Sundargarh News: ରାଜ୍ୟରେ ବଢୁଛି ମାନବ ଚାଲାଣ, ନାବାଳିକାକୁ ବିକି ଦେଲେ ସରପଞ୍ଚ
Advertisement
Article Detail0/zeeodisha/odisha1834369

Sundargarh News: ରାଜ୍ୟରେ ବଢୁଛି ମାନବ ଚାଲାଣ, ନାବାଳିକାକୁ ବିକି ଦେଲେ ସରପଞ୍ଚ

Sundargarh News (ସୁନ୍ଦରଗଡ଼, ଶୁଶାନ୍ତ କୁମାର ଦାଶ ): ସୁନ୍ଦରଗଡ଼  ଜିଲ୍ଲାରେ ସକ୍ରିୟ ଦଲାଲ୍ ମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ରୀତିମତ ମହିଳା,ପୁରୁଷ, ଯୁବତୀଙ୍କ ସମେତ ନାବାଳିକା ମାନଙ୍କୁ ଚାଲାଣ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ପୁଣି ସେଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅନାଥ ନାବାଳିକା (orphan girl) ଚାଲାଣ ଘଟଣା ଏବଂ ସେଥିରେ ଜଣେ ଲୋକ ପ୍ରତିନିଧି ଙ୍କ ସଂପୃକ୍ତି ଏବେ ଲୋକ ଲୋଚନକୁ ଆସିଛି ।

ସୌଜନ୍ୟ- ସୋସିଆଲ ମିଡି଼ଆ

Sundargarh News (ସୁନ୍ଦରଗଡ଼, ଶୁଶାନ୍ତ କୁମାର ଦାଶ ):  ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ (Sundargarh) ଜିଲ୍ଲାରୁ ଥମୁନି ମାନବ ଚାଲାଣ ଘଟଣା ।କେତେ ବେଳେ ମହିଳା ତ ପୁଣି କେତେବେଳେ ନାବାଳିକା , ଏପରିକି ବେଆଇନ ଶ୍ରମିକ ଚାଲାଣ ମଧ୍ୟ ଏଠିକାର ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଜିଲ୍ଲାରେ ସକ୍ରିୟ ଦଲାଲ୍ ମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ରୀତିମତ ମହିଳା,ପୁରୁଷ, ଯୁବତୀଙ୍କ ସମେତ ନାବାଳିକା ମାନଙ୍କୁ ଚାଲାଣ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ପୁଣି ସେଭଳି ଏକ ହୃଦୟ ବିଦାରକ  ଘଟଣା ସାମ୍ନାକୁ ଆସିଛି। ଅନାଥ ନାବାଳିକା (orphan girl) ଚାଲାଣ ଘଟଣା ଏବଂ ସେଥିରେ ଜଣେ ଲୋକ ପ୍ରତିନିଧି ଙ୍କ ସଂପୃକ୍ତି ଏବେ ଲୋକ ଲୋଚନକୁ ଆସିଛି । 

ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅଞ୍ଚଳର ଜଣେ ବାପାମା ଛେଉଣ୍ଡ ନାବାଳିକାଙ୍କୁ (orphan girl)ବର୍ଷେ ତଳେ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରାଯାଇଥିଲା। ସିଏ ସେଠାରୁ କୌଶଳ କରି ସୁନ୍ଦରଗଡ଼ ଚାଲିଆସି ସ୍ଥାନୀୟ ଏସପିଙ୍କୁ ଭେଟି ଅଭିଯୋଗ କରିବା ପରେ ଚାଲାଣ କଥା ଜଣାପଡ଼ିଛି। ନାବାଳିକାଙ୍କୁ କୌଣସି ବାହାର ଦଲାଲ ନୁହେଁ, ସଦର ବ୍ଲକ୍‌ ବିରବିରା ପଞ୍ଚାୟତର ଜଣେ ମହିଳା ସରପଞ୍ଚ ଗୁଜରାଟ ଅହମଦାବାଦରେ ସିଲେଇ ତାଲିମ ଦିଆଯିବ କହି ଭୁଲାଇ ‌ପଠାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏ ନେଇ ଧରୁଆଡିହି ଥାନା ପୋଲିସ ସରପଞ୍ଚ ଓ ନାବାଳିକାଙ୍କୁ ବନ୍ଦୀ କରି ରଖିଥିବା ଗୁଜରାଟର ଏକ ଦମ୍ପତିଙ୍କ ନାମରେ ଭାରତୀୟ ଦଣ୍ଡବିଧି ଅଧିନିୟମର ଧାରା ୩୭୦(୪), ୩୪ରେ ମାମଲା ରୁଜୁ କରିଛି। 

