BJP in Odisha: ଜନସଂଘରୁ ଜନତା ପାର୍ଟି ଭାୟା ବିଜେପି ସରକାର: ପଢ଼ନ୍ତୁ ଓଡ଼ିଶାରେ ବିଜେପି ଉତ୍‍ଥାନର ୧୦ ବିନ୍ଦୁ
Advertisement
Article Detail0/zeeodisha/odisha2289483

BJP in Odisha: ଜନସଂଘରୁ ଜନତା ପାର୍ଟି ଭାୟା ବିଜେପି ସରକାର: ପଢ଼ନ୍ତୁ ଓଡ଼ିଶାରେ ବିଜେପି ଉତ୍‍ଥାନର ୧୦ ବିନ୍ଦୁ

ଅଣ କଂଗ୍ରେସ ରାଜନୀତିଭାବେ ମୁଣ୍ଡ ଟେକିଥିବା ଏହି ରାଜନୀତି କ୍ରମଶଃ ରାଜ୍ୟ ରାଜନୀତିରେ ଅଣ-ବିଜେଡି ହୋଇ ରାଜ୍ୟ ଶାସନଗ୍ରହଣ କରିଛି। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଯାହା ଆପଣ ଜାଣିବା ଆବଶ୍ୟକ। 

BJP in Odisha: ଜନସଂଘରୁ ଜନତା ପାର୍ଟି ଭାୟା ବିଜେପି ସରକାର: ପଢ଼ନ୍ତୁ ଓଡ଼ିଶାରେ ବିଜେପି ଉତ୍‍ଥାନର ୧୦ ବିନ୍ଦୁ

BJP in Odisha:  ଓଡ଼ିଶାରେ ବିଜେପି ଏହାର ନୂଆ ଇନିଂସ ଆରମ୍ଭ କରିଛି।  ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି। ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବାକୁ ଓଡ଼ିଶାର ଜନତା ରାୟ ଦେଇଛନ୍ତି। ଆଉ  କେନ୍ଦ୍ରୀୟ ପରାମର୍ଶରେ ବିଧାୟକ ଦଳ ୪ଥରର ବିଧାୟକ ଆଦିବାସୀ ନେତା ମୋହନଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛି। 

କିନ୍ତୁ ବିଜେପିର ଏହି ସରକାର ଗଠନ ପ୍ରକ୍ରିୟା ଅଚାନକ ନୁହେଁ। ନବୀନଙ୍କ ଅମଲାତାନ୍ତ୍ରିକ ଶାସନ ବିରୁଦ୍ଧରେ ବିଷୋଦଗାରର ଫାଇଦା ମିଳିଥାଇପାରେ କିନ୍ତୁ ନିର୍ବାଚନ ପୂର୍ବ ତିନିମାସର ଶ୍ରମ ଯେ ବିଜେପିକୁ ରାଜ୍ୟରେ ବଳ ଯୋଗାଇଛି ତା’ ନୁହେଁ। ଏ ପ୍ରକ୍ରିୟା ୧୯୫୧ରୁ ଆରମ୍ଭ ହୋଇଛି। ଅଣ କଂଗ୍ରେସ ରାଜନୀତିଭାବେ ମୁଣ୍ଡ ଟେକିଥିବା ଏହି ରାଜନୀତି କ୍ରମଶଃ ରାଜ୍ୟ ରାଜନୀତିରେ ଅଣ-ବିଜେଡି ହୋଇ ରାଜ୍ୟ ଶାସନଗ୍ରହଣ କରିଛି। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଯାହା ଆପଣ ଜାଣିବା ଆବଶ୍ୟକ। 

1. କଂଗ୍ରେସ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ୧୯୫୧ ଅକ୍ଟୋବର ୨୧ ତାରିଖରେ ପ୍ରମୁଖ ବିରୋଧୀ ଦଳ ଭାବେ ଜନସଂଘ ଗଠନ କରାଯାଇଥିଲା। ଦିଲ୍ଲୀରେ ଏହି ଦଳ ରାଷ୍ଟ୍ର ଗଠନକୁ ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲା କିନ୍ତୁ ରାଜ୍ୟରେ ୧୯୭୭ ମସିହା ଯାଏ ଏହିଦଳର କୌଣସି ସଦସ୍ୟ ବିଧାନସଭା ବା ଲୋକସଭାକୁ ନିର୍ବାଚିତ ହୋଇ ପାରି ନଥିଲେ।  ସେତେବଳେ ଜନସଂଘର ଚିହ୍ନ ଥିଲା ପ୍ରଜ୍ଜଳିତ ଦୀପ। 

2. ୧୯୭୭ ନିର୍ବାଚନରେ ତତ୍‍କାଳୀନ ଜନତା ପାର୍ଟିର ଅଂଶୀଦାର ହୋଇଥିଲା ଜନସଂଘ। ସେତେବଳେ ରାଜ୍ୟର ୪ଜଣ ବିଧାୟକ ନିର୍ବାଚିତ ହୋଇଥିଲେ। ସେମାନେ ହେଲେ ବିଶ୍ୱଭୂଷଣ ହରିଚନ୍ଦନ, ବିମ୍ବାଧର କୁଅଁର, ପ୍ରସନ୍ନ କୁମାର ପଟ୍ଟନାୟକ ଏବଂ କ୍ଷୀରୋଦ କୁମାର ସ୍ୱାଇଁ। 

3. ଏମାନଙ୍କ ଭିତରୁ କେବଳ ବିଶ୍ୱଭୂଷଣ ହରିଚନ୍ଦନ ସେତେଳେବେଳେ ଜନତାପାର୍ଟି ସରକାରରେ ମନ୍ତ୍ରୀ ଥିଲେ।  ଏବେ ରାଜ୍ୟପାଳ ଭାବେ କାର୍ଯ୍ୟରତ। ଅନ୍ୟମାନେ ଦିବଂଗତ। 

4. ୧୯୮୦ରେ ଜନତା ପାର୍ଟିର ବିଭାଜନ ହେଲା, ବିଜେପି ଜନ୍ମ ନେଲା। ବାଜପେୟୀ  ଦିଲ୍ଲୀରେ ବିଜେପିର ପ୍ରଥମ ସମାବେଶ ଆହ୍ୱାନ କରିଥିଲେ, ଯେଉଁଥିରେ ଓଡ଼ିଶାରୁ ୨୧ଜଣ ଯୋଗ ଦେଇଥିଲେ। ବିଶ୍ୱଭୂଷଣ ହରିଚନ୍ଦନ ହୋଇଥିଲେ ବିଜେପିର ପ୍ରଥମ ରାଜ୍ୟ ସଭାପତି।

5. ୧୯୮୫ ମସିହାରେ ପ୍ରଥମ କରି ବିଜେପିର ବିଧାୟକ ଭାବେ ପ୍ରସନ୍ନ ପଟ୍ଟନାୟକ କାମାକ୍ଷାନଗରରୁ ନିର୍ବାଚିତ ହୋଇଥିଲେ। 

6. ୧୯୯୦ରେ ବିଜେପି ବିଧାୟକଙ୍କ ସଂଖ୍ୟା ୨ ଥିବା ବେଳେ ୧୯୯୫ରେ ୯କୁ ବୃଦ୍ଧି ପାଇଥିଲା। ୧୯୯୭ରେ ବିଜେଡି ଗଠନ ହୋଇଥିଲା। କେନ୍ଦ୍ରୀୟ ନେତାଙ୍କ ପରାମର୍ଶରେ ରାଜ୍ୟ ବିଜେପି ଏଠାର ଆଞ୍ଚଳିକ ଦଳସହ ମେଣ୍ଟ କଲା।

7. ୨୦୦୦ ମସିହାରେ ନବୀନ ମୁଖ୍ୟମନ୍ତ୍ରୀ ହେଲେ। ବିଜେପିର ୩୮ଜଣ ବିଧାୟକ ତାଙ୍କୁ ସମର୍ଥନ କରିଲେ। ୨୦୦୪ ମସିହାରେ ମଧ୍ୟ ବିଜେପି ୩୨ ଆସନରେ ବିଜୟୀ ହୋଇଥିଲା। କିନ୍ତୁ ଟର୍ଣ୍ଣିଂ ପଏଣ୍ଟ ହେଲା ୨୦୦୮ କନ୍ଧମାଳରେ ସ୍ୱମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ।

8. ୨୦୦୯ ନିର୍ବାଚନରେ ଆଉ ପ୍ରାକ୍‍ ନିର୍ବାଚନୀ ମେଣ୍ଟ ରହିଲା ନାହିଁ। ବିଜେପି ଅନେକ ପ୍ରୟାସ କରିଥିଲେ ମଧ୍ୟ ବିଜେଡି ତାହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହାଦ୍ୱାରା ବିଜେପିର ସଦସସ୍ୟ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ୬କୁ ଖସି ଆସିଲା। ଅର୍ଥାତ୍‍ ମେଣ୍ଟ ପୂର୍ବ ଲୋକପ୍ରିୟତା, ଆସ୍ଥା ବି ରହିଲା ନାହିଁ। ମେଣ୍ଟ ସବୁ ଶକ୍ତିକୁ କ୍ଷୁର୍ଣ୍ଣ କରିସାରିଥିଲା। 

9. ୨୦୧୪ରେ ୧୦ ଆସନ ଜିତିଥିଲା ବିଜେପି। ୨୦୧୯ରେ ୨୩ଟି ଆସନ ଜିତି ବିରୋଧୀ ଦଳ ଭୂମିକା ନିର୍ବାହ କଲା। ଆଉ ୨୦୨୪ରେ ଓଡ଼ିଶାର ଅସ୍ମିତା, ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା, ଭକ୍ତଙ୍କ ପାଇଁ ସୁଗମ ବ୍ୟବସ୍ଥା, ମହିଳା ସଶକ୍ତିକରଣ, ଚାଷୀଙ୍କୁ ଅଧିକ ପ୍ରାପ୍ୟ ପ୍ରଭୃତି ପ୍ରତିଶୃତି ଦେଇ ଲୋକଙ୍କ ହୃଦୟ ଜିତିଲା। ଆଉ ୭୮ ଆସନରେ ବିଜୟ ହୋଇ ବିଧାନସଭାରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ପରିଚିତ ହେଲା। 

10. ଆଜି ଦଳ ଜଣେ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ସରକାର ଗଠନ କରିବାକୁ ଯାଉଛି। ପ୍ରଥମଥର ପାଇଁ ଏପରି ଏକ ତ୍ରିସ୍ତରୀୟ ଶୀର୍ଷ ନେତୃତ୍ୱ ରାଜ୍ୟରେଦେଖିବାକୁ ମିଳିବ। ଯଦିଓ ଏହା ପୂର୍ବରୁ ହେମାନନ୍ଦ ବିଶ୍ୱାଳ ଏବଂ ବସନ୍ତ ବିଶ୍ୱାଳ ନିଜୟ ବର୍ଦ୍ଧିତ ରାଜନୀତିକ କ୍ଷମତା ପାଇଁ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଥିଲେ କିନ୍ତୁ ଓଡ଼ିଶା ରାଜନୀତିରେ ଏକକାଳୀନ ଦୁଇଜଣ ମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ପୂର୍ଣ୍ଣ ନୂଆ। ରାଜ୍ୟପାଳଙ୍କ ଶପଥ ପାଠ ପରେ ରାଜ୍ୟରେ ବିଜେପି ସରକାର ଆଜି ସନ୍ଧ୍ୟାରୁ ଆରମ୍ଭ ହେବ। ରାଜ୍ୟବାସୀଙ୍କ ଉତ୍କଣ୍ଠାକୁ ଏହା କେତେଦୂର ପୂରଣ କରିବ ତାହା ଉପରେ ନିର୍ଭର କରି ଆସନ୍ତା ପଞ୍ଚାୟତ, ପୌର ଏବଂ ସର୍ବୋପରି ବିଧାନସଭା ନିର୍ବାଚନ।