ସ୍ପିରୁଲିନା ଚିକ୍କି ପ୍ରସ୍ତୁତି: ସ୍ୱୟଂ ସହାୟକ ମହିଳାଙ୍କୁ କରିଛି ଆତ୍ମନିର୍ଭରଶୀଳ
Advertisement
Article Detail0/zeeodisha/odisha1969753

ସ୍ପିରୁଲିନା ଚିକ୍କି ପ୍ରସ୍ତୁତି: ସ୍ୱୟଂ ସହାୟକ ମହିଳାଙ୍କୁ କରିଛି ଆତ୍ମନିର୍ଭରଶୀଳ

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ସହାୟତାରେ ସୁନ୍ଦରଗଡର ୫ ଗୋଟି ସ୍ଥାନରେ ଆରମ୍ଭ ହୋଇଛି ସ୍ୱିରୁଲିନା ଯୁକ୍ତ ଚିକ୍କି ପ୍ରସ୍ତୁତି କେନ୍ଦ୍ର । ରଂଗାଢିପାଠାରେ ଥିବା ଏହି ଚିକ୍କି ପ୍ରସ୍ତୁତି କେନ୍ଦ୍ରରେ ପାଖାପାଖି ୪୦ ଜଣ ସ୍ୱୟଂ ସହାୟକ ଦଳର ମହିଳା କାମ କରୁଛନ୍ତି । 

ସ୍ପିରୁଲିନା ଚିକ୍କି ପ୍ରସ୍ତୁତି: ସ୍ୱୟଂ ସହାୟକ ମହିଳାଙ୍କୁ କରିଛି ଆତ୍ମନିର୍ଭରଶୀଳ

ସୁନ୍ଦରଗଡ:  ସହରର ରଂଗାଢିପାରେ ଅଛି ମା” ଲକ୍ଷ୍ମୀ ଉତ୍ପାଦକ ସଂଘ । ଏହି ସଂଘ ଦ୍ୱାରା ପ୍ରସ୍ତୁତ କରାଯାଉଛି ସ୍ପିରୁଲିନା ମିଶ୍ରିତ ଚିକ୍କି । ଚିକ୍କି କହିଲେ ଗୁଡରେ ବନ୍ଧା ହୋଇଥିବା ବାଦାମକୁ ବୁଝାଏ । ଗୁଡକୁ ଗରମ କଡେଇରେ ଭାଜି ସେଥିରେ ବାଦାମ ଏବଂ ମିଲେଟକୁ ମିଶାଯାଇ ଏହାକୁ ଭଜାଯାଏ । ପରେ ଏହାକୁ  ଥଣ୍ଠା କରି ଛୋଟ ଛୋଟ କରି କାଟି ଜରି ଦିଆ ପ୍ୟାକେଟରେ  ଭର୍ତ୍ତି କରି ବିକ୍ରି ପାଇଁ ପଠାଇ ଦିଆଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ହୋଇଥିବା ବେଳେ ମିଠା ହୋଇଥିବାରୁ ଏହା ଶିଶୁମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ।

ତେବେ ରଂଗାଢିପା ଥିବାରେ ମା” ଲକ୍ଷ୍ମୀ ଉତ୍ପାଦକ ସଂଘ ଆଉ ପାଦେ ଆଗକୁ ଯାଇ ତିଆରି କରିଛି ସ୍ପିରୁଲିନା ଯୁକ୍ତ ଚିକ୍କି । ଏକ ପ୍ରକାର ଶୈବାଳକୁ ଶୁଖାଇ ତାକୁ ପାଉଡର କରି ସ୍ୱିରୁଲିନା ପାଉଡର ତିଆରି ହୁଏ । ବଜାରରେ ଏହି ପାଉଡର ମୂଲ୍ୟ କେଜି ପିଛା ୮୦୦ ରୁ ୯୦୦ ଟଙ୍କା ହେବ । ସ୍ୱିରୁଲିନା ଚୀନ ପରି ଦେଶରେ ବେଶ ପୂର୍ବରୁ ପରିଚିତ । ଭାରତର କର୍ଣ୍ଣାଟକ ରାଜ୍ୟରେ ମଧ୍ୟ ଏହାର ପ୍ରଚୁର ଉତ୍ପାଦନ ହୁଏ । ତେବେ ଓଡ଼ିଶାରେ କ୍ରମେ କ୍ରମେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ସ୍ପିରୁଲିନାକୁ ସୁପର ଫୁଡ୍ କୁହାଯାଏ କାରଣ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ ଯାହା ଶିଶୁର ଶାରିରୀକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ । 

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ସହାୟତାରେ ସୁନ୍ଦରଗଡର ୫ ଗୋଟି ସ୍ଥାନରେ ଆରମ୍ଭ ହୋଇଛି ସ୍ୱିରୁଲିନା ଯୁକ୍ତ ଚିକ୍କି ପ୍ରସ୍ତୁତି କେନ୍ଦ୍ର । ରଂଗାଢିପାଠାରେ ଥିବା ଏହି ଚିକ୍କି ପ୍ରସ୍ତୁତି କେନ୍ଦ୍ରରେ ପାଖାପାଖି ୪୦ ଜଣ ସ୍ୱୟଂ ସହାୟକ ଦଳର ମହିଳା କାମ କରୁଛନ୍ତି । ଏହି ମହିଳାମାନେ ୧୦ଟି ସ୍ୱୟଂ ସହାୟକ ଦଳର ସଦସ୍ୟ ଅଛନ୍ତି । ଏମାନେ ଦୁଇଟି ସିଫ୍ଟରେ କାମ କରନ୍ତି । ପ୍ରଥମ ସିଫ୍ଟ ସକାଳ ୧୦.୦୦ ରୁ ଅପରାହ୍ନ ୨.୦୦ଟା ଯାଏ ଚାଲୁଥିବାବେଳେ ଅନ୍ୟ ସିଫ୍ଟ  ଅପରାହ୍ନ ୨.୦୦ ରୁ ସଂଧ୍ୟା ୬.୦୦ ଯାଏ ଚାଲେ । ଏଠାରେ କାମ କରୁଥିବା ମହିଳାମାନଙ୍କୁ ଉପଯୁକ୍ତ ଭାବେ ତାଲିମ୍ ଦିଆଯାଇ ସେମାନଙ୍କୁ ପୂର୍ଣ୍ଣ ଭାବେ ପ୍ରଶିକ୍ଷିତ କରିଦିଆଯାଇଛି । ଏମାନେ ବାଦାମ ଭାଜିବା, ଗୁଡ ରାନ୍ଧିବା, ଗୁଡରେ ବାଦାମକୁ ରାନ୍ଧିବା ପୁଣି ଏହାକୁ ଥଣ୍ଠା କରିବାସହ ଏହାକୁ ବେଲିବା ଏବଂ ଛୋଟ ଛୋଟ ଖଣ୍ଡରେ କାଟି ଏହାକୁ ଜରିରେ ପ୍ୟାକିଂ କରି ବିକ୍ରୀପାଇଁ ପ୍ରସ୍ତୁତ କରିବା କାମରେ ସିଦ୍ଧହସ୍ତ । 

୨୦୨୧ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଉତ୍ପାଦକ ସଂଘ ଦୈନିକ ଦୁଇ କ୍ୱିଂଟାଲ କରି ମାସକୁ ୪୫ ରୁ ୫୦ କ୍ୱିଂଟାଲ ଯାଏ ସ୍ୱିରୁଲିନା ଯୁକ୍ତ ଚିକ୍କି ପ୍ରସ୍ତୁତ କରିବାରେ ସକ୍ଷମ । ଏହି ଉତ୍ପାଦକ ସଂଘ, ଲେଫ୍ରିପଡା, ସଦର, ଟାଂଗରପାଲ୍ଲୀ, ହେମଗିରି ଏବଂ ବାଲି ଶଙ୍କରା ବ୍ଲକ୍ ର ସମସ୍ତ ଅଂଗନୱାଡି କେନ୍ଦ୍ର ସହ ୩ ଗୋଟି ସିସିଆଇ ( ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନ)କୁ ସବୁଦିନ ପାଇଁ ଚିକ୍କି ଯୋଗାଇ ଦେଇଥାଏ । ଏହାଦ୍ୱା୍‌ରା ପାଖାପାଖି ୧୮୦୦୦ ଶିଶୁ ଉପକୃତ ହେଉଛନ୍ତି ଏବଂ ସେମାନଙ୍କ ପୁଷ୍ଟିର ହାର ବଜାୟ ରଖାଯାଇପାରେ ।ଏହି ଚିକ୍କି ଉତ୍ପାଦନ ଦ୍ୱାରା ମାସକୁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସବୁ ଖର୍ଚ୍ଚଯାଇ ମାସକୁ ୯ ଲକ୍ଷ ଟଙ୍କା ରୋଜଗାର କରାଯାଇପାରୁଛି । ଯାହା ଫଳରେ ପ୍ରତି ସଦସ୍ୟ ମାସକୁ ଘରକୁ ୫୦୦୦ ରୁ ୬୦୦୦ ଟଙ୍କା ରୋଜଗାର କରି ନେଇପାରୁଛି । ଏହା ସେମାନଙ୍କର ପିଲାଙ୍କ ପାଠପଢା, ଘରର ଅନ୍ୟାନ୍ୟ ଖର୍ଚ୍ଚ ଉଠାଇବାରେ ବେଶ୍ ସହାୟକ ହେଉଛି । ଗତ ଦୁଇ ବର୍ଷ ଧରି ଏମାନେ ଏହି ଚିକ୍କି ପ୍ରସ୍ତୁତି କାର୍ଯ୍ୟକୁ ବେଶ୍ ସୁରୁଖରୁରେ ଚଳାଇ ଆସୁଛନ୍ତି । ଏମାନେ ଯେ କେବଳ ଚିକ୍କି ପ୍ରସ୍ତୁତି କରନ୍ତି ତାହା ନୁହେଁ ବରଂ ପ୍ରତି ମାସର ଶେଷ ସପ୍ତାହରେ ଗାଡି କରି ଏହି ଚିକ୍କିକୁ ଅଂଗନୱାଡି କେନ୍ଦ୍ରଯାଏ ପହଁଚାଇବାର ଗୁରୁଦାୟିତ୍ୱ ମଧ୍ୟ ବହନ କରିଥାଆନ୍ତି । ମୋଟ୍ ଉପରେ କହିବାକୁ ଗଲେ ଏହି ସ୍ପିରୁଲିନା ଚିକ୍କି ପ୍ରସ୍ତୁତି ରଂଗାଢିପା ଅଂଚଳର ଚାଳିଶ ମହିଳାଙ୍କୁ ଆର୍ଥିକ ରୁପେ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି ।

Also Read- ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ: ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜି ପୁଲିସ

Also Read- ଦିଲ୍ଲୀ ମେଟ୍ରୋରେ ୨.୭ ଲକ୍ଷ କ୍ୟାସ ଭର୍ତ୍ତି ବ୍ୟାଗ ଭୁଲିଗଲେ ବ୍ୟକ୍ତି, ସୁରକ୍ଷିତ ଭାବେ ଫେରସ୍ତ କଲେ CISF