ଗିରଫ ଭୟରେ ସରପଞ୍ଚ ଫେରାର ହୋଇ ଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ନାବାଳିକା ଗାଁକୁ ଆସିବା ପରେ ପ୍ରଥମେ ଧରୁଆଡିହି ଥାନାକୁ ଯାଇଥିଲେ, କିନ୍ତୁ ପୋଲିସ ଏପରି ଏକ ସମ୍ବେଦନଶୀଳ ଅଭିଯୋଗକୁ ଗ୍ରହଣ କରି ନଥିଲା। ଏସପିଙ୍କ ନିର୍ଦ୍ଦେଶ ଯିବା ପରେ ଥାନାରେ ମାମଲା ରୁଜୁ ହୋଇଛି। ପିଲାଦିନୁ ବାପାମାଙ୍କୁ ହରାଇ ଏକାକି ରହୁଥିବା ନାବାଳିକା ରାସନ ଆଦି ସହାୟତା ପାଇଁ ବିରବିରା ସରପଞ୍ଚ ଦଲରସା ଗୁଡ଼ିଆଙ୍କ ପାଖକୁ ବାରମ୍ବାର ଯାଉଥିଲେ। ଏହି ସମୟରେ ତାଙ୍କୁ ରୋଜଗାରକ୍ଷମ ହେବାକୁ ଝାରସୁଗୁଡ଼ାର ଏକ ସିଲେଇ ତାଲିମ କେନ୍ଦ୍ରରେ ଭର୍ତ୍ତି କରିଦେବେ ବୋଲି ସରପଞ୍ଚ କହିଥିଲେ। ଏହା ପରେ ବିଶ୍ବାସ ଜନ୍ମାଇ ନାବାଳିକାଙ୍କୁ ଗତ ୨୦୨୨ ଜୁଲାଇରେ ଝାରସୁଗୁଡ଼ା ପୁରୁଣାବସ୍ତିର ବିନୟ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଛାଡ଼ିଥିଲେ। କିନ୍ତୁ ସେଠାରେ ସିଲେଇ ତାଲିମ ଦେବା ପରିବର୍ତ୍ତେ ବିନୟ ବଡ଼ ସିଲେଇ କେନ୍ଦ୍ରରେ ତାଲିମ ନେବୁ କହି ଟ୍ରେନ ଯୋଗେ ଗୁଜରାଟ ନେଇ ଯାଇଥିଲା। 

ହେଲେ ଗୁଜରାଟର ଅହମଦାବାଦ୍‌ ପହଞ୍ଚିବା ପରେ ନାବାଳିକା ଠକି ଯାଇଥିବା ଜାଣିପାରିଥିଲେ ନାବାଳିକା। ଅହମଦାବାଦ୍‌ରେ ରହୁଥିବା ବିନୟ ତାଙ୍କୁ ନିଜ ଘର କାମ କରିବାକୁ ବାଧ୍ୟ କରିଥିଲେ। ବିନୟଙ୍କ ପତ୍ନୀ ସୁନିତା ତାଙ୍କୁ ଭୋର ୫ଟାରୁ ରାତି ୯ଟା ଯାଏ ଖଟାଉଥିଲେ। ତାଙ୍କୁ ମାତ୍ର ୭ ଶହ ଟଙ୍କା ପାରିଶ୍ରମିକ ମିଳୁଥିଲା। ତା’ ବାବଦକୁ ସରପଞ୍ଚ ୫ ଲକ୍ଷ ଟଙ୍କା ନେଇ ସାରିଛି, ତେଣୁ ତାକୁ ଯେମିତି ହେଉ କାମ କରିବାକୁ ହେବ ବୋଲି ବିନୟ ଓ ସୁନିତା କହୁଥିଲେ ବୋଲି ନାବଳିକା ଅଭିଯୋଗ କରିଛନ୍ତି। ଅନେକ ସମୟରେ କାମରେ କିଛି ଭୁଲ ହେଲେ ତାଙ୍କୁ ସୁନିତା ମାଡ଼ ମାରୁଥିଲେ। ଏଥିରେ ଅତିଷ୍ଠ ନାବାଳିକା ଘରକୁ ଫେରିଯିବେ ବୋଲି ଦିନେ କହିବା ପରେ ତାଙ୍କୁ ୬ ମାସ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କିନ୍ତୁ ସେ ବହୁତ କନ୍ଦାକଟା କରିବା ସହ ଥରେ ଗାଁକୁ ଯାଇ ପୁଣି ଫେରିବ ବୋଲି କହିବା ପରେ ୨୦୨୩ ଜୁଲାଇରେ ତାଙ୍କୁ ଛଡ଼ା ଯାଇଥିଲା। ସେ ଗାଁକୁ ଆସି କିଛି ଦିନ ରହିବା ପରେ ସରପଞ୍ଚ ଦଲରସା ଗୁଡ଼ିଆ ପୁଣି ଗୁଜରାଟ ଯିବାକୁ ବାଧ୍ୟ କରିଥିଲେ। ଏପରିକି ବିନୟ ସରପଞ୍ଚଙ୍କ ଫୋନରେ କଲ୍‌ କରି ନାବାଳିକାକୁ ନେବାକୁ ଝାରସୁଗୁଡ଼ା ଆସିବେ ବୋଲି କହୁଥିଲେ। ସେ ସମୟରେ ବି ସେ ୫ ଲକ୍ଷ ଟଙ୍କା କଥା ଉଠାଇଥିଲେ। ଏଥିରେ ଭୟଭୀତ ନାବାଳିକା ଗାଁର ଗୋଲାପି ନାଏକ ନାମ୍ନି ଜଣେ ମହିଳା ନେତ୍ରୀଙ୍କୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ପରେ ଗୋଲାପିଙ୍କ ସହ ଧରୁଆଡିହି ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ନଶୁଣି ତାଙ୍କୁ ଫେରାଇ ଦେବାରୁ ଗତ ଅଗଷ୍ଟ ୫ ତାରିଖରେ ଏସପିଙ୍କୁ ଫେରାଦ ହୋଇଥିଲେ। ଏହା ପରେ ଧରୁଆଡିହି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରି ସଦରଥାନା ନିକଟ ଆଭା ଆସ୍ଥା ଗୃହରେ ତାଙ୍କୁ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବିକ୍ରି ହୋଇଥିବା ନାବାଳିକା କୁ ପିଲାଦିନେ କେହି ନଦୀ କୂଳରେ ଛାଡ଼ି ଚାଲି ଯାଇଥିଲେ। ପୋଷ୍ୟ କରିଥିବା ବାପା,ମା ବି ଏକା କରି ଆଖି ବୁଜିଦେଲେ। ସୁନ୍ଦରଗଡ଼, ଧରୁଆଡିହି ଥାନା ଅଞ୍ଚଳର ସେହି ବାପା,ମା ଛେଉଣ୍ଡ ନାବାଳିକାଙ୍କ ଅସହାୟତାର ସୁଯୋଗ ନେଇ ବିରବିରାର ମହିଳା ସରପଞ୍ଚ ଦଲରସା ଗୁଡ଼ିଆ ତାଙ୍କୁ ୫ ଲକ୍ଷରେ ଗୁଜରାଟ ଚାଲାଣ କରିଥିଲା। ଅବଶ୍ୟ ବର୍ଷେ ନିର୍ଯାତନା ଭୋଗିବା ପରେ ନାବାଳିକା କୌଶଳକ୍ରମେ ସୁନ୍ଦରଗଡ଼ ଚାଲିଆସି ଏସପିଙ୍କୁ ଅଭିଯୋଗ କରିବା ପରେ ସରପଞ୍ଚ ଓ ତାଙ୍କୁ ଗୃହବନ୍ଦୀ କରି ରଖିଥିବା ଗୁଜରାଟର ଦମ୍ପତିଙ୍କ ନାମରେ ମାମଲା ରୁଜୁ ହୋଇଛି। ଏବେ ଆଭା ଗୃହରେ ଆଶ୍ରୟ ନେଇଛନ୍ତି ନାବାଳିକା। 

