ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଘୋଷାଣା ହୋଇସାରିଛି ଫଳାଫଳ। ରାଜ୍ୟର ମୋଟ ୪୦୩ ସିଟ୍ ମଧ୍ୟରୁ ବିଜେପି ମେଣ୍ଟ ୨୭୩ ଏବଂ ସମାଜବାଦୀ ମେଣ୍ଟ ୧୨୫ ଆସନ ପାଇଛି। ଉଭୟ ମେଣ୍ଟ ୩୯୮ ଆସନ ଦଖଲ କରିଛନ୍ତି। ଏହାକୁ ଛାଡ଼ି ରାଜ୍ୟରେ ଏପରି ୫ ଆସନ ରହିଛି ଯେଉଁଠି ବିଜେପି କିମ୍ବା ସମାଜବାଦୀ ମେଣ୍ଟରେ ସାମିଲ ଥିବା କୌଣସି ଦଳର ପ୍ରାର୍ଥୀ ଏଠାରେ ବାଜିମାତ କରିବାକୁ ସକ୍ଷମ ହୋଇନାହାଁନ୍ତି।
ଏହି ୫ ସିଟ୍ ମଧ୍ୟରୁ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP) ୧, କଂଗ୍ରେସ (Congress) ୨ ଏବଂ ଜନସତ୍ତା ଦଳ ଲୋକତାନ୍ତ୍ରିକ (Jansatta Dal Loktantrik) ୨ ଆସନ ଦଖଲ କରିଛି। ଏହି ୫ ଆସନ ହେଉଛି ରସଡା, ଫରେନ୍ଦା, ରାମପୁର ଖାସ, କୁଣ୍ଡା ଏବଂ ବାବାଗଞ୍ଜ।
୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇଲେ କେତେ ଆସନ?
- ବିଜେପି:୨୫୫
- ସମାଜବାଦୀ ପାର୍ଟି:୧୧୧
- ଅପନା ଦଳ ସୋନଲାଲ:୧୨
- ରାଷ୍ଟ୍ରୀୟ ଲୋକ ଦଳ: ୮
- ନିଷାଦ ପାର୍ଟି: ୬
- ସୁହଲଦେବ ଭାରତୀୟ ସମାଜ ପାର୍ଟି:୬
- କଂଗ୍ରେସ:୨
- ଜନସତ୍ତା ଦଳ ଲୋକତାନ୍ତ୍ରିକ:୨
- ବିଏସପି:୧
ସେହି ୫ ଆସନ ରହିଛି ଯେଉଁଠି ବିଜେପି କିମ୍ବା ସମାଜବାଦୀ ମେଣ୍ଟରେ ସାମିଲ ଥିବା କୌଣସି ଦଳର ପ୍ରାର୍ଥୀ ଏଠାରେ ବାଜିମାତ ସକ୍ଷମ ହୋଇନାହାଁନ୍ତି।
- ରସଡା: ବଲିୟା ଜିଲ୍ଲାରେ ଅବସ୍ଥିତ ରସଡା ଆସନରୁ ନିର୍ବାଚିତ ହୋଇଥିବା ଏକମାତ୍ର ବିଏସସି ପ୍ରାର୍ଥୀ ହେଉଛନ୍ତି ଉମାଶଙ୍କର ସିଂହ। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ପ୍ରାର୍ଥୀ ମହେନ୍ଦ୍ର ଚୌହାନଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
- ଫରେନ୍ଦା: ମହାରାଜଗଞ୍ଜ ଜିଲ୍ଲାରେ ଅବସ୍ଥିତ ଫରେନ୍ଦା ଆସନରୁ ନିର୍ବାଚିତ ହୋଇଥିବା ଏକମାତ୍ର ପୁରୁଷ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ବୀରେନ୍ଦ୍ର ଚୌଧୁରୀ। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବଜରଙ୍ଗ ବାହାଦୂର ସିଂହଙ୍କୁ ୧୦୮୭ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
- ରାମପୁର ଖାସ: ପ୍ରତାପଗଡ଼ ଜିଲ୍ଲାରେ ଅବସ୍ଥିତ ରାମପୁର ଖାସ ଆସନରୁ ଆସନରୁ ନିର୍ବାଚିତ ହୋଇଥିବା ଏକମାତ୍ର ମହିଳା କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଆରାଧନା ମିଶ୍ରା ଓର୍ଫ ମୋନା। ଗତ ୨୦୧୪ ଉପନିର୍ବାଚନରେ ପ୍ରଥମେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ମୋନା। ଏହା ପରେ ସେ ଏଠାରୁ ୨୦୧୭ ଏବଂ ୨୦୨୨ ନିର୍ବାଚନରେ ବାଜିମାତ କରିଛନ୍ତି।
- କୁଣ୍ଡା: ପ୍ରତାପଗଡ଼ ଜିଲ୍ଲାର କୁଣ୍ଡା ଆସନରୁ ଲଗାତାର ଭାବେ ଅଷ୍ଟମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ରାଜା ଭୈୟା ନାମରେ ଜଣାଶୁଣା ବାହୁବଳୀ ରାଜନେତା ରଘୁରାଜ ପ୍ରତାପ ସିଂହ। ସାଧାରଣତ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜା ଭୈୟା ଏଥର ନିର୍ବାଚନ ପୂର୍ବରୁ ଜନସତ୍ତା ପାର୍ଟି ଲୋକତାନ୍ତ୍ରିକ ନାମରେ ଏକ ଦଳ ଗଠନ କରି ଏହି ଦଳର ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ଗତ ୧୯୯୩ ମସିହାରୁ ରାଜା ଭୈୟା କୁଣ୍ଡା ଆସନରୁ ନିର୍ବାଚିତ ହୋଇଆସୁଛନ୍ତି।
- ବାବାଗଞ୍ଜ: ପ୍ରତାପଗଡ଼ ଜିଲ୍ଲାର ବାବାଗଞ୍ଜ ଆସନରୁ ଲଗାତାର ଭାବେ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଜନସତ୍ତା ପାର୍ଟି ଲୋକତାନ୍ତ୍ରିକ ବିଧାୟକ ପ୍ରାର୍ଥୀ ବିନୋଦ ସରୋଜ। ପ୍ରଥମେ ୨୦୧୨ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ। ଏହି ଆସନରୁ ରାଜା ଭୈୟାଙ୍କ ସମର୍ଥିତ ପ୍ରାର୍ଥୀ ୧୯୯୩ ମସିହାରୁ ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି।