ବିଧାୟିକା ସୁରମା ପାଢ଼ୀ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ
Advertisement
Article Detail0/zeeodisha/odisha2300200

ବିଧାୟିକା ସୁରମା ପାଢ଼ୀ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ

ସୁରମା ପାଢ଼ୀ ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ଥିଲେ। 

ବିଧାୟିକା ସୁରମା ପାଢ଼ୀ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ

ଭୁବନେଶ୍ଵର: ସବୁ କଳ୍ପନା ଜଳପନାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ। ସର୍ବସମ୍ମତି କ୍ରମେ ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ଏନେଇ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି। ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଦଳର ବିଧାୟକ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ଥିଲେ। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରି ଏହି ପଦବୀରେ ଅଧିଷ୍ଠିତ କରିଛି।

ସୂଚନା ଥାଉକି, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ମାନସ ମନ୍ଥନ କରାଯାଇଥିଲା। ବିଜେପି ବିଧାୟକ ଦଳ ବୈଠକରେ ସୁରମା ପାଢ଼ୀଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା। ରଣପୁରରୁ ବିଧାୟିକା ଥିବା ସୁରମା ପାଢୀ ଏହାପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଧାନସଭା କେମିତି ପରିଚାଳନା ହୁଏ ସେନେଇ ସୁରମାଙ୍କର ଯଥେଷ୍ଟ ଅନୁଭବ ରହିଛି। ବରିଷ୍ଠତା ଓ ଅନୁଭବ ଦୃଷ୍ଟିରୁ ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି ବିଜେପି ।

ଅନ୍ୟପଟେ ବିଧାନ ସଭାରେ ନୂତନ ବାଚସ୍ପତି ମାନ୍ୟବର ସୁରମା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ ଅଭିନନ୍ଦନରେ ଜଣାଇଛନ୍ତି ଯେ, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆପଣ ଆଜି ଏହି ଦାୟିତ୍ଵ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍ ଭାବରେ ପରିଚାଳନା କରିପାରିବେ। ଆମ୍ଭେମାନେ ସମସ୍ତେ ଓଡିଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବାକରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ। ମୋର ଆଶା, ଆମ୍ଭେମାନେ ସମସ୍ତେ ଏ ଗୃହ କାର୍ଯ୍ୟରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା।