)
Odisha Assembly Budget Session 2024: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ଅଧିବେଶନ ଆରମ୍ଭରୁ ଦିବଙ୍ଗତ ପୂର୍ବତନ ନେତା ଓ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ରାଜ୍ୟପାଳ ରଘୁବର ଦାସ (Raghubar Das,Governor of Odisha) । ଏହା ସହିତ ସହିଦ୍ ମାନଙ୍କ ପାଇଁ ମଧ୍ୟ ଶୋକବ୍ୟକ୍ତ କରିଥିଲେ । ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ । ଅଭିଭାଷଣ ପ୍ରାରମ୍ଭରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Puri Srimandir Parikrama Project) ପ୍ରଂଶସା କରିଥିଲେ ରାଜ୍ୟପାଳ ।
ପରିକ୍ରମା ପ୍ରକଳ୍ପ ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଉତ୍ସର୍ଗ ବୋଲି କହିଛନ୍ତି ରାଜ୍ୟପାଳ । ସେ ନିଜ ଅଭିଭାଷଣରେ ଏହା ମଧ୍ୟ କହିଛନ୍ତି ଯେ, ପୁରୀ ପରିକ୍ରମା ପ୍ରକଳ୍ପ ୮୦୦ କୋଟି ଟଙ୍କାରେ ହୋଇଛି। ଏହା ଶ୍ରଦ୍ଧାଳୁଙ୍କ ପାଇଁ ସରକାରଙ୍କ ଏକ ବଡ଼ ଭେଟି। ଯାହା ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଦିଗକୁ ଟାଣିବ। ଏହି ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବେ। ଏବଂ ଭକ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଏହି ପରିକ୍ରମା ପ୍ରକଳ୍ପରେ ରହିଛି। ଶ୍ରୀମନ୍ଦିର ସୁରକ୍ଷାରେ ଏହି ପରିକ୍ରମା ପ୍ରକଳ୍ପର ଭୁମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ପୁରୀକୁ ଭକ୍ତଙ୍କ ଆଗମନ ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରୁ ଲକ୍ଷ୍ମୀ ଏକ୍ସପ୍ରେସ ବସ୍ ସେବା (Laxmi Bus Service) ଆରମ୍ଭ କରିଛନ୍ତି । ଏହାଦ୍ୱାରା ରାଜ୍ୟବାସୀ ସୁରୁଖୁରୁରେ ପରିକ୍ରମା ପ୍ରକଳ୍ପ ବୁଲିବା ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ରାଜ୍ୟ ସରକାର ସମ୍ବଲପୁରରେ ମା ସମଲେଇ ପରିକ୍ରମା ପ୍ରକଳ୍ପ (Samalei parikrama Project )ଲୋକାର୍ପିତ କରିଛନ୍ତି । ରାଜ୍ୟବାସୀଙ୍କ ଆସ୍ଥା ଓ ଭାବାବେଗକୁ ଦୃଷ୍ଟିରେ ରଖି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ୨୦୦ କୋଟି ଟଙ୍କା ଖର୍ଚ୍ଚରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ମନ୍ଦିର ମା’ସମଲେଇ ମନ୍ଦିରର ନବକଳେବର ହୋଇଛି।