୬ ରାଜ୍ୟକୁ ରେଡ୍ ଆଲର୍ଟ, ୨ ଦିନରେ ଅଂଶୁଘାତ ନେଲାଣି ୧୩ ଜୀବନ
Advertisement
Article Detail0/zeeodisha/odisha2263159

୬ ରାଜ୍ୟକୁ ରେଡ୍ ଆଲର୍ଟ, ୨ ଦିନରେ ଅଂଶୁଘାତ ନେଲାଣି ୧୩ ଜୀବନ

ଶୁକ୍ରବାର ଉତ୍ତର ଭାରତରେ ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଦ ସର୍ବନିମ୍ନ ୩୧ ଡିଗ୍ରୀ ସେଲସିୟସ୍ ରହିଥିଲା । ରାଜସ୍ଥାନରେ ଶୁକ୍ରବାର ପ୍ରବଳ ଗରମ ଓ ଅଂଶୁଘାତରେ ୫ ଜଣଙ୍କ ଜୀବନ ଯାଇଛି । ବିଗତ ୨ ଦିନରେ ରାଜ୍ୟରେ ଅଂଶୁଘାତରେ ଆଖି ବୁଜିଲେଣି ପ୍ରାୟ ୧୩ ଜଣ । 

୬ ରାଜ୍ୟକୁ ରେଡ୍ ଆଲର୍ଟ,  ୨ ଦିନରେ ଅଂଶୁଘାତ ନେଲାଣି ୧୩ ଜୀବନ

ନୂଆଦିଲ୍ଲୀ: ଆଜି ମେ ୨୫ରୁ ୯ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । ଏଭଳି ପାଗ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏହି ସମୟର ଦେଶର କେତେକ ଭାଗରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ୍ ଛୁଇଁବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଜି ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ହରିୟାଣାକୁ ହିଟୱେଭ୍ ନେଇ ରେଡ୍ ଆଲର୍ଟ ଜାରି କରିଛି ।

ଶୁକ୍ରବାର ଉତ୍ତର ଭାରତରେ ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଦ ସର୍ବନିମ୍ନ ୩୧ ଡିଗ୍ରୀ ସେଲସିୟସ୍ ରହିଥିଲା । ରାଜସ୍ଥାନରେ ଶୁକ୍ରବାର ପ୍ରବଳ ଗରମ ଓ ଅଂଶୁଘାତରେ ୫ ଜଣଙ୍କ ଜୀବନ ଯାଇଛି । ବିଗତ ୨ ଦିନରେ ରାଜ୍ୟରେ ଅଂଶୁଘାତରେ ଆଖି ବୁଜିଲେଣି ପ୍ରାୟ ୧୩ ଜଣ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଖାଲି ଯେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି ତା ନୁହେଁ । ଏହାର ପ୍ରଭାବ ଯାତାୟତ ଉପରେ ବି ପଡ଼ିଛି । ଭୋପାଳରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ ପ୍ରବଳ ଖରା ଯୋଗୁଁ ଶୁକ୍ରବାର ଘଣ୍ଟାଏ ବିମାନରେ ଉଡ଼ାଣ ଭରିଥିଲା । ସୂଚନା ଅନୁସାରେ, ବାହାରର ତାପମାତ୍ରା ଅଧିକ ରହିବା ଯୋଗୁଁ ଇଞ୍ଜିନ୍ ରେଷ୍ଟ୍ରିକ୍ଟେଡ୍ ମୋଡକୁ ପଳାଇଥିଲା ।

ସେପଟେ କାଶ୍ମୀର ଘାଟିରେ ମଧ୍ୟ ତାତି ବଢ଼ିବାରେ ଲାଗିଛି । ମେ ୨୩ରେ କାଶ୍ମୀରରେ ସର୍ବାଧିକ ତାପମାତ୍ରା ୩୨.୩ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ବିଗତ ୧୧ ବର୍ଷରେ ସର୍ବାଧିକ । ୨୦୧୩ ମେ ୨୫ରେ କାଶ୍ମୀରର ସର୍ବୋଚ୍ଚ ତାପମାତ୍ରା ୩୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ ହିଟୱେଭ୍ ନେଇ ଆଲର୍ଟ ଜାରି ସହ ଆଡଭାଇଜାରୀ ଜାରି ହୋଇଛି । ରାଜସ୍ଥାନରେ ସଫେଇ କର୍ମଚାରୀଙ୍କୁ ସକାଳ ୫ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ କାମ କରିବାକୁ କୁହାଯାଇଛି । ମଧ୍ୟପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀରେ ରୋଗୀ ଓ ବୟସ୍କ ଦିନ ସମୟରେ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ପ୍ରବଳ ଗରମ ହେଉଥିବା ବେଳେ ଅନେକ ସ୍ଥାନରେ ବିଦ୍ୟୁତ୍ କାଟ ହେଉଛି । ଉତ୍ତରପ୍ରଦେଶରେ ବିଦ୍ୟୁତ୍ ଚାହିଦା ୨୮ ହଜାର ମେଗାୱାଟରୁ ଅଧିକ ରହିଛି । ମଧ୍ୟପ୍ରଦେଶର ଗ୍ୱାଲିୟର, ଇନ୍ଦୋର, ଜବଲପୁରର ଗ୍ରାମାଞ୍ଚଳରେ ୬ରୁ ୭ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି ।

Also Read- ମତଦାନ ସମୟରେ ଅଘଟଣ, ପୁଲିଂ ଏଜେଣ୍ଟଙ୍କର ମୃତ୍ୟୁ