ପ୍ରୋତ୍ସାହନା ଆଳରେ ଆଦିବାସୀ ମହିଳାଙ୍କୁ ପାରଳାଖେମୁଣ୍ଡି ଆଟିଡିଏ ଠକି ଦେଇଥିବା ଅଭିଯୋଗ
Advertisement

ପ୍ରୋତ୍ସାହନା ଆଳରେ ଆଦିବାସୀ ମହିଳାଙ୍କୁ ପାରଳାଖେମୁଣ୍ଡି ଆଟିଡିଏ ଠକି ଦେଇଥିବା ଅଭିଯୋଗ

ITDA Gajapati Paralakhemundi: ମହିଳା ଗୋଷ୍ଠୀକୁ ମାଛ ଚାଷ ପ୍ରୋତ୍ସାହନା ନାମରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ହୋଇଛି ଅଭିଯୋଗ। ବିଭାଗୀୟ ଅଧିକାରୀ, ବେସରକାରୀ ସଂସ୍ଥା, ଠିକାଦାର ମିଳିମିଶି ଠକି ନେଇ ବିଲ କରି ଆଦିବାସୀଙ୍କ ଟଙ୍କାକୁ ଆତ୍ମସାତ କରିଥିବାର ଅଭିଯୋଗ ହୋଇଛି। 

 

ପ୍ରୋତ୍ସାହନା ଆଳରେ ଆଦିବାସୀ ମହିଳାଙ୍କୁ ପାରଳାଖେମୁଣ୍ଡି ଆଟିଡିଏ ଠକି ଦେଇଥିବା ଅଭିଯୋଗ

Parlakhemundi ITDA Gajapati: ରାଜ୍ୟରେ ସ୍ବୟଂ ସହାୟକା ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ମସୁଧାରେ ସରକାର ୫ଟି ଯୋଜନାରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଉଛନ୍ତି। ହେଲେ ଖୋଦ ଆଟିଡିଏ ସଂସ୍ଥା ବିଭିନ୍ନ ଆଦିବାସୀ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ଦିବାଲୋକରେ ପ୍ରୋତ୍ସାହନା ନାମରେ ଶୋଷଣ କରିବାରେ ଲାଗିଛି। ଏଭଳି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଏହାର ଉଦାହରଣ ଦେଖିବାକୁ ମିଳିଛି।

ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ନିରୀହ ଆଦିବାସୀ ଲୋକଙ୍କ ସରଳତାର ସୁଯୋଗ ନେଇ ପାରଳାଖେମୁଣ୍ଡି ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମିଶନ ଜୀବିକା ପ୍ରକଳ୍ପ ନାମରେ ବିଭିନ୍ନ ଯୋଜନାରେ ପ୍ରତ୍ସାହନା ଯୋଗାଇଦେବା ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବାର ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ଏହି କାର୍ଯ୍ୟାଳୟରେ ଦୁର୍ନୀତି ଚାଲିଥିବା ବେଳେ ଗତ ବର୍ଷ ଉନ୍ନତ କିସମର ଅଦା, ହଳଦୀ ସହ ମୃଦଙ୍ଗ କିଣାରେ ୩ କୋଟିର ଦୁର୍ନୀତି ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହା ପରେ ପ୍ରାକ୍ତନ ପ୍ରକଳ୍ପ ପ୍ରଶାସକ ସରୋଜ ବେହେରାଙ୍କୁ ଅନ୍ୟତ୍ର ବଦଳି କରିଥିଲେ ସରକାର। ଚଳିତ ବର୍ଷ ମଧ୍ୟ ମାଛ ଚାଷରେ ହୋଇଥିବା ଦୁର୍ନୀତି   ପଦାକୁ ଆସିବା ପରେ ପୁଣି ଆଉ ଏକ କର୍ମଚାରୀଙ୍କୁ ବହିଷ୍କୃତ କରିଛନ୍ତି ବିଭାଗୀୟ ଅଧିକାରୀ। କ୍ରମାଗତ ଭାବେ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତୀ ପଦାକୁ ଆସିବାରେ ଲାଗିଛି।

