Elections in 2023: ୯ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ସେମିଫାଇନାଲ ଖେଳିବେ ସବୁ ଦଳ
Advertisement
Article Detail0/zeeodisha/odisha1510671

Elections in 2023: ୯ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ସେମିଫାଇନାଲ ଖେଳିବେ ସବୁ ଦଳ

Assembly Poll 2023: ଚଳିତ ବର୍ଷ ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ହିନ୍ଦୀ ଭାଷାଭାଷୀ ରାଜ୍ୟ ସହ ଦକ୍ଷିଣ ଭାରତକୁ ମିଶାଇ ମୋଟ ୯ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଦେଶର ପ୍ରାୟ ସମସ୍ତ ରାଜନୈତିକ ଦଳ ଲାଗି ଏକ ସେମି ଫାଇନାଲ ମ୍ୟାଚ ସଦୃଶ୍ୟ ହୋଇଛି।

Elections in 2023: ୯ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ସେମିଫାଇନାଲ ଖେଳିବେ ସବୁ ଦଳ

Assembly Elections in 2023: ଆରମ୍ଭ ହୋଇସାରିଛି ନୂଆ ବର୍ଷ ୨୦୨୩। ହେଲେ ଚଳିତ ବର୍ଷ ଦେଶର ରାଜନୈତିକ ମାହୋଲ ସଗଗରମ ରହିପାରେ। ଆଉ କାରଣ ହେଉଛି ଚଳିତ ବର୍ଷ ଦେଶର ୯ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ। ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ରାଜ୍ୟରେ  ହେବ ବିଧାନସଭା ନିର୍ବାଚନ। ଆସନ୍ତାବର୍ଷ  ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ସେମିଫାଇନାଲ ଭାବେ ବିବେଚନା କରାଯାଉଛି। 

ଚଳିତ ବର୍ଷ ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ହିନ୍ଦୀ ଭାଷାଭାଷୀ ରାଜ୍ୟ ସହ ଦକ୍ଷିଣ ଭାରତରେ ହେବ ବିଧାନସଭା  ନିର୍ବାଚନ। ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ ହେଉଛନ୍ତି ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, କର୍ଣ୍ଣାଟକ, ତେଲଙ୍ଗାନା, ଛତିଶଗଡ଼, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ। ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟ ଦେଶର ଏହି ୩ ପୂର୍ବୋତ୍ତର ରାଜ୍ୟରେ ଆସନ୍ତା ଫେବୃଆରୀ-ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇପାରେ ବିଧାନସଭା ନିର୍ବାଚନ। ଏହି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ମାସର ବିଭିନ୍ନ ତାରିଖରେ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏଠାରେ ପ୍ରଥମେ ନିର୍ବାଚନ ହେବ। ଯେଉଁ ୩ ପୂର୍ବୋତ୍ତର ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେହି ସମସ୍ତ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର ଶାସନ କରୁଛି। ତ୍ରିପୁରାରେ ବିଜେପି,  ନାଗାଲାଣ୍ଡରେ ଏନଡିପିପି ଏବଂ ମେଘାଳୟରେ ଏନପିପି କ୍ଷମତାସୀନ ରହିଛି। ଦେଶର ଉତ୍ତର-ପୂର୍ବ ଭାଗରେ ଏନପିପି ହେଉଛି ଏକ ମାତ୍ର ଯାହାକୁ ଜାତୀୟ ମାନ୍ୟତା ମିଳିଛି।  

ଗତ ଡିସେମ୍ବରରେ ନିର୍ବାଚନ ଆୟୋଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦେଶର ଏହି ୩  ପୂର୍ବୋତ୍ତର ରାଜ୍ୟରେ ଏକ ସମୟରେ ଅନୁଷ୍ଠିତ ହୋଇପାରେ ବିଧାନସଭା ନିର୍ବାଚନ। ଏହା ପରେ ଅନୁଷ୍ଠିତ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ ମାସ ରେ ଶେଷ ହେବ। ବିଜେପି ଶାସିତ ଏହି ଦାକ୍ଷିଣାତ୍ୟ ରାଜ୍ୟରେ  ଚଳିତ ବର୍ଷ ଅପ୍ରେଲ୍ ଶେଷରେ କିମ୍ବା ମେ ମାସ ଆରମ୍ଭରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ।

ଚଳିତ ବର୍ଷ ଶେଷ ଆଡକୁ ଦେଶର ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ ଆଦି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହି ସମସ୍ତ ରାଜ୍ୟର ବିଧାନସଭା ସଭା କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବରରୁ ଆସନ୍ତା ବର୍ଷ ଜାନୁଆରୀର ବିଭିନ୍ନ ତାରିଖରେ ଶେଷ ହେଉଛି।

ମୋଟ ୪୦ ସଦସ୍ୟ ବିଶିଷ୍ଟ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ୨୦୨୩ ଡିସେମ୍ବର ୧୭ ତାରିଖରେ ଶେଷ ହେଉଛି। ଏହା ସହିତ ଛତିଶଗଡ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁୟାରୀ ୩, ମଧ୍ୟ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୬, ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୧୪, ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୧୬ ତାରିଖରେ ଶେଷ ହେଉଛି। ଏହି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଏକକାଳୀନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ଉପରୋକ୍ତ ୯ ରାଜ୍ୟ ବ୍ୟତୀତ ଜାମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଅନୁଷ୍ଠିତ ହୋଇପାରେ ବିଧାନସଭା ନିର୍ବାଚନ।  ପିଟିଆଇର ଖବର ଅନୁଯାୟୀ ୯  ଡିସେମ୍ବରରେ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜାମୁ କାଶ୍ମୀରରେ ୨୦୨୩  ଗ୍ରୀଷ୍ମ ସମୟରେ ନିର୍ବାଚନ ହୋଇପାରେ। ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।