Odisha News: ଲଘୁଚାପ ବର୍ଷା ଆଶ୍ୱସ୍ତି ଆଣିଲା, ସ୍ୱାଭାବିକ ନହେଲେ ଭୟଙ୍କର ହୋଇପାରେ ମରୁଡ଼ି ଅବସ୍ଥା
Advertisement

Odisha News: ଲଘୁଚାପ ବର୍ଷା ଆଶ୍ୱସ୍ତି ଆଣିଲା, ସ୍ୱାଭାବିକ ନହେଲେ ଭୟଙ୍କର ହୋଇପାରେ ମରୁଡ଼ି ଅବସ୍ଥା

 ଚଳିତବର୍ଷ ସମାନ ଚିତ୍ର ରହିଛି । ଏହି ସମୟରେ ଧାନରୁଆ ସମୟରେ ତଳିପକା କାମ ସରିନି । ଆଗକୁ ବର୍ଷା ନହେଲେ ଚଳିତ ବର୍ଷ ମଧ୍ୟ କ୍ଷତି ସହିବା ଜଳଜଳ ଦେଖାଗଲାଣି ।

Odisha News: ଲଘୁଚାପ ବର୍ଷା ଆଶ୍ୱସ୍ତି ଆଣିଲା, ସ୍ୱାଭାବିକ ନହେଲେ ଭୟଙ୍କର ହୋଇପାରେ ମରୁଡ଼ି ଅବସ୍ଥା

Odisha News: ଖୋର୍ଦ୍ଧା : ରାଜ୍ୟରେ ଗଜା ମରୁଡି ସ୍ଥିତି ଆସନ୍ନ । ଶ୍ରାବଣ ମାସ ଦୁଇ ସପ୍ତାହ ବିତିଲାଣି, ବର୍ଷାର ଦେଖାନାହିଁ। ପ୍ରାୟ ଜୁନ ୧୪ତାରିଖ ବେଳକୁ ଓଡ଼ିଶାରେ ମୌସୁମୀ ଆସିଥାଏ। ଚାଷୀ ମୌସୂମୀ ଆଗମନ ପୂର୍ବରୁ ଧାନବୁଣି ଥାଏ ଏବଂ ଧାନତଳି ପକାଇଥାଏ । ଚଳିତବର୍ଷ ମୌସମୀ ଆଗମନରେ ବିଳମ୍ବ, ସ୍ୱଳ୍ପ ବୃଷ୍ଟି କାରଣରୁ ବୁଣାଯାଇଥିବା ଧାନ ଗଜାମରୁଡି ହେବା ସହ ଅଦ୍ୟାବଧି ଅନେକ ସ୍ଥାନରେ ଧାନତଳି ପକାଯାଇପାରିନାହିଁ। ଏବେ ବି ରାଜ୍ୟର ୧୮ଟି  ଜିଲାରେ ସ୍ୱାଭାବିକ ବର୍ଷା ଠାରୁ ଯଥେଷ୍ଟ କମ୍ ପରିମାଣ ବର୍ଷା ହୋଇଛି, ଯାହା ପାଣିପାଗ ସୁତ୍ରରୁ ଜଣାପଡିଛି । ଏଥିରେ ଖୋର୍ଦ୍ଧା ଜିଲା ମଧ୍ୟ ରହିଛି। 

ଜିଲାରେ ଜୁଳାଇ ମାସରେ ଆବଶ୍ୟକ ଠାରୁ କମ୍ ବର୍ଷା କାରଣରୁ ଚାଷୀ ନିରାଶ ହୋଇବସିଛି । ଯଦିଓ ଗତ ଦୁଇ ଦିନ ହେଲା ଲଘୁଚାପ ବର୍ଷା ଚାଷୀ ପାଇଁ ଆଶ୍ୱସ୍ତି ଆଣିଛି । ବିଲରେ ପାଣି ଜମି ରହିଛି । ତେବେ ଏହା ଯଥେଷ୍ଟ ନୁହଁ । ଧାନ ବେଉଷଣ ଏବଂ ରୁଆପୋତା ସମୟରେ ସ୍ୱଳ୍ପ ବୃଷ୍ଟି ଚାଷୀଙ୍କ ସମସ୍ୟା ବଢାଇଛି । ଆଗକୁ ମୌସୁମୀ ବର୍ଷା ନହେଲେ ଜମିରୁ ଧାନ ଉଦ୍ଧେବ ତ ଦୂରର କଥା ଧାନଗଜା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଗାମୀ ସପ୍ତାହ ମଧ୍ୟରେ ସ୍ୱାଭାବିକ ବର୍ଷା ନହେଲେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ଆଶଙ୍କାକୁ ଏଡାଇ ନଯାଇପାରେ । 

