Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1860776

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର ।

ସୌ(ସୋସିଆଲ ମିଡିଆ)

Top 10 News Headlines: 1.ଅଲଗା ହେବ ଛାପାଖାନା ନିର୍ଦ୍ଦେଶାଳୟ: ବାଣିଜ୍ୟ ବିଭାଗ ଅଧୀନରେ ଥିବା ଛାପାଖାନା ନିର୍ଦ୍ଦେଶାଳୟକୁ ଅଲଗା କରାଯିବ। ୧୯୭୧ ମସିହାରେ ଏହି ଛାପାଖାନା ବିଭାଗକୁ ପୂର୍ତ୍ତ ବିଭାଗରୁ ଅଣାଯାଇ ବାଣିଜ୍ୟ ବିଭାଗ ସହ ଯୋଡ଼ାଯାଇଥିଲା। ଏହାସହ ବାଣିଜ୍ୟ ଓ ପରିବହନ ଉଭୟ ବିଭାଗକୁ ଏକାଠି କରାଯିବ। ଏନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଉଭୟ ବିଭାଗ ପାଇଁ ଗୋଟିଏ ବଜେଟ୍‍ ବ୍ୟବସ୍ଥା କରାଯିବ। 

2.ବୁଣାକାର ହସ୍ତଶିଳ୍ପୀଙ୍କ ପାଇଁ ସ୍ୱତନ୍ତ୍ର ବୀମା: ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ଏକ ସ୍ୱତନ୍ତ୍ର ବୀମା ଯୋଜନା ଘୋଷଣା କରିବେ ରାଜ୍ୟ ସରକାର । ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ସେମାନେ ଭିନ୍ନ ଭିନ୍ନ ବୀମାରେ ଅନ୍ତର୍ଭୁକ୍ତ ରହିଛନ୍ତି। ଏହାକୁ ଏକତ୍ର କରାଯାଇ ଗୋଟିଏ ବୀମା ଯୋଜନା କାର୍ଯ୍ୟକାରୀ କରାଯିବ।

3.ଅକ୍ଟୋବର ୧ତାରିଖରୁ ଗାଡ଼ି ପଞ୍ଜୀକରଣ ପାଇଁ ନୂଆ ନିୟମ: ଯାତ୍ରୀ ବା ମାଲ୍‍ ପରିବହନ କାର୍ଯ୍ୟରେ ବ୍ୟବହାର ହେଉଥିବା ସମସ୍ତ ଗାଡ଼ିରେ ଟ୍ରାକିଂ ଡିଭାଇସ୍‍ ଓ ପ୍ୟାନିକ୍‍ ବଟନ୍‍ ବାଧ୍ୟତାମୂଳକ ହେବ। ନହେଲେ ପଞ୍ଜୀକରଣ ହୋଇପାରିବ ନାହିଁ। ଅକ୍ଟୋବରରୁ ଏହି ନିୟମକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପାଳନ କରିବାକୁ ଯାଉଛନ୍ତି। ସେହିପରି ସେପ୍ଟମ୍ବର ୩୦ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ିରେ ଟ୍ରାକିଂ ଉପକରଣ ବା ପ୍ୟାନିକ୍‍ ବଟନ୍‍ ନଥିଲେ ଫିଟ୍‍ନେସ୍‍ ପ୍ରମାଣପତ୍ର, ମାଲିକାନା ସ୍ଥାନାନ୍ତରଣ ସମ୍ଭବ ହେବ ନାହିଁ ବୋଲି ରାଜ୍ୟ ପରିବହନ ଆୟୁକ୍ତ କହିଛନ୍ତି।

4.ବଦଳି ହେବେ ବଳକା ଶିକ୍ଷକ: ଛାତ୍ର-ଶିକ୍ଷକ ଅନୁପାତରୁ ଯେଉଁ ସ୍କୁଲ୍‍ରେ ଅଧିକ ଶିକ୍ଷକ ରହିଛନ୍ତି ସେମାନଙ୍କୁ ବଦଳି କରିବା ପାଇଁ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ବିଶେଷକରି ପ୍ରାଥମିକ ସ୍କୁଲ୍‍ଗୁ ଡ଼ିକରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏହାଦ୍ୱାରା ବିଭିନ୍ନ ସ୍କୁଲ୍‍ରେ ଶିକ୍ଷା ସମସ୍ୟା ଦୂର ହେବ ବୋଲି ଆଶା କରାଯାଇଛି।

5.ରାଜଧାନୀରେ ସୁନା ସ୍ମଗ୍ଲିଂ: ବିଦେଶରୁ ଚୋରା ଆମଦାନୀ ହେଉଛି ସୁନା। ଏଥି ନେଇ ବିଭିନ୍ନ ସ୍ତରର ନାଗରିକଙ୍କୁ ବ୍ୟବସାୟୀମାନେ ବ୍ୟବହାର କରୁଛନ୍ତି। ଏପରି ସନ୍ଧାନ କରୁଥିବା ଟିମ୍‍ ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କ ଘରୁ ଅଢ଼େଇ କିଲୋ ସୁନା  ବିସ୍କୁଟ ଠାବ କରିଛି। ଏ ସୁନା କେଉଁଠୁ ଆସିଲା ତାହାର ତର୍ଜମା ଚାଲିଛି।

6. ନୂଆଖାଇ ପାଇଁ ଲଗ୍ନ ସ୍ଥିର: ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ। ସେହି ଦିନ ସକାଳ ୧୦ଟା ୨୭ରୁ ସକାଳ ୧୦ଟା ୪୨ ମଧ୍ୟରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଏହି ସମୟ ଭିତରେ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।

7.ଅଢ଼େଇ ହଜାର ଟଙ୍କା ଲାଞ୍ଚ, ବର୍ଷ ଜେଲ୍‍: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ପ୍ୟାକ୍ସର ଅବସରପ୍ରାପ୍ତ ସମ୍ପାଦକ ଯୁଗଳ କିଶୋର ମିଶ୍ରଙ୍କୁ ଦୁଇବର୍ଷ କାରାଦଣ୍ଡ ହୋଇଛି। ଧାନ କିଣିବା ଲାଗି ଟୋକନ୍‍ ଦେବା ଲାଗି ସେ ଚାଷୀଙ୍କଠାରୁ ଲାଞ୍ଚ ନେଉଥିବାବେଳ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ୨୦୧୬ ମସିହାରେ ଏନେଇ ମାମଲା ରୁଜୁ ହୋଇଥିଲା।

8.ପୁରୀରେ ପ୍ରଶାନ୍ତ ଭୂଷଣ: ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ପ୍ରଶାନ୍ତ ଭୂଷଣ ପୁରୀରେ ପହଞ୍ଚିଛନ୍ତି। ଆସନ୍ତା ୯ ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ଦିନିକିଆ ଚାଷୀ ସମାବେଶରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାଗତ ବେଳେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବେଦାନ୍ତ ବିଶ୍ୱବିଦ୍ୟାଳୟ ଓ ଖଣି ଲିଜ୍‍ ଦେବା ଘଟଣାରେ ସେ ରାଜ୍ୟ ସରକାରଙ୍କ ନୀତିର ସମାଲୋଚନା କରିଥିଲେ।

9.କେନାଲ ଖୋଳିଲେ ଅପରାଜିତା: ଚାଷୀଙ୍କ ଜମିକୁ ପାଣି ଆସୁନଥିବା ଅଭିଯୋଗକୁ ଆଧାର କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଦିନ କୋଡ଼ି କୋଦାଳ ଧରି କେନାଲ୍‍ ଅବରୋଧକୁ ମୁକ୍ତ କରିଛନ୍ତି। ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଅବରୋଧ କରିଥିବା ଅଭିଯୋଗ ହୋଇ ଆସୁଥିଲା। ଏନେଇ ପ୍ରଶାସନିକ ସ୍ତରରେ କିଛି ପଦକ୍ଷେପ ନିଆଯାଇ ନଥିବାରୁ ଗିଙ୍ଗାରିପୁଟ ଗାଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲା।  ଶେଷରେ ଅପରାଜିତା ଗାଁ ଲୋକଙ୍କୁ ସାଙ୍ଗରେ ନେଇ ସମ୍ପୃକ୍ତ ଅବରୋଧକୁ ହଟାଇଛନ୍ତି ।

10.ମନ୍ମଥଙ୍କୁ ସସ୍ପେଣ୍ଡ କରିବାକୁ କହିଲେ ସୁର: ପୁଅ ମନ୍ମଥଙ୍କ ଉପରେ ଖପ୍ପା ହୋଇଛନ୍ତି ବିଧାୟକ ସୁର ରାଉତରାଏ। ସେ ଯାହା କହିବେ ମନ୍ମଥ ସେଇଆ କରିବେ ବୋଲି ସେ କହିଛନ୍ତି। ହେଲେ କିଛି ବିଜେଡ଼ି ଓ ବିଜେପି ନେତା ତାଙ୍କୁ ଉସ୍‍କାଇଥିବାରୁ ସେ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଏହା ଦ୍ୱାରା ସେ କଂଗ୍ରେସର ଦଳୀୟ ଶୃଙ୍ଖଳାକୁ ଭଙ୍ଗ କରିଛି ଏଣୁ ତାଙ୍କୁ ନିଲମ୍ବନ କରିବାକୁ ସେ କହିଛନ୍ତି।