)
Puri News: ଗରୁଡ଼ ସ୍ତମ୍ଭ ଉପର ମୁଖ୍ୟ ବିମର ହୋଇଥିବା ଫାଟ ମରାମତି ହେବ । ଏହାର ସପୋର୍ଟ ପାଇଁ ତଳୁ ୪ଟି ଷ୍ଟେନଲେସ୍ ଷ୍ଟିଲ ବିମ୍ ଲଗାଯିବ । ଏହାର ମରାମତି ସମୟରେ ଦର୍ଶନ ବ୍ୟବସ୍ଥା କେମିତି ରହିବ ଏନେଇ ମଙ୍ଗଳବାର ନୀଳାଦ୍ରି ଭକ୍ତ ନିବାସରେଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏପ୍ରିଲ ସୁଦ୍ଧା ନାଟମଣ୍ଡପ ମରାମତି ସମ୍ପୂର୍ଣ୍ଣ କରିବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଛତିଶା ନିଯୋଗରେ ମରାମତିର ରୂପରେଖ ଚୂଡ଼ାନ୍ତ ହୋଇଛି। ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ଆସନ୍ତା ୨୩ ତାରିଖରୁ କାମ ଆରମ୍ଭ ନେଇ ନିଷ୍ପତ୍ତି ନିଆଯାଇଛି । ୨୩ ତାରିଖରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଦିନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାଟମଣ୍ତପ ମରାମତି କାମ କରିବାକୁ ଏଏସଆଇକୁ ସୁବିଧା ଦିଆଯିବ । ଏହି ୨୬ ଦିନ ଭିତରେ କାମ ସାରିବାକୁ ଏଏସଆଇକୁ କୁହାଯାଇଛି । କାମ ଶେଷ ହେବା ଯାଏଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ସହ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯିବ । ରାତି ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ପହଡ଼ କରାଯିବ । ଶ୍ରଦ୍ଧାଳୁମାନେ ଯେପରି ଭଲରେ ଦର୍ଶନ କରିବେ ଓ ନିର୍ଦ୍ଧାରିତ ୬ ଘଣ୍ଟାରେ ଯେପରି ନାଟମଣ୍ତପ ମରାମତିରେ ବାଧା ନପୁଜିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।