Dengue: କଟକରେ ଡ଼େଙ୍ଗୁ ନେଲା ପ୍ରଥମ ଜୀବନ! ହଟସ୍ପଟରେ ଏହି ଦୁଇ ଜିଲ୍ଲା
Advertisement

Dengue: କଟକରେ ଡ଼େଙ୍ଗୁ ନେଲା ପ୍ରଥମ ଜୀବନ! ହଟସ୍ପଟରେ ଏହି ଦୁଇ ଜିଲ୍ଲା

Dengue: ଶୁକ୍ରବାର ଦିନ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ବଡ଼ମ୍ବା ସରକାରୀ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଁଞ୍ଚିବା ବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ସେପଟେ ସ୍ବାସ୍ଥ୍ୟ ବିଭାଗ ଏହି ମୃତ୍ୟୁକୁ ଡେଙ୍ଗୁ ଜନିତ ମୃତ୍ୟୁ ନୁହେଁ ବୋଲି କହିଛି। 

ସୌ(ସୋସିଆଲ ମିଡିଆ)

Dengue: କଟକରେ ଡ଼େଙ୍ଗୁ ନେଲା ପ୍ରଥମ ମୁଣ୍ତ । ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମୂଳିଆବାଙ୍କ ଗ୍ରାମର ଦୁର୍ଯ୍ୟୋଧନ ଦେହୁରୀଙ୍କ ଶୁକ୍ରବାର ଦିନ ମୃତ୍ୟୁ ହୋଇଛି । ଦୁର୍ଯ୍ୟୋଧନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ତାହା ପଜିଟିଭ୍‌ ଆସିଥିଲା। ଶରୀରରେ ଜ୍ବର ଓ ଡେଙ୍ଗୁର ବିଭିନ୍ନ ଲକ୍ଷଣ ଦେଖାଦେଇଥିଲେ ସୁଦ୍ଧା ସେ ଚିକିତ୍ସା ପାଇଁ ଡାକ୍ତରଖାନା ନଯାଇ ବାହାରେ କ୍ବାକ୍‌ଙ୍କ ପାଖରେ ଚିକିତ୍ସା କରାଇଥିଲେ। ଶୁକ୍ରବାର ଦିନ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ବଡ଼ମ୍ବା ସରକାରୀ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଁଞ୍ଚିବା ବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ସେପଟେ ସ୍ବାସ୍ଥ୍ୟ ବିଭାଗ ଏହି ମୃତ୍ୟୁକୁ ଡେଙ୍ଗୁ ଜନିତ ମୃତ୍ୟୁ ନୁହେଁ ବୋଲି କହିଛି। ତାଙ୍କର ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା ଓ ସିଓପିଡି ଥିବା ସିଡିଏମ୍‌ଓ ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଥାଉ କି, ସେପଟେ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ପ୍ରସୂତିଙ୍କ ଡ଼େଙ୍ଗୁ ଜନିତ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣଙ୍କ ଭିଏସଏସ୍ ନଗରର ଶର୍ମିଷ୍ଠା ସେନାପତି । ଏକ ଶିଶୁକନ୍ୟାଙ୍କୁ ଜନ୍ମ ହେବାର ୭ ଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଗତ ୨୧ ତାରିଖ ଦିନ ଗର୍ଭ ଯନ୍ତ୍ରଣା ଯୋଗୁଁ ଶର୍ମିଷ୍ଠାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୩ ତାରିଖ ଦିନ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସେ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ଥିଲା । ୨୫ ତାରିଖ ଦିନ ସେ ଅସୁସ୍ଥ ଅନୁଭବ କରିଥିଲେ । ଜ୍ବର ଓ ବାନ୍ତି ହେବା ପରେ ଡାକ୍ତର ତାଙ୍କ ଡ଼େଙ୍ଗୁ ପରୀକ୍ଷା କରିଥିଲେ । ରିପୋର୍ଟରେ ଡ଼େଙ୍ଗୁ ପଜିଟିଭ ଆସିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା, ପରେ ଗତ ରବିବାର ଦିନ ଅପରାହ୍ନରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଜାଗମରା ଧର୍ମ ବିହାର ଅଞ୍ଚଳ ୬୩ ନମ୍ବର ୱାର୍ଡ଼ରେ ରହୁଥିବା ୭ ବର୍ଷିୟା ସାଇସ୍ମିତା ସାହୁଙ୍କର ମଧ୍ଯ ଡ଼େଙ୍ଗୁ ଯୋଗୁଁ ମୃତ୍ୟୁ ହୋଇଥିଲା । ଏହା ଚଳିତ ବର୍ଷ ରାଜଧାନୀର ପ୍ରଥମ ଡ଼େଙ୍ଗୁ ଜନିତ ମୃତ୍ୟୁ ଥିଲା ।

Also Read-Gajakesari Yog: ଏହି ଦିନ ସୃଷ୍ଚି ହେବ ଗଜକେଶରୀ ଯୋଗ, ଶୁଭଫଳ ପାଇବା ସହ ମାଲେମାଲ୍ ଏହି ୫ ରାଶି!

ପ୍ରକାଶ ଥାଉ କି, ରାଜଧାନୀରେ ଡ଼େଙ୍ଗୁ (Dengue) ପ୍ରତିହତ ନେଇ ଜୋରଦାର ଉଦ୍ୟମ ଜାରି ରଖିଛି ବିମମସି (BMC) । ଏନେଇ ସପ୍ତାହରେ ଦୁଇ ଦିନ ‘ଡ୍ରାଏ ଡ଼େ’ ଚାଲିଥିବା ବେଳେ ଘର ଘର ଅଭିଯାନକୁ ମଧ୍ଯ ଗୁରୁତ୍ବ ଦିଆଯାଉଛି । ଖାଲି ଏତିକି ନୁହେଁ, ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଁଞ୍ଚାଇବା ଲାଗି ‘ଆଗ୍ରେସିଭ ଆୱାରନେସ’ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ତେବେ ଏତେ ସବୁ ପରେ ବି କାବୁ ହୋଇପାରୁନି ଡ଼େଙ୍ଗୁ । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଛୁଇଁଥିବା ବେଳେ ଡେଙ୍ଗୁ ଆଉ ଏକ ଜୀବନ ନେଇଛି । ଅନ୍ୟପଟେ ଶୁକ୍ରବାର ଦିନ କଟକ ବଡ଼ ଡାକ୍ତରଖାନାରେ ୩୪୪୩ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୨୮ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ରାଜ୍ୟରେ କଟକ ଜିଲ୍ଲାରୁ ୫୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତ୍‌ସିଂହପୁରରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ‌ ସଂଖ୍ୟାରେ ବାଲେଶ୍ବର ତୃତୀୟ ସ୍ଥାନରେ ରହିଥିବା ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ କଟକର ଗ୍ରାମାଞ୍ଚଳରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି।