଛି ସେମାନଙ୍କ ବଦଳରେ ଅନ୍ୟ ଜଣେ ନୂତନ ଚେହେରାକୁ ସୁଯୋଗ ଦେବା ଲାଭଦାୟକ ହେବ।


ଏଥି ସହିତ ଦଳରେ ରହି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଅଭିଯୋଗର ସମ୍ମୁଖୀନ ହେଉଥିବା ବିଧାୟକଙ୍କୁ ଟିକେଟ୍ ଦେବାରୁ ଦଳ ଦୂରେଇ ରହିବ। ଯଦି ଏହାକୁ ବିଶ୍ୱାସ କରାଯାଏ ତାହେଲେ ପ୍ରାର୍ଥୀ ଚୟନ ପାଇଁ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଦ୍ୱାରା ଏକ ସର୍ଭେ କରାଯାଉଛି। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ନିର୍ବାଚନ ସମ୍ପର୍କିତ ମତାମତ ନେଉଛନ୍ତି।


ଆସନ୍ତା ନିର୍ବାଚନରେ ଦଳ ରାଜ୍ୟର ମୋଟ ୪୦୩ ଆସନର ମୋଟ ୫୦ ପ୍ରତିଶତରୁ ଅଧିକ ଅର୍ଥାତ ପ୍ରାୟ ୩୫୦ ଆସନରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ଏହି ଲକ୍ଷ୍ୟ ପୂରଣ କରିବାକୁ ଦଳ ବେଶ ସତର୍କତାର ସହ ପ୍ରାର୍ଥୀ ଚୟନ କରିବା ଉପରେ ବିଚାର କରୁଛି। ଦଳ ଏଥର ମଧ୍ୟ ସେହି ଆସନ ଉପରେ ଅଧିକ ଗୁରୁତ୍ୱ ଦେଉଛି ଯେଉଁଠାରେ ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀୀ ​​ପରାସ୍ତ ହୋଇଥିଲେ। ପ୍ରାର୍ଥୀ ଚୟନରେ ସେମାନଙ୍କ ଭାବମୂର୍ତ୍ତି, ଯୋଗ୍ୟତା, ଜାତି ସମୀକରଣ ମୁଖ୍ୟ ମାନଦଣ୍ଡ ହେବ। 


Also Read: ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ଏହି ନେତାଙ୍କୁ ବିଧାନ ପରିଷଦ ପଠାଇଲା BJP


ବିଧାନସଭା ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଚୟନ କରିବା ପାଇଁ ବିଜେପି ପକ୍ଷରୁ ଜିଲ୍ଲା ସଙ୍ଗଠନ ଅଧିନରେ ଥିବା ନିର୍ବାଚନମଣ୍ଡଳୀରୁ ତିନୋଟି ନାମର ଏକ ପ୍ୟାନେଲ ମଗାଯାଇଛି। ପ୍ରତ୍ୟେକ କ୍ଷେତ୍ରରୁ ୩ଟି ନାମର ଏକ ପ୍ୟାନେଲ୍ ଖୋଜାଯାଉଛି। ପ୍ରତ୍ୟେକ ଆସନ ପାଇଁ ୨-୩ ପ୍ରାର୍ଥୀଙ୍କ ଲୋକପ୍ରିୟତା ଅନୁସାରେ ଦଳୀୟ ସଂସଦୀୟ ବୋର୍ଡ ସମ୍ମୁଖରେ ରଖାଯିବ।


ନିର୍ବାଚନ ପାଖେଇ ଆସୁଥିବାରୁ ଅଭିନନ୍ଦନ ବାର୍ତ୍ତା ମାଧ୍ୟମରେ ଦଳୀୟ ଟିକେଟ ପାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଆଶାୟୀ ପ୍ରାର୍ଥୀ। ଏନେଇ ପ୍ରାର୍ଥୀଙ୍କ ପକ୍ଷରୁ ରାସ୍ତାଘାଟ ହାଟ ବଜାର ଭଳି ସ୍ଥାନରେ ଅଭିନନ୍ଦନ ବାର୍ତ୍ତା ସମ୍ପର୍କିତ ବ୍ୟାନର ପୋଷ୍ଟର ଲଗାଯାଇଛି। ଟିକେଟ୍ ବଣ୍ଟନକୁ ନେଇ ବିଜେପି ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦଳୀୟ ସଙ୍ଗଠନରେ କାର୍ଯ୍ୟ କରୁଥିବା ପଦାଧିକାରୀଙ୍କୁ  ଟିକେଟ୍ ପାଇବେ ନାହିଁ। ଯଦି ସେ ଟିକେଟ ପାଇବା ପାଇବାକୁ ଚାହୁଁଥାନ୍ତି ତାହେଲେ ତାଙ୍କୁ ସାଙ୍ଗଠନିକ ପଦବୀ ଛାଡିବାକୁ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ନିଜ ନିଜ ନିର୍ବାଚନମଣ୍ଡଳୀରେ ହୋର୍ଡିଂ ବ୍ୟାନର ଲଗାଇ ପ୍ରାର୍ଥୀପତ୍ର ଦାବି ନକରିବାକୁ ଦଳୀୟ ସଙ୍ଗଠନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ଚେତାବନୀ ଦେଇଛନ୍ତି।


ଚଳିତ ବର୍ଷ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଯେଉଁ ବିଧାୟକଙ୍କ ପ୍ରଦର୍ଶନ ଖରାପ ହୋଇଛି ସେମାନଙ୍କୁ ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିକେଟ ଦେବା ନଦେବା ପ୍ରସଙ୍ଗରେ ଦଳ ପକ୍ଷରୁ ବିଚାର କରାଯିବ।   


Also Read: UP Poll 2022 ପୂର୍ବରୁ BJP ର Social Engineering; କ୍ୟାବିନେଟରେ ସାମିଲ ହେଲେ ୭ ନୂଆ ଚେହେରା


ଦଳ ସହ ଜଡିତ ସୂତ୍ରରୁ ଜଣାପଡିଛି ଯେଉଁ ବିଧାୟକଙ୍କ ନିର୍ବାଚନମଣ୍ଡଳୀରେ ଦଳ ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଛି ସେମାନଙ୍କ ଟିକେଟ୍ ଆସନ୍ତା ନିର୍ବାଚନ ପାଇଁ କଟାଯାଇପାରେ। ଏହା ବ୍ୟତୀତ ଦଳ ଟିକେଟ୍ ବଣ୍ଟନ ପାଇଁ ଆଧାର ଭାବେ ବିଧାୟକଙ୍କ କାର୍ଯ୍ୟଦକ୍ଷତା ଉପରେ ଆଭ୍ୟନ୍ତରୀଣ ସର୍ଭେ କରିବ। କାରଣ ଅନେକ ଥର ଲୋକେ ଯଦିଓ କୌଣସି ଦଳର ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଖୁସି ଅଛନ୍ତି ହେଲେ ସେମାନେ ନିଜ ଅଞ୍ଚଳର ସେହି ଦଳର ବିଧାୟକଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଦଳ ଟିକେଟ୍ ବଣ୍ଟନ ପୂର୍ବରୁ ଏକ ସର୍ଭେ କରିବ ଏବଂ ଏଥିରୁ ମିଳିଥିବା ଫଳାଫଳ ଅନୁଯାୟୀ ଟିକେଟ୍ ବଣ୍ଟନ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବ।