Winter Session: ତୃତୀୟ ଦିନରେ ଗୃହ ଅଚଳ, ଓଡ଼ିଶାକୁ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଲାଗି ୪୩୦ କୋଟି ଟଙ୍କା
Advertisement
Article Detail0/zeeodisha/odisha2536169

Winter Session: ତୃତୀୟ ଦିନରେ ଗୃହ ଅଚଳ, ଓଡ଼ିଶାକୁ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଲାଗି ୪୩୦ କୋଟି ଟଙ୍କା

Parliament Winter Session 2024: ସୋମବାର ଠାରୁ ଗୃହ ଅଚଳ ଥିବାରୁ ଉପସ୍ଥାପନ ହୋଇପାରୁନଥିବା ସରକାରୀ ବିଧେୟକ ଗୁଡିକୁ ମଧ୍ୟ ବାଚସ୍ପତିଙ୍କ ଅନୁମତି କ୍ରମେ ସମ୍ପୃକ୍ତ ମନ୍ତ୍ରଣାଳୟର ମନ୍ତ୍ରୀମାନେ ଉପସ୍ଥାପନ କରିବାକୁ ସ୍ଥିର କରାଯାଇଥିଲା। ହେଲେ ଆରମ୍ଭରୁ ଗୃହରେ ଅଚଳାବସ୍ଥା ଗୃହରେ ସମଗ୍ର ଦିନର କାର୍ଯ୍ୟକୁ ଆଶଙ୍କା ମଧ୍ୟକୁ ଆଣିଛି।

Winter Session: ତୃତୀୟ ଦିନରେ ଗୃହ ଅଚଳ, ଓଡ଼ିଶାକୁ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଲାଗି ୪୩୦ କୋଟି ଟଙ୍କା

Parliament Winter Session 2024 ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ଲାଗି ଆଜି ମଧ୍ୟ ଲୋକସଭାରେ ଗୃହ କାର୍ଯ୍ୟ ଅଚଳ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ମାତ୍ର ପ୍ରଶ୍ନର ଉତ୍ତର ମନ୍ତ୍ରୀ ରଖିପାରିଛନ୍ତି। ଏହା ପରେ ଗୃହରେ ବିରୋଧୀ ଦଳର ସାଂସଦମାନେ ସ୍ଳୋଗାନ ତଥା ବିଶୃଙ୍ଖଳା ସୃଷ୍ଟି କରିବା ହେତୁ ଗୃହ କାର୍ଯ୍ୟକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି। 

ଶୁକ୍ରବାର ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏକ ବେସରକାରୀ ଦିବସ। ପ୍ରଶ୍ନୋତ୍ତର କାଳ ପରେ ବିଭିନ୍ନ ବିଭାଗ ଏବଂ କମିଟିର ରିପୋର୍ଟକୁ ଉପସ୍ଥାପନ କରିବା ପରେ ବେସରକାରୀ ସଦସ୍ୟମାନେ ସେମାନଙ୍କର ନିଜସ୍ୱ ବିଧେୟକକୁ ଉପସ୍ଥାପନ କରିବା ଲାଗି ସୁଯୋଗ ପାଇଥାଆନ୍ତି। ଏହି କ୍ରମରେ ପ୍ରାୟ ୬୯ ଟି ବିଧେୟକ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ତା ସହିତ ସୋମବାର ଠାରୁ ଗୃହ ଅଚଳ ଥିବାରୁ ଉପସ୍ଥାପନ ହୋଇପାରୁନଥିବା ସରକାରୀ ବିଧେୟକ ଗୁଡିକୁ ମଧ୍ୟ ବାଚସ୍ପତିଙ୍କ ଅନୁମତି କ୍ରମେ ସମ୍ପୃକ୍ତ ମନ୍ତ୍ରଣାଳୟର ମନ୍ତ୍ରୀମାନେ ଉପସ୍ଥାପନ କରିବାକୁ ସ୍ଥିର କରାଯାଇଥିଲା। ହେଲେ ଆରମ୍ଭରୁ ଗୃହରେ ଅଚଳାବସ୍ଥା ଗୃହରେ ସମଗ୍ର ଦିନର କାର୍ଯ୍ୟକୁ ଆଶଙ୍କା ମଧ୍ୟକୁ ଆଣିଛି।

ଆଦି ତୃତୀୟ ଦିନରେ ଗୃହକାର୍ଯ୍ୟ ଆରମ୍ଭ କରିବାକୁ ଯାଇ ବାଚସ୍ପତି ଓମ ବିର୍ଲା ବିହାରର ସଦସ୍ୟ ଅଜୟ କୁମାର ମଣ୍ଡଳଙ୍କ ପ୍ରଶ୍ନକୁ ଉପସ୍ଥାପନ କରିବାକୁ ଚାହିଁଥିଲେ। କିନ୍ତୁ ପ୍ରଶ୍ନକର୍ତ୍ତା ପ୍ରଶ୍ନୋତ୍ତର କାଳରେ ଭାଗ ନ ନେବାରୁ ବାଚସ୍ପତି କର୍ଣ୍ଣାଟକର ସଦସ୍ୟ ଯଦୁବୀର ୱାଡିଆରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ବାବଦରେ କହିଛନ୍ତି ଯେ ସରକାର ସମଗ୍ର ଦେଶରେ ସ୍ୱାସ୍ଥ୍ୟ ବିଭାଗରେ ପ୍ରାଥମିକ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ପିଏମ ଭୀମ ବା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ମିଶନ କାର୍ଯ୍ୟକାରୀ କରୁଛନ୍ତି। ଏହି କ୍ରମରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ଦ୍ୱିତୀୟ ଏବଂ ତୃତୀୟ ସ୍ତର ଯାଏଁ ଭିତ୍ତିଭୂମୀ ବିକାଶ କରାଯାଉଛି। କେନ୍ଦ୍ର ସରକାର ଏବାବଦରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ୨୦୨୧-୨୨ରୁ ଏହି ଯୋଜନା ଆରମ୍ଭ ହୋଇଛି ଯାହା ୨୦୨୫-୨୬ ଯାଏଁ ଚାଲିବ। ଏହି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ମୁଖ୍ୟତଃ ୫ଟି ଦିଗକୁ ଧ୍ୟାନ ଦେଉଛି। ପ୍ରଥମତଃ ୧୭୭୮୮ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ ପାଇଁ ଯୋଜନା ଭୁକ୍ତ କରାଯାଇଛି। ସେହିପରି ସହରାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମୀର ବିକାଶ ପାଇଁ ୧୧୦୨୪ଟି ନିରାମୟ କେନ୍ଦ୍ର ଖୋଲାଯାଇଛି। ବ୍ଲକ ସ୍ତରରେ ୩୩୮୨ଟି ଜନସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସ୍ତରରେ ୭୩୦ଟି ଜନସ୍ୱାସ୍ଥ୍ୟ ନିଦାନ କେନ୍ଦ୍ର ଏବଂ ୫ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଜିଲ୍ଲାରେ ୬୦୨ଟି ଜଟିଳ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଓଡ଼ିଶାରେ ୬୦୪ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିବା ପାଇଁ ୨୭୮ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ସହରାଞ୍ଚଳରେ ୧୪୦ଟି ଆରୋଗ୍ୟ ମନ୍ଦିର ଖୋଲିବା ପାଇଁ ୩୨ କୋଟି ୨୦ ଲକ୍ଷ ଏବଂ ବ୍ଲକ ସ୍ତରରେ ୧୧୯ଟି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୧୮ କୋଟି ୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ସହାୟତା ଦେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସୂଚନା ଦେଇଛନ୍ତି।