ଅନାଥ ଝିଅକୁ ସହାୟତା ବା ଆଶ୍ରୟ ଦେବା ପରିବର୍ତ୍ତେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ତାଙ୍କୁ ଅମାନବୀୟ ଭାବେ ଚାଲାଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପାଳିଥିବା ବାପା ମା ଝିଅ କୁ ତୃତୀୟ ଯାଏ ଗାଁରେ ପଢ଼ାଇବା ପରେ ଦୂର ଗାଁ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ। ସେଠାରେ ସେ ଅଷ୍ଟମ ପଢ଼ୁଥିବା ବେଳେ ‌‌ପୋଷ୍ୟ କରିଥିବା ବାପାଙ୍କ ମୃତ୍ୟୁ ହୋଇଗଲା। ଏହା ପରେ ଝିଅ ପାଠରେ ଡୋରି ବନ୍ଧା ହୋଇଯାଇଥିଲା। ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ଆଉ ସମ୍ଭବ ହୋଇ ନଥିଲା। ଦେଢ଼ ବର୍ଷ ତଳେ ମା’ ବି ହାତ ଛାଡ଼ି ଚାଲିଗଲେ। ଏସ୍ଥିତିରେ ଦୁନିଆକୁ ଭଲ ଭାବେ ଚିହ୍ନି ନଥିବା ଝିଅ ଟିକିଏ ଆଶ୍ରୟ ଖୋଜୁଥିବା ବେଳେ ସରପଞ୍ଚ ବିଶ୍ବାସରେ ବିଷ ବୋଳି ଚାଲାଣ କରି ଦେଇଥିଲେ ଗୁଜରାଟ।  ଗୋଟେପଟେ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ସେଠିକାର ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଂପୃକ୍ତ ଅଞ୍ଚଳରୁ ମାନବ ଚାଲାଣ ଏବଂ ସେଥିରେ ଦଲାଲ ଓ ଲୋକ ପ୍ରତିନିଧିଙ୍କ ସଂପୃକ୍ତି ସୃଷ୍ଟି କରୁଛି ଅନେକ ପ୍ରଶ୍ନ। ଅନ୍ୟପଟେ ମାମଲାକୁ ୧୫ଦିନ ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଗିରଫ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।