ପ୍ରାପ୍ତ ସୂଚନା ପ୍ରକାରେ ବର୍ତମାନ ସୁଦ୍ଧା ଜିଲାରେ ୭୦ପ୍ରତିଶତ ଜମିରେ ତଳିବୁଣା ହୋଇପାରିନାହିଁ। ଜଳସେଚିତ ଜମିରେ ବୁଣାକାମ ସରିଥିବା ବେଳେ ଅଣଜଳସେଚିତ ଜମିରେ ବର୍ଷା ଅଭାବରୁ ତଳି ପୋଡି ଯାଇଥିବା ଜଣାପଡିଛି। ଏବେ ବର୍ଷା ହେବା ପରେ ଚାଷୀ ପୁଣି ଥରେ ବୁଣାକାର୍ଯ୍ୟକୁ ଆଗଭର ହୋଇଛି। ପ୍ରକାଶ ଯେ, ଗତ ଦୁଇବର୍ଷ ଧରି ସ୍ୱାଭାବିକ ଠାରୁ କମ୍ ବର୍ଷା, ଅନାବୃଷ୍ଟି ଯୋଗୁ ଚାଷ କାଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଯେଣେତେଣେ ପ୍ରକାରେ ଚାଷୀ ଚାଷ କରିଥିବା ବେଳେ ଅମଳ ସମୟରେ ଲଘୁଚାପ ବର୍ଷା, ବନ୍ୟା ବାତ୍ୟା ଯୋଗୁ ଜମିରେ ପାଣି ପାଚିଲା ଧାନ ପଚିଷଢି ନଷ୍ଟ ହୋଇଥିଲା। 

ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ରହିଛି। କେନାଲରେ ପାଣି ନାହିଁ। ମଲାଗୁଣି ଓ ରାଜୁଆ ବ୍ୟାରେଜରେ ପାଣି ନାହିଁ। ପ୍ରତିବର୍ଷ ଚାଷୀ ଏନେଇ ହୋହ୍ଲାଲ୍ଳା କରୁଛନ୍ତି। ଜଳସେଚନ ଏବଂ ଜିଲା ପ୍ରଶାସନକୁ ଦାବିପତ୍ର ଦେଉଛନ୍ତି। ତେବେ ପ୍ରତିଶୃତି ଛଡା କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀ ପ୍ରତିବର୍ଷ ଚାଷୀ କ୍ଷତି ସହୁଛନ୍ତି। ଜଳସେଚନ ଅଭାବରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଚାଷୀଙ୍କ ମହଲରୁ ବାରମ୍ବାର ଦାବି ସତ୍ୱେ ରାଜନୈତିକ ଇଚ୍ଚାଶକ୍ତି ଏବଂ ପ୍ରଶାସନିକ ଅବହେଳା ଏଥିରେ ବାଧକ ସାଜିଛି। 

କୃଷି ବିଭାଗର ସୂଚନା ପ୍ରକାରେ ଜିଲାରେ ଚଳିତ ବର୍ଷ ୧ ଲକ୍ଷ ୨୦ହଜାର ୧୫୦ହେକ୍ଟର ଚାଷ ଜମି ରହିଛି । ଚଳିତ ଖରିଫ ଋତୁରେ ୧ଲକ୍ଷ ୩ହଜାର ୧୬୦ହେକ୍ଟର ଜମିରେ ଧାନ ଫସଲ ହେବ । ତନ୍ମମଧ୍ୟରୁ ୧୭ହଜାର ୪୭୫ ହେକ୍ଟର ଢିପ, ୪୩ହଜାର୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮,୮୦୭ ହେକ୍ଟର ତଳିଆ ଜମିରେ ଖରିଫ ଧାନ ଫସଲ ଅମଲ ଲକ୍ଷ୍ୟ ରହିଥିବା ବେଳେ ୨ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ସେହିପରି ଦୟା,ମଲାଗୁଣୀ, ରଣ ପ୍ରଭୃତି ନଦୀ ଦ୍ୱାରା ୨୧,୦୯୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ କେନାଲ ଦ୍ୱାରା ୬୮୧୫ହେକ୍ଟର ଜମି, ଉଠାଜଳସେଚନ ଦ୍ୱାରା ୩୩୧୭ ହେକ୍ଟର, ନଳକୂପ ଜରିଆରେ୭୩୦ ହେକ୍ଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ଦ୍ୱାରା ୧୫୯ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇଥାଏ । ଜିଲା ବ୍ୟାପୀ ପ୍ରାୟ୫୬,୭୨୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ରହିଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି । 

