)
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଜ୍ୟସଭା ସାଂସଦ ସୁଲତା ଦେଓ ଜବାବ ଦେଇଛନ୍ତି। ନିଜର ସୋଶାଲ ମିଡିଆ ହ୍ୟାଣ୍ଡଲରେ ତିନୋଟି ଭିଡିଓ ଶେୟାର କରି ସେ ସତ ଲୁଚାଇବାକୁ ଷଡ଼ଯନ୍ତ୍ର ହୋଇଛି େବାଲି କହିଛନ୍ତି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜଣେ ଅଭ୍ୟାସଗତ ଅପରାଧି ବୋଲି କହିବା ସହ ସତ କେବେ ଲୁଚି ରହେନା ବୋଲି କହିଛନ୍ତି।
ନିଜର ଏକ୍ସ ହ୍ୟାଣ୍ଡଲରେ ସୁଲତା କହିଛନ୍ତି, ‘ପ୍ରଶାନ୍ତ ଜଣେ ଅଭ୍ୟାସଗତ ଅପରାଧି। ଯାହାଙ୍କ ସ୍ଥାନ ଜେଲ ଭିତର ବୋାଲି ଅପରାଜିତା କହୁଥିଲେ ସେ ତାଙ୍କୁ ସୁରକ୍ଷା ଦେଉଛନ୍ତି। ହେଲେ ସତ କେବେ ଲୁଚି ରହେନା। ଭିଡିଓ ସବୁକୁ ଦେଖିଲେ ପ୍ରଶାନ୍ତଙ୍କ ଅସଲ ଚେହେରା ଜାଣିପାରିବେ।’
ବୁଥ ଭିତରେ କେହି ନିଜ ମୋବାଇଲରେ ନେଇଥିବା ଭିଡିଓ କ୍ଲିପିଂକୁ ସେ ଶେୟାର କରିଛନ୍ତି। ଏହା ସିସିଟିଭି ଫୁଟେଜ ନୁହେଁ। ଏଥିରୁ ପ୍ରଶ୍ନ ଉଠୁଛି ବୁଥ ଭିତରେ ମୋବାଇଲ ପବା ଇଲେକ୍ଟ୍ରନିକ ଉପକରଣ ନେବା ବାରଣ ଥିବା ବେଳେ କେମିତି ତାହା ପ୍ରବେଶ କଲା? ପୁଣି ସାଂସଦ ସୁଲତା ଏହାକୁ ଶେୟାର କରି ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକୁ ଉଲ୍ଳଂଘନ କରିନାହାନ୍ତି କି?
ପ୍ରଶାନ୍ତ ଜଗଦେବ ଜଣେ ଅଭ୍ୟାସଗତ ଅପରାଧୀ। ଯାହାର ସ୍ଥାନ ଜେଲ୍ ଭିତରେ ବୋଲି @AprajitaSarangi କହୁଥିଲେ, ଆଜି ତାଙ୍କୁ ସୁରକ୍ଷା ଦେଉଛନ୍ତି। ସିସିଟିଭି ଫୁଟେଜରେ କାଂଟଛାଂଟ କରି ସତ ଲୁଚାଇବାକୁ ଷଡଯନ୍ତ୍ର କରିଛନ୍ତି। ହେଲେ ସତ କେବେ ଲୁଚିରହେନା। ଭିଡିଓ ସବୁକୁ ଦେଖନ୍ତୁ, ପ୍ରଶାନ୍ତ ଜଗଦେବଙ୍କ ଅସଲ ଚେହେରା ଜାଣିପାରିବେ। pic.twitter.com/d7GWY7mEId
— Sulata Deo (@DeoSulata) May 30, 2024
ଏହି ତିନୋଟି ଭିଡିଓ କ୍ଲିପ୍ ଅସ୍ପଷ୍ଟ ରହିଛି। କେହି ଗୋପନରେ ଏହି ଭିଡିଓ ଶୁଟିଂ କରିଥିବା ଅନୁମାନ କରାଯାଉଛି। ପ୍ରଥମ କ୍ଲିପରେ ହୋ ହଲ୍ଲା ଶୁଭୁଛି ହେଲେ ପ୍ରଶାନ୍ତଙ୍କ ଚେହେରା ଦିଶୁ ନାହିଁ। ବୁଥ ବାହାରେ ହୁଏତ ତାଙ୍କ ଶବ୍ଦ ଶୁଣିବାକୁ ମିଳୁଛି।
ଦ୍ୱିତୀୟ ଏବଂ ତୃତୀୟ ଭିଡିଓରେ ପ୍ରଶାନ୍ତ ଦେଖାଯାଉଛନ୍ତି। ବୁଥ ଭିତରେ ଭିଡ଼ ବି ଦେଖିବାକୁ ମିଳୁଛି। ଧାଡ଼ିରେ ଲୋକ ଠିଆ ହୋଇଥିବା ବେଳେ କିଛି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ୁଛି।
୨୫ ତାରିଖ ଦିନ ଭୋଟ ଦାନ ସମୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା। ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏ ସୂଚନା ଦିଆଯିବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କୁ ଗିରଫ କରିବାକୁ ଅନୁରୋଧ କରିଥିଲେ। ଅପରାହ୍ଣରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହାକୁ ନେଇ ବିଜେପି ଆପତ୍ତି ଜଣାଇଥିଲା।
ଦୁଇଦିନ ପୂର୍ବରୁ ଅପରାଜିତା ଷଡ଼ଙ୍ଗୀ ଏହି ଘଟଣାର ବୁଥ ଭିତର ସିସିଟିଭି ଫୁଟେଜ୍ ଶେୟାର କରିଥିଲେ। ସେଥିରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ଦୃଶ୍ୟ ନଥିଲା। ଅଭିଯୋଗକୁ ଆଧାରହୀନ ବୋଲି କହିଥିଲେ ଅପରାଜିତା।
ଅପରପକ୍ଷେ ଏହି ଭିଡିଓକୁ କାଣ୍ଟ ଛାଣ୍ଟ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଥିଲା। ଆଜି ସୁଲତା ଏହି ତିନୋଟି କ୍ଲିପ୍ ଶେୟାର କରି ଅପରାଜିତାଙ୍କୁ କଡ଼ା ଜବାବ ଦେବା ଲାଗି ଚେଷ୍ଟା କରିଛନ୍ତି।
ଅପରାଜିତାଙ୍କ ଭିଡିଓ ଶେୟାର ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଦୁଇ ଆଇପିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିଲମ୍ବନ କରିଥିବା ବେଳେ ସୁରକ୍ଷା ଆଇଜିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅନେକ ଦିନ ହେଲା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଅଛନ୍ତି।