Balijata Income: ଚଳିତ ବର୍ଷ ବିଭିନ୍ନ ସାମଗ୍ରୀର ବିକ୍ରି କ୍ଷେତ୍ରରେ ବାଲିଯାତ୍ରା ନୂଆ ରେକର୍ଡ କରିଥିବା ବେଳେ ଖାଦ୍ୟ ଷ୍ଟଲ ଗୁଡିକରେ ବିକ୍ରି କିନ୍ତୁ ସମ୍ପୂର୍ଣ୍ଣ ମାନ୍ଦା ରହିଥିଲା। ସେହିପରି ବାଲିଯାତ୍ରାର ୯ ଦିନ ଭିତରେ ସବୁଠୁ ଅଧିକ ଭିଡ ଗଲା ରବିବାର ଦିନ ହୋଇଥିଲା।
Trending Photos
Balijata Income: ଶେଷ ହେଲା ବାଲିଯାତ୍ରା ୨୦୨୩ । ରଙ୍ଗବେରଙ୍ଗ କାର୍ଯ୍ୟକ୍ରମ ଜରିଆରେ ମେଲାଣି ନେଇଛି ଚଳିତବର୍ଷର ବାଲିଯାତ୍ରା । ପୂର୍ବ ବର୍ଷର ସବୁ ରେକର୍ଡକୁ ଭାଙ୍ଗିଛି ଚଳିତ ବର୍ଷର ବାଲିଯାତ୍ରା। ଲୋକ ବିଭିନ୍ନ ଷ୍ଟଲରୁ ଛୋଟବଡ଼ ସାମଗ୍ରୀ ଘରକୁ ବୋହିନେଇଛନ୍ତି। ଚଳିତବର୍ଷ ବାଲିଯାତ୍ରା ୯ଦିନ ଧରି ଆୟୋଜିତ ହୋଇଥିଲା । ଆଉ ଏହି ୯ଦିନରେ ୧୦୦ କୋଟି ଟଙ୍କା ର ବେପାର ଟପିଥିବା ଆକଳନ କରାଯାଇଛି। ଚଳିତବର୍ଷ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ସରକାରୀ ସଂସ୍ଥା ଜରିଆରେ ଖୋଲିଥିବା ଷ୍ଟଲରୁ ୪୦ କୋଟି ଟଙ୍କାରୁ ଅଧିକ ବେପାର ହେବା କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।
କଟକ ବାଲିଯାତ୍ରା (Cuttack Balijatra 2023) ନଭେମ୍ବର ୨୭ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବାକୁ ଥିବା ବେଳେ ପ୍ରବଳ ଭିଡ଼ ଓ ଲୋକଙ୍କ ଉତ୍ସାହକୁ ନଜରରେ ରଖି ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ଡିସେମ୍ବର ୫ ତାରିଖ ମଙ୍ଗଳବାର ଦିନ ବାଲିଯାତ୍ରା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ସବୁଠୁ ଅଧିକ ବେପାର ହୋଇଛି ଓରମାସ ଷ୍ଟଲରେ । ବାଲିଯାତ୍ରା ତଳ ପଡ଼ିଆରେ ଓରମାସ ପରିସରରେ ଚଳିତ ବର୍ଷ ମୋଟ ୪୫୦ ଟି ଷ୍ଟଲ ପଡ଼ିଥିଲା। ୯ଦିନରେ ସେହି ଷ୍ଟଲ ଗୁଡିକରେ ୩୫ କୋଟି ୫୮ ଲକ୍ଷ ଟଙ୍କାର କାରବାର ହୋଇଛି।
ଗତବର୍ଷ ଓରମାସ ପରିସରରେ ୨୪ କୋଟି ୫୬ ଲକ୍ଷର କାରବାର ହୋଇଥିବା ବେଳେ ଚଳିତ ବର୍ଷ ବ୍ୟବସାୟରେ ୫୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ସେହିଭଳି ବାଲିଯାତ୍ରା ତଳ ପଡ଼ିଈର ମିଶନ ଶକ୍ତି ଏସି କମ୍ପ୍ଳେକ୍ସ (Mission Shakti AC Complex) ପରିସରରେ ୫୮ଟି ଷ୍ଟଲ ଖୋଲିଥିବା ବେଳେ ସେଠାରେ ୨କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି। ଭିନ୍ନକ୍ଷମ ଓ କିନ୍ନର ସଶକ୍ତିକରଣ ଷ୍ଟଲରୁ ୨୩ ଲକ୍ଷ ୪୨ ହଜାର ଟଙ୍କାର କାରବାର ହୋଇଛି। କଟକ ପୌର ନିଗମ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ପାଭିଲିୟନରେ ୩ କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି।
ଏଭଳି ବିଭିନ୍ନ ସରକାରୀ ବିଭାଗ (Government Department) ଦ୍ୱାରା ଆୟୋଜିତ ଷ୍ଟଲରୁ ୪୦ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ବେଳେ ବିଭିନ୍ନ ବେସରକାରୀ ଷ୍ଟଲରୁ ୬୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି। ଘରୋଇ ଷ୍ଟଲ ମାନଙ୍କ ମଧ୍ୟରେ ସବୁଠୁ ଅଧିକ କାରବାର ପ୍ରମୁଖ ମସଲା କମ୍ପାନୀଙ୍କ ଷ୍ଟଲରେ ହୋଇଛି। ଗୋଟିଏ ଗୋଟିଏ କମ୍ପାନୀ ଚଳିତ ବର୍ଷ ୩ରୁ ୪ କୋଟି ଚଙ୍କାର କାରବାର କରିଥିବା ସୂଚନା ମିଳିଛି। ଅନ୍ୟପଟେ ଦୋଳି, ଫିସ୍ ଟନେଲ ଭଳି ବ୍ୟବସାୟିକ ସଂସ୍ଥ ଚଳିତ ବର୍ଷ ରେକର୍ଡ ପରିମାଣର ବ୍ୟବସାୟ କରିଛନ୍ତି । କିନ୍ତୁ ଚଳିତ ବର୍ଷ ବିଭିନ୍ନ ସାମଗ୍ରୀର ବିକ୍ରି କ୍ଷେତ୍ରରେ ବାଲିଯାତ୍ରା ନୂଆ ରେକର୍ଡ କରିଥିବା ବେଳେ ଖାଦ୍ୟ ଷ୍ଟଲ ଗୁଡିକରେ ବିକ୍ରି କିନ୍ତୁ ସମ୍ପୂର୍ଣ୍ଣ ମାନ୍ଦା ରହିଥିଲା। ସେହିପରି ବାଲିଯାତ୍ରାର ୯ ଦିନ ଭିତରେ ସବୁଠୁ ଅଧିକ ଭିଡ ଗଲା ରବିବାର ଦିନ ହୋଇଥିବା ବେଳେ ବ୍ୟବସାୟ ଅଧିକ ହୋଇଥିଲା ଶନିବାର ଦିନ। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଲୋକ ମାନେ ଘରକୁ ଘରକରଣା ଠାରୁ ଆରମ୍ଭ କରି ହସ୍ତଶିଳ୍ପ କାରୁକାର୍ଯ୍ୟରେ ତିଆରି ସାମଗ୍ରୀ ଅତ୍ୟଧିକ ମାତ୍ରାରେ କିଣିଛନ୍ତି।
Also Read: ବୋର୍ଡ ପରୀକ୍ଷା ପୂର୍ବରୁ ପଠାଗଲା ନମୁନା ପ୍ରଶ୍ନପତ୍ର, ଜାଣନ୍ତୁ କେମିତି ଉପକୃତ ହେବେ ପରୀକ୍ଷାର୍ଥୀ
Also Read: ଆଜିବି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