Trending Photos
Odisha News: ଭୁବନେଶ୍ୱର: ଦିନକ ପରେ ଅର୍ଥାତ ମଙ୍ଗଳବାର ଠାରୁ କାର୍ତ୍ତିକ ମହାପଞ୍ଚୁକ ବ୍ରତ ଆରମ୍ଭ ହେବ। ପଞ୍ଚୁକ ୫ ଦିନ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ବର୍ଷକରେ ଥରେ ଦର୍ଶନ ଦେଇଥାଆନ୍ତି। ତେଣୁ ଏହି ୫ ଦିନକୁ ଚାତକ ଭଳି ଚାହି ରହିଥାଆନ୍ତି ଶ୍ରଦ୍ଧାଳୁ। ଚଳିତ ବର୍ଷ ତିଥି କ୍ଷୟ ପଡୁଥିବାରୁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳିତ ହେବ। ଫଳରେ ଭକ୍ତ ୪ ଦିନରେ ୪ଟି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ।
ଦେବ ଉତ୍ଥାପନ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହ ପ୍ରତ୍ୟହ ଭିନ୍ନ ଭିନ୍ନ ବେଶରେ ସୁସଜ୍ଜିତ ହୋଇ ଦର୍ଶନ ଦେବେ। ୧୨ ତାରିଖ ଅର୍ଥାତ ପଞ୍ଚୁକ ପ୍ରଥନ ଦିନରେ ଲକ୍ଷ୍ମୀନାରାୟଣ ବେଶ, ୧୩ ତାରିଖରେ ବାଙ୍କଚୁଡ଼ା ବେଶ, ୧୪ରେ ଡାଳିକିଆ ତଥା ତ୍ରିବିକ୍ରମ ବେଶ ଓ ୧୫ ତାରିଖରେ ରାଜାଧିରାଜ ବେଶ ବା ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବେ। ସାଧାରଣତଃ ପଞ୍ଚୁକର ପ୍ରଥମ ଦିନରେ ଠାକୁରଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇତାଏ। ତିଥି କ୍ଷୟ ପଡୁଥିବାରୁ ଏ ବର୍ଷ ଏହି ବେଶ ହେବ ନାହିଁ। ଫଳରେ ଚଳିତ ବର୍ଷ ମହାପ୍ରଭୁଙ୍କର ଏହି ଦୁର୍ଲଭ ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବେ।
ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ମରିଚିକୋଟ ଛକ ଠାରୁ ସିଂହ ଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ ଦେଇ ସିଂହ ଦ୍ୱାର, ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଏହି ଦିନରେ କେବଳ ସିଂହଦ୍ୱାରରେ ଶ୍ରଦ୍ଧାଳୁ ପ୍ରବେଶ କରିବେ। ଦର୍ଶନ କରିବା ପରେ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଶ୍ରୀମନ୍ଦିର ଭିତରେ ଓ ବାହାରେ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନସପେକ୍ଟର ସମେତ ଅନ୍ୟ ଅଧିକାରୀମାନଙ୍କ ସହ ମୋଟ ୩୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ।
ସେହିପରି ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ମହୋଦଧି ଓ ବିଭିନ୍ନ ପୁଷ୍କରିଣୀରେ ଡଙ୍ଗା ଭସାଇ ନିଜ ବ୍ରତକୁ ଉଦଯାପନ କରିବାକୁ ଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।