ପୁରୀ: ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥନିର୍ମାଣ ଅନୁକୂଳ ପର୍ବ ଅନୁଷ୍ଠିତ ହେବା ପରେ ରବିବାର ଠାରୁ ଆରମ୍ଭ ହୋଇଛି ରଥନିର୍ମାଣ କାର୍ଯ୍ୟ। କରତିଆ ସେବକ ଯଥାବିଧି ଅନୁସାରେ ତୁମ୍ଭ ଚିରଟ କାର୍ଯ୍ଯ କରୁଛନ୍ତି। ଏକକାଳୀନ ତିନିବାଡର ତୁମ୍ଭକାର୍ଯ୍ଯ କରାଯାଉଛି। ଗତକାଲି ବିଶ୍ୱକର୍ମା ମହାରଣା ରଥ ଅନୁକୂଳ ପର୍ବ କରିବା ପରେ ତୁମ୍ଭ କାଠରେ ଚିହ୍ନ ଦେଇଥିଲେ। ଯନ୍ତାଗାଢ ଖୋଳା ଲାଗି ଶାବଳ ପୋତି ଅନୁକୂଳ କରିଥିଲେ ଭୋଇ ସେବକ। 


COMMERCIAL BREAK
SCROLL TO CONTINUE READING

ତିନି ରଥରେ ତିନୋଟି ନାହାକା ତୁମ୍ଭ ଚିରଟ ହୋଇ ସେଥିରେ ସୂତାବାଡିଆ କରାଯାଇଛି। ଏଭଳି ମୋଟ ୪୨ଟି ତୁମ୍ଭ ପାଇଁ ତୁମ୍ଭକାଠ ଚିରଟ କରାଯିବ। ସେପଟେ କୋଭିଡ ଗାଇଡଲାଇନ (Corona Guidelines) ଅନୁପାଳନ କରାଯାଇ ରଥଖଳାକୁ କନା ଦ୍ୱାରା ଆଛାଦିତ କରାଯାଇଛି। ସାନିଟାଇଜର, ମାସ୍କ ବ୍ୟବହାର କରି ରଥକାର୍ଯ୍ୟ କରୁଛନ୍ତି ସେବାୟତ। ରଥ ନିର୍ମାଣ ସେବକଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ସହ ସେମାନଙ୍କୁ ନିଳାଦ୍ରୀ ଭକ୍ତନିବାସ ଠାରେ ସଙ୍ଗରୋଧରେ ରଖିବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ଯବସ୍ଥା। ଅନ୍ଯପଟେ ରଥନିର୍ମାଣ ସେବକଙ୍କ ମଜୁରୀକୁ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି।


Also Read: Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ


ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା (Lord Jagannaths Rathyatra) ଲାଗି ଚଳଚଞ୍ଚଳ ରଥଖଳା। କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ରଥ ନିର୍ମାଣ। ରଥଖଳାକୁ ଧଳା କପଡାରେ ସମ୍ପୂର୍ଣ୍ଣ ଆଚ୍ଛାଦିତ କରାଯାଇଥିବା ବେଳେ ସେଠାରେ ସାନିଟାଇଜର (Sanitizer), ଥର୍ମାଲ ସ୍କ୍ରିନିଂ (Thermal Screening) ବ୍ଯବସ୍ଥା କରାଯାଇଛି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରତ୍ୟେକ ସେବାୟତ ମୁହଁରେ ମାସ୍କ (Mask) ପରିଧାନ କରିବା ସହ ସାମାଜିକ ଦୂରତା (Social Distance) ରକ୍ଷା କରିବା ଉପରେ ଦେଉଛନ୍ତି ବିଶେଷ ଗୁରୁତ୍ୱ। 


ଗତ ଶନିବାର ଅକ୍ଷୟତୃତୀୟା (Aksaya Tritiya) ଅବସରରେ ରଥନିର୍ମାଣ ଅନୁକୂଳ ବିଧି ସମ୍ପର୍ଣ୍ଣ ପରେ ବିଶ୍ୱକର୍ମା ମହାରଣା କୁରାଢିରେ ଅନୁକୂଳ କରି ରଥଖଳାରେ ଫାସି କାଠରେ ତୁମ୍ଭ ପାଇଁ ଚିହ୍ନ ଦେଇଥିଲେ। ରବିବାର ସକାଳେ କରତିଆ ସେବକ ରଥଖଳାରେ ଆରମ୍ଭ କରିଛନ୍ତି କାଠ ଚିରଟ। ତିନିବାଡରେ ୬ଜଣ କରତିଆ ନାହାକା ତୁମ୍ଭକୁ କରତରେ ଚିରଟ କରିଛନ୍ତି। ବିଶ୍ୱକର୍ମା ମହାରଣା ତୁମ୍ଭରେ ସୂତାବାଡିଆ ଅନୁକୂଳ ପରେ ଆରମ୍ଭ ହୋଇଛି ତୁମ୍ଭ ଚଉପଟ କାର୍ଯ୍ୟ। ଏବେ ରଥ ନିର୍ମାଣରେ ୨୦ ଜଣ ସେବକ କାର୍ଯ୍ଯ କରୁଥିବା ବେଳେ ପର୍ଯ୍ଯାୟକ୍ରମେ ଅନ୍ଯମାନେ ଆସି କାର୍ଯ୍ଯରେ ଯୋଗଦେବେ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା ବିଜୟ ମହାପାତ୍ର, ନରସିଂହ ମହାପାତ୍ର ଏବଂ କରତି ସେବକ ରଞ୍ଜିତ ମହାରଣା।


Also Read: ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ


ସେପଟେ ରଥ ନିର୍ମାଣ ଆରମ୍ଭ ହୋଇଛି ହେଲେ ପୂର୍ବ ବର୍ଷ ପରି ପାଳନ କରାଯାଉଛି କୋଭିଡ ଗାଇଡଲାଇନ୍ । ସାମାଜିକ ଦୁରତା ଅନୁପାଳନ ନେଇ ରଥଖଳାକୁ ଅଧିକ ୬୦ ଫୁଟ ସମ୍ପ୍ରସାରଣ କରାଯାଇଛି। ଚଳିତବର୍ଷ ରଥନିର୍ମାଣ ସେବକଙ୍କୁ ନିଳାଦ୍ରୀ ଭକ୍ତ ନିବାସରେ ରଥନିର୍ମାଣ ଶେଷ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖାଯିବ। ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯିବ। 


Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ


କିଛି ସେବାୟତ ଟିକା ନେଇଥିବା ବେଳେ ୧୮ବର୍ଷରୁ ଉର୍ଦ୍ଧ୍ବ ଟିକାକରଣ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ଯବସ୍ଥା କରାଯାଉଛି। ରଥନିର୍ମାଣ ସେବକଙ୍କ ମଜୁରୀ ୧୦ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ। ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) ଆଧାରରେ କଡା କଟକଣା ମଧ୍ୟରେ ରହିବ ରଥଖଳା। ନିୟୋଜିତ ହେବେ ବ୍ଯାପକ ପୁଲିସ। ରଥଖଳାକୁ ପ୍ରବେଶ ଉପରେ ରହିଛି ନିଷେଧାଦେଶ।