Bird Flue: ବିଏମ୍ସି ପକ୍ଷରୁ ସହରର ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କ କରାଯାଇଛି।
Trending Photos
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ଆଖପାଖ ଅଞ୍ଚଳରେ ବାର୍ଡ-ଫ୍ଲୁ ବ୍ୟାପିବା ଆରମ୍ଭ ହୋଇଛି। ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସମେତ ଅନ୍ୟ କିଛି ଅଞ୍ଚଳରେ ବାର୍ଡ-ଫ୍ଲୁ ବ୍ୟାପିଛି। ଉକ୍ତ ଅଞ୍ଚଳଗୁଡ଼ିକରୁ ରାଜଧାନୀକୁ ଚିକେନ ଯୋଗାଣ ହେଉଛି। ତେଣୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ କହିଛନ୍ତି। ଏଥିସହ ରାଜଧାନୀବାସୀ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।
ଅନ୍ୟପଟେ ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରୁଥିବା ପକ୍ଷୀଙ୍କୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିଦେବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରିବା ସହ ଏହି କାର୍ଯ୍ୟ କରିବା ସମୟରେ ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋବ୍ସ ପିନ୍ଧିବା ଉପରେ କମିଶନର ଗୁରୁତ୍ୱାରୋପ କରିଛନ୍ତି। ଯଦି ଏହି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ବୋଲି କୁହାଯାଇଛି।
ସେହିପରି ବିଏମ୍ସି ପକ୍ଷରୁ ସହରର ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କ କରାଯାଇଛି। ଭୁବନେଶ୍ବର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ କୁକୁଡ଼ା ମାଂସ ଦୋକାନୀ ମାନେ ଉକ୍ତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ପରାମର୍ଶ ଦିଆଯାଇଛି। ଏହି ରୋଗ ସଂକ୍ରମିତ ହେବାର ସମ୍ଭାବନା ରହିଥିତ୍ବାରୁ ସଂପ୍ରତି ଯେଉଁ କୁକୁଡ଼ା ବା ପକ୍ଷୀ ଅସ୍ବାଭାବିକ ଭାବେ ଅସୁସ୍ଥ ହୋଇ ପଡୁଥିଲେ କିମ୍ବା ମୃତ୍ୟୁ ହେଉଥିଲା ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାଇବାକୁ କୁହାଯାଇଛି।