ଭୁବନେଶ୍ୱର: ଏକଦା ବିଜେଡିର ସର୍ବେସର୍ବା ପାଲଟିଥିବା ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଅନେକ ଦିନ ପରେ ସୋଶାଲ ମିଡିଆ ପ୍ଲାଟଫର୍ମରେ ନଜରକୁ ଆସିଛନ୍ତି। ସେ ପୁଣି ଏକ ସାମାଜିକ କାର୍ଯ୍ରକ୍ରମରେ ଯୋଗ ଦେଇ। ଅବଶ୍ୟ ସେ ଏହାର ଫଟୋକୁ କୌଣସି ପ୍ଲାଟଫର୍ମରେ ଶେୟାର କରିନାହାନ୍ତି କିନ୍ତୁ ତାଙ୍କର ଜଣେ ଅନୁଗାମୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଫଟୋରୁ ସ୍ପଷ୍ଟ ଯେ ଶ୍ରୀ ପାଣ୍ଡିଆନ୍ ଏବେବି ବିଜେଡିର କ୍ଷମତା ଗଳିର ଅନନ୍ୟ ଶକ୍ତି।
ଉତ୍ସବ ହେଉଛି ବିଜେଡି ନେତା ତଥା ଏକଦା ଶ୍ରୀ ପାଣ୍ଡିଆନ୍ଙ୍କ ଉପରେ କ୍ଷୁବ୍ଧ ହୋଇଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ଝିଅଙ୍କ ବିବାହ ପାଇଁ ନିର୍ବନ୍ଧ ସମାରୋହ। ସ୍ଥାନ- ପୁରୀର ଏକ ତାରକା ହୋଟେଲ। ଯାହାର କନ୍ଭେନ୍ସନ୍ ହଲରେ ଦେଖିବାକୁ ମିଳିଛି ବିଜେଡିର ପୁରୀ ଜିଲ୍ଲାର କିଛି ପ୍ରଭାବଶାଳୀ ନେତା ତଥା ବିଜେଡିର କର୍ମୀ। ଏହି ମେଳ ଭିତରେ ‘ଗହଣା ଭିତରେ ନିମ କାଠି’ ସେଜିଛନ୍ତି ଶ୍ରୀ ପାଣ୍ଡିଆନ୍।
ଶ୍ରୀ ପାଣ୍ଡିଆନ୍ଙ୍କ ଅନୁଗାମୀ ଡ. ଷ୍ଟାଲିନ୍ ପରିଜା, ଯିଏ ସୋଶାଲ୍ ମିଡିଆରେ ନିଜକୁ ଜଣେ ସାମାଜି କକର୍ମୀ ତଥା ଡିଜିଟାଲ୍ କ୍ରିଏଟର ଭାବେ ପରିଚିତ ଦେଇଛନ୍ତି ସେ ଶେୟାର କରିଛନ୍ତି। ଭିକେ ପାଣ୍ଡିଆନ୍ଙ୍କ ନାଁରେ ଫେସ୍ବୁକରେ ଅନେକ ଆକାଉଣ୍ଟ ରହିଛି କିନ୍ତୁ ସେଥିରେ ଏପରି ଫଟୋ ନାହିଁ। ଏପରିକି ଷ୍ଟାଲିନ୍ଙ୍କ ପ୍ରୋଫାଇଲକୁ ମ୍ୟାଚ୍ କଲା ଭଳି ନିଜକୁ ‘ଡିଜିଟାଲ୍ କ୍ରିଏଟର’ ବୋଲି ପରିଚୟ ଦେଇଥିବା ଭି କାର୍ତ୍ତିକ ପାଣ୍ଡିଆନ୍ ବୋଲି ଏକ ଆକାଉଣ୍ଟରେ ମଧ୍ୟ ଏହି ଫଟୋ ଦେଖିବାକୁ ମିଳୁ ନାହିଁ।
ଅନୁଗାମୀ ଷ୍ଟାଲିନ୍ ପରିଜା ଶେୟାର କରିଥିବା ଏହି ଦୁଇଟି ଫଟୋ କ୍ୟାପ୍ସନରେ ଲେଖିଛନ୍ତି, ପ୍ରଥମ ଫଟୋରେ ସେ ମଞ୍ଚ ଉପରେ ଚିରାଚରିତ ଏକ ଫଟୋକୁ ଶେୟାର କରିଛନ୍ତି। ଏଥିରେ ପ୍ରତିବଦ୍ଧ ବର କନ୍ୟାଙ୍କ ସହିତ ସଞ୍ଜୟ, ପାଣ୍ଡିଆନ୍, ପୁରୀ ସାଂସଦ ଶୁଭାଶୀଷ ପ୍ରମୁଖ ଉପସ୍ଥିତ ଅଛନ୍ତି। ଦ୍ୱିତୀୟ ଫଟୋରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପୁରୀର ବିଜେଡି ନେତା ତଥା ଦଇତା ସେବାୟତ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ପାଣ୍ଡିଆନ୍ଙ୍କ ସହ ବସିଥିବା ଦେଖିବାକୁ ମିଳିଛି।
ଆଇଏଏସ୍ ଛାଡ଼ି ନେତା ହୋଇଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବ୍ୟକ୍ତିଗତ ସହାୟକ ଏକଦା ମଞ୍ଚ ଉପରେ ବିଜେଡି ଶାସନକୁ ନଆସିଲେ ରାଜନୀତିରୁ ଇସ୍ତଫା ଦେବେ ବୋଲି କହିଥିଲେ। ଏହା ତାଙ୍କ ଆତ୍ମବିଶ୍ୱାସକୁ ସ୍ପଷ୍ଟ କରୁଥିଲା। ଏପରିକି ନିର୍ବାଚନରେ ହାରିଗଲା ପରେ ସେ ରାଜନୀତିକ ମଇଦାନରେ ଆଉ ଦେଖିବାକୁ ମିଳିଲେ ନାହିଁ। ଅନେକ ଚର୍ଚ୍ଚା କଲେ ସେ ନବୀନ ନିବାସରେ ଅଛନ୍ତି ଆଉ ପୂର୍ବ ପରି ବିଜେଡି ପାଇଁ ସବୁ କାର୍ଯ୍ୟ କରୁଛନ୍ତି। କିନ୍ତୁ ତାଙ୍କ ଚେହେରା କେବେ ମିଡିଆରେ ଆସି ନଥିଲେ। ଏପରିକି ଯେଉଁ ଶ୍ରୀ ଜଗନ୍ନାଥଙ୍କୁ ସେ ସପ୍ତାହକୁ ଥରେ ଦର୍ଶନ ପାଇଁ ଯାଉଥିଲେ ତାହା ବି ବନ୍ଦ ହୋଇଥିଲା। ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ବେଢ଼ା ପରିକ୍ରମା ଓ ଦର୍ଶନ ବି ଆଉ ଦେଖିବାକୁ ମିଳି ନାହିଁ।
ଏପରିକି ବିଜେଡିର କିଛି ନେତା ତାଙ୍କ ବିପକ୍ଷରେ କହିଥିଲେ। ହେଲେ ଯେଉଁଦିନ ଖୋଦ୍ ନବୀନ ଆସି ତାଙ୍କୁ ସୁରକ୍ଷା ଦେଇଥିଲେ , ସେବେଠାରୁ ପାଣ୍ଡିଆନଙ୍କ ଉପସ୍ଥିତି ପୁଣିଥରେ ଅଙ୍କୁରୋଦଗମ ହେବ ବୋଲି ଆଶା କରାଯାଉଥିଲା। ଆଜି ସେହି ଆଶା ବାସ୍ତବତାରେ ପରିଣତ ହେଉଛି କି? ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଏବଂ ବିଭିନ୍ନ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ଏହାକୁ ପ୍ରମାଣିତ କରୁଛି। ଅପେକ୍ଷା ପୁଣି ଏକ ନିର୍ବାଚନ ବାତାବରଣକୁ..