)
Odisha News: ଏକ ଟଙ୍କାରେ ଟିଫିନ୍ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ। ଟିଫିନ୍ ସେଣ୍ଟରରେ କେବେ ଇଡ଼ଲି ତ କେବେ ବରା ତ କେବେ ପାଉଁରୁଟି ଭଳି ଭଳିକି ଭଳି ଟିଫିନ । ବରଗଡ଼ ଜିଲ୍ଲା ର ମୁଖ୍ୟ ହସପିଟାଲ୍ ସମ୍ମୁଖରେ ରହିଛି ଏହି ଜଳଖିଆ ଦୋକାନ। ସପ୍ତାହର ପ୍ରତ୍ୟକ ରବିବାର ଦିନ ଗ୍ରାହକଙ୍କୁ ମାତ୍ର ଏକ ଟଙ୍କାରେ ଟିଫିନ୍ ଯୋଗାଇ ଥାଆନ୍ତି ବରଗଡ଼ ଖେଦାପାଲିର ଉମେଶ ପ୍ରଧାନ।
ସୂଚନା ଅନୁସାରେ, ଡିସେମ୍ବର ୨୨ ର ଗୋଟିଏ ଦିନ ଉମେଶ ପ୍ରଧାନଙ୍କୁ ଖୁବ ମର୍ମାହତ କରିଥିଲା । ସେ ଦିନ ଗୋଟିଏ ମର୍ଡର ଘଟଣାକୁ ନେଇ ବରଗଡ଼ ହସ୍ପିଟାଲ ସମ୍ମୁଖରେ ଥିବା ସମସ୍ତ ଦୋକାନ ବଜାର ପୋଡି ଦିଆଯାଇଥିଲା । ରୋଗୀ ଓ ତାଙ୍କର ପରିଜନଙ୍କୁ ସେଠାରେ ଚା କପେ କିମ୍ବା ପାଣି ଟିକେ ମଧ୍ୟ ପିଇବାକୁ ମିଳି ନ ଥିଲା । ସେ ଦିନ ସେ ଯାଇ ଘରେ ଏ କଥା କହିଥିଲେ । ଘର ଲୋକେ ମଧ୍ୟ ତାଙ୍କ ମନ କଥା ବୁଝିପାରି ଏହି ଟଙ୍କିକିଆ ଟିଫିନ୍ ବ୍ୟବସ୍ଥା କରିବାକୁ କହିଥିଲେ। ସେଇ ଦିନ ଠାରୁ ସେ ପ୍ରତ୍ୟେକ ରବିବାର ବରଗଡ଼ ହସ୍ପିଟାଲ ସମ୍ମୁଖରେ ତାଙ୍କର ସାଙ୍ଗ ଙ୍କ ସହ ମିଶି ଏକ ଟଙ୍କିକିଆ ଜଳଖିଆ ସେବା ଆରମ୍ଭ କରିଥିଲେ ।
ଆସ୍ତେ ଆସ୍ତେ ଏବେ ଲୋକେ ମଧ୍ୟ ତାଙ୍କୁ ଆର୍ଥିକ ସହଯୋଗ ଦେଉଛନ୍ତି। ସେଥିପାଇଁ ସେ ଜାନି ଯାତ୍ରା ରେ ମଧ୍ୟ ଲୋକଙ୍କୁ ଟଙ୍କିକିଆ ଟିଫିନ ଦେଉଛନ୍ତି । ଅନେକ ନିଜର ଜନ୍ମ ଦିନ, ବିବାହ ବାର୍ଷିକୀ ଏଭଳି କାର୍ଯ୍ୟକ୍ରମରେ ମଧ୍ୟ ଆର୍ଥିକ ସାହାଯ୍ୟ କରିଥାନ୍ତି । ଯାହା ଦ୍ୱାରା ଏବେ ଏହା ବ୍ୟାପକ ହୋଇପାରିଛି। ଆଗକୁ ଏହି ଟଙ୍କିକିଆ ଜଳଖିଆ ସେବା ପ୍ରତ୍ୟେକ ଦିନ ଚାଲୁ କରିବା ପାଇଁ ଚେଷ୍ଟା କଟାଯାଉଛି ବୋଲି କହିଛନ୍ତି ଉମେଶ।