ମାଛଚାଷ ଚାଷ ପାଇଁ ଯୋଗାଇ ଦିଆଯାଇଥିବା ପ୍ରୋତ୍ସାହନା ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଟିଡିଏ ପକ୍ଷରୁ ମିଶନ ଜୀବିକା ପ୍ରକଳ୍ପ ଜରିଆରେ ଜିଲ୍ଲାର ତିନୋଟି ବ୍ଲକରେ ୫୮ ପୋଖରୀରେ ବିଭିନ୍ନ ହିତାଧିକାରୀଙ୍କୁ ମାଛଚାଷ ପାଇଁ ପ୍ରତ୍ସାହନା ଯୋଗାଯାଇଥିଲା। ମୋହନାର ୧୬ ଏବଂ ଉଦୟଗିରିର ୧୨, ଏପରି ମୋଟ ୨୮ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀକୁ ଗ୍ରାମ୍ୟ ପୋଖରୀରେ ମାଛଚାଷ ପାଇଁ ପ୍ରତି ଗ୍ରୁପ ପିଛା ବର୍ଷିକିୟା ମାଛଯାଁଳା ୧୦୦ କେଜି, ମାଛ ଦାନା ୬୦୦ କେଜି, ଚୂନ ୨୭ କେଜି, ପ୍ଲାଙ୍କଟଲାଇଫ ୨.୮୪ କେଜି ଯୋଗାଣ କରାଯାଇଥିବା ନେଇ ଦର୍ଶାଯାଇଛି। ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟକ୍ତିଗତ ପୋଖରୀ ରହିଥିବା ୩୦ ଜଣ ହିତାଧିକାରଙ୍କୁ ମାଛଚାଷ ପାଇଁ ପ୍ରତି ପୋଖରୀ ପିଛା ୫୦ କେଜି ବର୍ଷିକିଆ ମାଛ ଯାଁଳା, ମାଛ ଦାନା ୩୫୦ କେଜି, ଚୂନ ୨୭ କେଜି, ପ୍ଲାଙ୍କଟଲାଇଫ ୨.୮୪ କେଜି ଦେଇଥିବା ଦର୍ଶାଇ ସମୁଦାୟ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବିଲ କରାଯାଇଛି ।

ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ। ମହିଳାଙ୍କ ଅଭିଯୋଗ ପାଇବା ପରେ  ମୋହନା ବ୍ଲକର ମହୁଲମେଲାଣି ଗ୍ରାମର ସୀତା ଏସଏଚଜି, ଶିକୁଳିପଦର ଗ୍ରାମର ମାଁ ମଙ୍ଗଳା ଏସଏଚଜି, ରା ଉଦୟଗିରି ବ୍ଲକର ପାତ୍ରବସା ଗ୍ରାମର ମାଁ କନ୍ୟାଦେବୀ ଏସଏଚଜି ,ଡମ୍ବଢିଅ ଗ୍ରାମର ମାଁ ବ୍ରାହ୍ମଣଦେଇ ମହିଳା ମଣ୍ଡଳଙ୍କୁ ପଚାରିଥିଲୁ। ଏନେଇ ସେମାନେ କହିଥିଲେ ପ୍ରତି ଗୋଷ୍ଠୀକୁ ୨୮ କେଜି ମାଛ ଜାଁଳା, ୩୫୦ କେଜି ମାଛଦାନା, ସ୍ବଳ୍ପ ପରିମାଣର ଚୂନ ଏବଂ ପ୍ଲାଙ୍କଟଲାଇଫ  ଦେଇଥିଲେ। ହେଲେ ଅଧିକାଂଶ ମାଛ ଯାଁଳା ଦେବା ବେଳେ ଅନେକ ମରିଯାଇଥିଲେ। ମଲା ମାଛ ଯାଳା ପୋଖରୀରେ ପକାଯାଇଥିଲା। ଯାହା ଫଳରେ ତାହାର ଯତ୍ନ ନେବା ବୃଥା ପରିଶ୍ରମ ହେବା ସହ ମାଛଚାଷରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀ ସଦସ୍ୟ। ଏଥିପାଇଁ ସମୃକ୍ତ ଅଧିକାରୀଙ୍କୁ ମଲା ମାଛର ଫଟୋ ପଠାଇ ଅସୁବିଧା ଜଣାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବା ମିଥ୍ୟା ପ୍ରତିଶୃତି ଦିଆଯାଇଥିବା କହିଛନ୍ତି ମହିଳା ଗୋଷ୍ଠୀ।