ଭାଜପା କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ କୁହନ୍ତି ଚାଷୀ ପତିବର୍ଷ ସ୍ୱଳ୍ପ ବୃଷ୍ଟି, ଅନାବୃଷ୍ଟି ପରେ ବନ୍ୟା ବାତ୍ୟା କାରଣରୁ କ୍ଷତି ସହୁଛନ୍ତି । ସରକାର କେବଳ ଘୋଷଣା, ଭାଷଣବାଜୀରେ ସୀମିତ ରହିଛନ୍ତି । ରାଜ୍ୟ ସରକାର ୩୫ପ୍ରତିଶତ ଚାଷ ଜମିକୁ ଜଳସେଚନ ପାଇଁ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ କରନ୍ତୁ । ମହାନଦୀରେ ଛତିଶଗଡ ବ୍ୟାରେଜ ହେଲେ ଓଡ଼ିଶାର କିଛି କ୍ଷତି ହେବ ନାହିଁ କହୁଥିବା ରାଜ୍ୟ ସରକାର ଏବେ ମହାନଦୀକୁ ନେଇ କୁମ୍ଭୀର କାନ୍ଦଣା ହାସ୍ୟସ୍ପଦ । ରାଜ୍ୟରେ ଆସନ୍ନ ମରୁଡି ଜଳ ଜଳ ଦେଖାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଜିଲା ଗସ୍ତ କରି ସେ ସମ୍ପର୍କରେ ନୀରବ ରହିବା ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି । ସଚିବ ଜିଲା ଗସ୍ତ ବେଳେ ଚାଷୀଙ୍କ ସମସ୍ୟା କଥା ମଧ୍ୟ ବୁଝନ୍ତୁ, ବାସ୍ତବ ଚିତ୍ର ଜାଣିପାରିବେ ବୋଲି ମଙ୍ଗରାଜ କହିଛନ୍ତି । 

ଅନ୍ୟପଟେ ସ୍ଥାନୀୟ ଚାଷୀଙ୍କ ଉତର ହେଲା ଗତବର୍ଷ ସ୍ୱଳ୍ପ ବୃଷ୍ଟି ପରେ ବନ୍ୟା ବାତ୍ୟା ଫସଲ ଉଜାଡି ଦେଲା । ଚଳିତବର୍ଷ ସମାନ ଚିତ୍ର ରହିଛି । ଏହି ସମୟରେ ଧାନରୁଆ ସମୟରେ ତଳିପକା କାମ ସରିନି । ଆଗକୁ ବର୍ଷା ନହେଲେ ଚଳିତ ବର୍ଷ ମଧ୍ୟ କ୍ଷତି ସହିବା ଜଳଜଳ ଦେଖାଗଲାଣି । ଅକ୍ଷୟ ତୃତୀୟା ଠାରୁ ଅଖି ମୁଠି ଅନୁକୂଳ ପରେ ଧାନ ବୁଣାଯାଇଥାଏ । ଜୁନ ମାସରେ ତଳିପକା ଯାଇ ଜୁଳାଇ ମାସରେ ଧାନରୁଆ କାମ କରାଯାଇଥାଏ । ତେବେ ଚଳିତବର୍ଷ ସ୍ୱାଭାବିକ ଠାରୁ କମ୍ ବର୍ଷା କାରଣରୁ ଦୁଇଥର ବିହନ ବୁଣାଯାଇଛି । ବର୍ଷାର ଦେଖା ନଥିବାରୁ ଜମି ଫାଠି ଆଁ କଲାଣି । ତେବେ ଦୁଇ ଦିନ ଲଘୁଚାପ ବର୍ଷା କାରଣରୁ ଜମିରେ ପାଣି ଜମି ରହିଛି ।