Paris Olympics 2024: ପ୍ୟାରିସ୍ ଅଲମ୍ପିକ୍ସରେ ଆକ୍ସନ୍ ମୋଡରେ ଭାରତ
Advertisement
Article Detail0/zeeodisha/odisha2355615

Paris Olympics 2024: ପ୍ୟାରିସ୍ ଅଲମ୍ପିକ୍ସରେ ଆକ୍ସନ୍ ମୋଡରେ ଭାରତ

Paris Olympics 2024 : ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଆରମ୍ଭ ହୋଇଯାଇଛି କ୍ରୀଡ଼ାର ଏହି ମହାକୁମ୍ଭ ଅଲିମ୍ପିକ୍ସ। 

Paris Olympics 2024: ପ୍ୟାରିସ୍ ଅଲମ୍ପିକ୍ସରେ ଆକ୍ସନ୍ ମୋଡରେ ଭାରତ

Paris Olympics 2024 : ପ୍ୟାରିସ ଅଲିମ୍ପିକ୍ସରେ ଆଜିଠାରୁ(ଶନିବାର) ଭାରତ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଆରମ୍ଭ ହୋଇଯାଇଛି କ୍ରୀଡ଼ାର ଏହି ମହାକୁମ୍ଭ ଅଲିମ୍ପିକ୍ସ। ଅଲିମ୍ପିକ୍‌ସ ଇତିହାସରେ ପ୍ରଥମଥର ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ ବରଂ ନଦୀରେ ଅନୁଷ୍ଠିତ ହୋଇଛି। ପ୍ୟାରିସ୍ ସହର ମଧ୍ୟ ଦେଇ ବହିଯାଇଥିବା ସେନ୍ ନଦୀରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୧୧୨ ଜଣ ଆଥଲେଟ ୧୬ଟି କ୍ରୀଡ଼ାରେ ୬୯ଟି ମେଡାଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ୫ ଜଣ ରିଜର୍ଭ ଆଥଲେଟ ରହିଛନ୍ତି । ପ୍ରଥମ ଦିନରେ ଭାରତୀୟ ଆଥଲେଟ୍ସ ହକି, ଟେନିସ, ବ୍ୟାଡମିଣ୍ଟନରେ କ୍ୱାଲିଫିକେସନ ମୁକାବିଲା ଖେଳିବେ ।  ଆଜି ପ୍ରଥମ ଦିନରେ ଭାରତ ଶୁଟିଂରେ ପଦକ ଜିତି ପ୍ୟାରିସ ଅଲିମ୍ପିକ୍ସରେ ତା’ର ବିଜୟ ଯାତ୍ରା ଶୁଭାରମ୍ଭ କରିବା ଲକ୍ଷ୍ୟରେ ରହିଛି ।

ଗତ ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତ ପକ୍ଷରୁ ମିରାବାଇ ଚାନୁ ପଦକ ଜିତିଥିବା ବେଳେ ଚଳିତ ଅଲିମ୍ପିକ୍ସରେ ମଧ୍ୟ ଭାରତ ଶୁଟିଂରେ ପଦକ ଜିତି ଯାତ୍ରା ଆରମ୍ଭ ଲକ୍ଷ୍ୟରେ ରହିଛି । ଗତକାଲି ରାତିରେ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ କାର୍ଯ୍ୟକ୍ରମ ବଡ଼ ରଙ୍ଗାରଙ୍ଗ ମାହୋଲରେ ଆରମ୍ଭ ହୋଇଥିବା ବେଳେ ଆଜି ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀମାନେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ପାଇଁ ଲଢ଼େଇ କରିବେ । ଆଜି ଭାରତୀୟ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭାରତୀୟ ନୌଚାଳକ ବଲରାଜ ପନୱର ମଧ୍ୟାହ୍ନ ୧୨.୩୦ରେ ତାଙ୍କର ପ୍ରତିଯୋଗିତାକୁ ଓହ୍ଲାଇବେ । ଭାରତୀୟ ହକି ଟିମ୍ ଗ୍ରୁପ-ଷ୍ଟେଜରେ ନ୍ୟୁଜିଲାଣ୍ଡକୁ ଭେଟିବ । ସେହିପରି ସନ୍ଧ୍ୟା ସମୟରେ ଲକ୍ଷ୍ୟ ସେନ, ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ- ଚିରାଗ ଶେଟ୍ଟୀ ଓ ମହିଳା ଡବଲ୍ସ ଯୋଡ଼ି ଅଶ୍ୱିନୀ ପୁନ୍ନାପ୍ପା ଓ ତନିଶା କ୍ରାଷ୍ଟ୍ରୋ ବ୍ୟାଡମିଣ୍ଟନ ମୁକାବିଲାକୁ ଓହ୍ଲାଇବେ । ଟେନିସରେ ଭେଟେରାନ ରୋହନ ବୋପାନ୍ନା ଓ ଶ୍ରୀରାମ ବାଲାଜୀ କୋର୍ଟକୁ ଓହ୍ଲାଇବେ । ସିଙ୍ଗଲ୍ସ ଟେବୁଲ ଟେନିସରେ ହରମିତ ଦେଶାଇ ଭାଗ ନେବେ । ଶୁଟିର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର କ୍ୱାଲିଫିକେସନ ରାଉଣ୍ଡରେ ପୁରୁଷ ଓ ମହିଳା ଭାଗନେବେ । ୧୦ ମିଟର ଏୟାର ପିସ୍ତଲ କ୍ୱାଲିଫିକେସନରେ ଅର୍ଜୁନ ସିଂହ ଛିମା ଓ ସରାବଜୋତ ସିଂହ ଭାଗ ନେବେ । ମନୁ ବକରଙ୍କ ଉପରେ ପଦକ ଜିତିବା ନେଇ ଆଶା ରହିଛି ।