ସେହିପରି ଜମି ମରାମତି, ଜୀବନ ଜୀବିକା ପାଇଁ କୁକୁଡା ଚାଷ, ବାଡ ବେଢାଇବା ପାଇଁ ଜାଲି ଯୋଗାଣ, ଜମି ପାଇଁ ପମ୍ପସେଟ ସହ ପାଇପ ଯୋଗାଣ, କୀଟନାସକ ଛିଞ୍ଚନ ଯନ୍ତ୍ର ଯୋଗାଣରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମୋହନା ବ୍ଲକର ବିଭିନ୍ନ ସ୍ଥାନର ଆଦିବାସୀ ହିତାଧିକାରୀ ଅଭିଯୋଗ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଶିକୁଳିପଦର ଗ୍ରାମ ପଞ୍ଚାୟତର ମହାକୁପା ଗ୍ରାମର ପୂର୍ଣ୍ଣ ଦଳାଇ, ରମା ପାଇକ, ସତ୍ୟ ପାଇକ, ଭାସ୍କର ପାଇକ, ରମେଶ ପାଇକ ୫ ଜଣଙ୍କ ନାମରେ ଜମି ମରାମତି କାମ କରାଯାଇଥିବା ନେଇ ବିଲ କରି ଅର୍ଥ ଆତ୍ମସାତ ହୋଇଛି। କୌଣସି ଜମି ମରାମତି କରାନଯାଇ କେବଳ ଫଟୋ ଉଠାଇ ସମ୍ପୃକ୍ତ କର୍ମଚାରୀ ସଞ୍ଜୟ ଛୋଟେଇ ଏବଂ ମନୋଜ ପାଢୀ ଅର୍ଥ ଆତ୍ମସାତ କରିଦେଇଛନ୍ତି। ଆଜି ପର୍ଯ୍ୟନ୍ତ ହିତାଧିକାରୀ ଟଙ୍କା ମାଗିଲେ ମିଥ୍ୟା ପ୍ରତିଶୃତି ଦେଇ ସେମାନଙ୍କୁ ଠକି ଦିଆ ଯାଉଥିବାର ଅଭିଯୋଗ ହୋଇଛି। ମହାକୁପା ଗ୍ରାମର ୩ ଜଣ ଚାଷ5ୀଙ୍କୁ ଏକ ପମ୍ପସେଟ ଯୋଗାଣରେ ୨୫୦୦ ଟଙ୍କା ଗାଡି ଭଡା ବାବଦରେ ନେଇଛନ୍ତି। ୬ ଜଣଙ୍କ ନାମରେ ବାଡ ବୁଲାଇବା ପାଇଁ ଲୁହାଜାଲି ଦିଆ ଯିବା ପାଇଁ ମଧ୍ୟ ଟଙ୍କା ମାଗି ନେଇଥିଲେ। 

କେବଳ ମହାକୁପା ଗ୍ରାମରେ ଏଭଳି ଠକେଇ ହୋଇଥିବା ବେଳେ ଅନ୍ୟାନ୍ୟ ଗ୍ରାମରେ ମଧ୍ୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସୁଛି। ମୋହନା ବ୍ଲକର କ୍ଷେତ୍ର କର୍ମଚାରୀ ଭାବେ କାର୍ଯ୍ୟରତ ସିସିଡି ସଂସ୍ଥାର ସଞ୍ଜେଇ ଛୋଟେଇ ଅନେକ ବର୍ଷ ଧରି ବ୍ଲକର ବିଭିନ୍ନ ସ୍ଥାନରେ ମନେରେଗା ଯୋଜନାରେ ହେଉଥିବା ଜମି ମରାମତି କାମରେ ବ୍ୟାପକ ଅନିୟମିତତା, ଜାଲିଆତି କରି ଆଦିବାସୀଙ୍କ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ମୋହନା ବ୍ଲକର ଗୁରୁଝୁଳୀ, ମାଣ୍ଡିମେରା, ଖାରିଗୁଡା, କଟାମା,ରାଇପଙ୍କା ଗ୍ରାମର ସରପଞ୍ଚ ସମିତିସଭ୍ୟ ଏକତ୍ରୀତ ହୋଇ ଗତ ମଙ୍ଗଳବାର ଗଜପତି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି। ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ସଞ୍ଜୟ ଛୋଟେଇ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।

ଏହି ଦୁର୍ନୀତି ଅଭିଯୋଗ ସମ୍ପର୍କରେ ପାରଳାଖେମୁଣ୍ଡି ଆଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଥିଲେ। ଘଟଣା ନେଇ ଆମେ ଗଜପତି ଜିଲ୍ଲାପାଳ ସୃତି ରଞ୍ଜନ ପ୍ରଧାନଙ୍କୁ ପଚାରିଥିଲୁ। ଏନେଇ ଜିଲ୍ଲାପାଳ କହିଛନ୍ତି ତଦନ୍ତ ପରେ ସବୁ କିଛି ସ୍ପଷ୍ଟସ ହୋଇଯିବ ବୋଲି କହିଛନ୍ତି। ଆଦିବାସୀଙ୍କ ବିକାଶ ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସହାୟତା ଯୋଗାଇ ଦେଉଛନ୍ତି। ଲାଭଖୋର ମନୋବୃତ୍ତି ସହ ଠିକାଦାର ପ୍ରୀତିପୋଷଣ ଏବଂ ମଧୁଚନ୍ଦ୍ରିକା ନୀତି କାରଣରୁ ବାସ୍ତବ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ। ଏଭଳି ସାଙ୍ଗାତିକ ଅଭିଯୋଗ ଆସିବା ପରେ ସରକାର କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର।