ସରକାର ବଦଳିଲା ପରେ ଅଧିକାରୀ ଛାନିଆ: ଜଣେ ପରେ ଜଣେ ଆଇଏଏସ୍‍ ଯାଉଛନ୍ତି ଛୁଟିରେ
Advertisement
Article Detail0/zeeodisha/odisha2303830

ସରକାର ବଦଳିଲା ପରେ ଅଧିକାରୀ ଛାନିଆ: ଜଣେ ପରେ ଜଣେ ଆଇଏଏସ୍‍ ଯାଉଛନ୍ତି ଛୁଟିରେ

ଏବେ ଜଣେ ପରେ ଜଣେ କର୍ତ୍ତବ୍ୟରତ ଆଇଏଏସ୍‍ ବିଭିନ୍ନ ଆଳ ଦେଖାଇ ଛୁଟିରେ ଯିବା ବାବୁ ମହଲରେ ଛନକାକୁ ସ୍ପଷ୍ଟ କରୁଛି।

ସରକାର ବଦଳିଲା ପରେ ଅଧିକାରୀ ଛାନିଆ: ଜଣେ ପରେ ଜଣେ ଆଇଏଏସ୍‍ ଯାଉଛନ୍ତି ଛୁଟିରେ

ଭୁବନେଶ୍ୱର: ଦୀର୍ଘ ଚବିଶ ବର୍ଷ ପରେ ଯେତେବଳେ ସରକାର ବଦଳିଛି, ଜଣେ ପରେ ଜଣେ ଅଧିକାରୀ ଛାନିଆ ହୋଇ ଛୁଟିରେ ଯାଉଛନ୍ତି। ଏ ଧାରା ପ୍ରଥମେ ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଥିବା ଭିକେ ପାଣ୍ଡିଆନ୍‍ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟଙ୍କ ଠାରୁ ଆରମ୍ଭ ହୋଇଥିଲା। ସେତେବେଳେ ତାଙ୍କ ଛୁଟି ଆବେଦନକୁ କେହି କେହି ଗ୍ରହଣୀୟ ବୋଲି କହି ହାଲୁକା ଭାବେ ନେଇଥିଲେ। ହେଲେ ଏବେ ଜଣେ ପରେ ଜଣେ କର୍ତ୍ତବ୍ୟରତ ଆଇଏଏସ୍‍ ବିଭିନ୍ନ ଆଳ ଦେଖାଇ ଛୁଟିରେ ଯିବା ବାବୁ ମହଲରେ ଛନକାକୁ ସ୍ପଷ୍ଟ କରୁଛି। 

ଶ୍ରୀମତୀ କାର୍ତ୍ତିକେୟ ଯେମିତି ପୁଅର ପାଠପଢ଼ା ପାଇଁ ଛୁଟି ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ, ଏବେ ବାଲେଶ୍ୱର ଜିଲ୍ଲାପାଳ ସେମିତି ଉଚ୍ଚ ଶିକ୍ଷା ପାଇଁ ଛୁଟି ଆବଶ୍ୟକତା ଦେଖାଇ ରାଜ୍ୟ ସରକାରଙ୍କୁ ଛୁଟି ମାଗିଛନ୍ତି। ସୂଚନା ଅନୁସାରେ ବିଜେଡି ସରକାରର ଗେହ୍ଲା ଅଫିସର ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକ୍‌ରେ ବେଶ୍‍ ପରିଚୟ ହାସଲ କରିଥିଲେ। ସେତେବେଳେ ଲଗାତାର ୬ ବର୍ଷ କେନ୍ଦୁଝରର ଜିଲ୍ଲାପାଳ ପଦବୀ ମଣ୍ଡନ କରିଥିଲେ ଆଶିଷ। ପରିସ୍ଥିତି ଏପରି ହୋଇଥିଲା ଯେ, ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଛାଟକୁ ଲକ୍ଷ୍ୟ କରି ତାଙ୍କୁ କେନ୍ଦୁଝରରୁ ପ୍ରଥମ ମୟୁରଭଞ୍ଜ ଓ ପରେ ବାଲେଶ୍ୱର ବଦଳି କରାଯାଇଥିଲା। ଏବେ ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସା ଚାଲିଛି। ତାଙ୍କର ପ୍ରଶାସନିକ ଦକ୍ଷତା ଅଭାବ ହେତୁ ସେଠାରେ ଏକ ଛୋଟିଆ ଗୋଷ୍ଠି ସଂଘର୍ଷ ସଦାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ଦଙ୍ଗା ପରିସ୍ଥିତି ଥମି ନଥିବାବେଳେ  ୨ ବର୍ଷ ପାଇଁ ଷ୍ଟଡ଼ି ଲିଭ୍‌ରେ ଯିବାକୁ ସେ ଆବେଦନ କରିଥିବା ଜଣାପଡ଼ିଛି ।  

ଆଶିଷ ଠାକ୍‌ରେ ୨୦୧୮ ଜାନୁଆରୀ ମାସରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଥିଲେ । ସେ ଗୋଟିଏ ଜିଲ୍ଲାରେ କାହିଁକି ତିନି ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବାରମ୍ବାର ବିଧାନସଭାରେ ଉଠାଉଥିଲେ । କିନ୍ତୁ ଆଶିଷ ଠାକ୍‌ରେ ବିଜେଡି ଇକୋସିଷ୍ଟମ୍‌କୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରୁଥିବାରୁ ସରକାର ତାଙ୍କୁ ସେଠାରୁ ଅପସାରଣ କରୁନଥିଲେ ।  

କେନ୍ଦୁଝରର ଜିଲ୍ଲାପାଳ ଥିବାବେଳେ ତତ୍କାଳୀନ ବିଜେପି ବିଧାୟକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଭାଜପା କର୍ମକର୍ତ୍ତାକୁ ବହୁତ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ତାଙ୍କର ଜିଲ୍ଲାରେ ରାଜନୀତିକ ହସ୍ତକ୍ଷେପ ରହୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏଭଳି ପରିସ୍ଥିତିରେ ମୋହନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ନିଜକୁ ସୁରକ୍ଷିତ ନ ମଣି ଆଶିଷ ଏପରି ଛୁଟି ଆବେଦନ କରିଥିବା ଚର୍ଚ୍ଚା ହେଉଛି। 

କିଛିଦିନ ପୂର୍ବରୁ ରାଜ୍ୟ ସରକାରରେ ନିୟୋଜିତ ପୂର୍ବତନ ଆଇଏଏସ୍‍ ଅଧିକାରୀମାନେ ଜଣେ ପରେ ଜଣେ ନିଜ ପଦବୀ ଛାଡ଼ିଥିବା ନଜୀର ରହିଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବ ସରକାର ସମୟରେ ନିୟୋଜିତ ସମସ୍ତ ପରାମର୍ଶଦାତାଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇଛି। ଏଥିରେ ସାଧାରଣତଃ ପୂର୍ବ ସରକାରଙ୍କୁ ସହାୟତା କରିଥିବା କିଛି ଆଇଏଏସ୍‍ ଅଧିକାରୀ ସାମିଲ୍‍ ଥିବା ସନ୍ଦେହ କରାଯାଇଥାଇପାରେ।

Also Read- ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ଏବଂ ସୁଭଦ୍ରା ଯୋଜନା ପାଇଁ କେନ୍ଦ୍ରୀୟ ସହାୟତା ଦାବି କଲା ଓଡ଼ିଶା