Top 10 News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।
Trending Photos
Top 10 News Headlines:
1- ଦୁଇ ଶ୍ରମିକଙ୍କ ଅବସ୍ଥା ସଂକଟାପନ୍ନ: ଉତ୍ତରକାଶୀରେ ଟନେଲ ଧସିବା ଫଳରେ ସପ୍ତାହେରୁ ଅଧିକ ସମୟ ଧରି ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ନେଇ ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଅଧାରେ ଅଟକି ଥିବାରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିନଥିବାରୁ ସେମାନଙ୍କ ପରିବାର ଚିନ୍ତାରେ ରହିଛନ୍ତି। ସେପଟେ ଟନେଲକୁ କଟା ଯାଇ ଶ୍ରମିକମାନଙ୍କୁ ଏୟାର ଲିଫ୍ଟ କରାଯିବ ବୋଲି ଯୋଜନା କରାଯାଉଛି।
2- ଚିଠି ଲେଖିଲେ ଅପରାଜିତା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ପଟିଆସ୍ଥିତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଳମ୍ବ ନକରି ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ଅପରାଜିତା। ଗଣ୍ଡଗୋଳର କାରଣ ଖୋଜି ତୁରନ୍ତ ଶାନ୍ତି କମିଟି ଗଠନ କରିବାକୁ ଚିଠି ଜରିଆରେ ନିବେଦନ କରିଛନ୍ତି ଭୁବନେଶ୍ୱର ସାଂସଦ। ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ଦର୍ଶାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗାଁର ୧୫୦ ଲୋକଙ୍କୁ ଗିରଫ କରି ୩ ମାସ ହେଲା ଜେଲ୍ ପଠାଯାଇଛି।ଏବେବି ପଦ୍ମକେଶରୀପୁର ଗାଁରେ ଅଳ୍ପ କିଛି ମହିଳା ଓ ଶିଶୁ ଅଛନ୍ତି, ଭୟର ବାତାବରଣ ରହିଛି। ହେଲେ ଏପର୍ଯ୍ୟନ୍ତ ଶାନ୍ତି ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସେପରି ଉଦ୍ୟମ ହୋଇନି। ତେଣୁ ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଅପରାଜିତା ଅନୁରୋଧ କରିଛନ୍ତି ।
3- ଆଉ ଦିନକ ପରେ ଓଡ଼ିଶା ଆସିବେ ରାଷ୍ଟ୍ରପତି: ଚଳିତ ମାସରେ ଦୁଇଥର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୟୂରଭଞ୍ଜ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିବାରୁ ଷ୍ଟେସନଟିକୁ ସୁନ୍ଦର ଭାବରେ ସଜେଇ ଦିଆଯାଇଛି। ରେଲୱେର ବରିଷ୍ଠ ଅଧିକାରୀ ମାନେ ଘନ ଘନ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି।
4- କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ: ଜନଜାତିଙ୍କ ଜମି କିଣାବିକା ନେଇ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଉପରେ ଲଗାଯାଇଛି। ବିଭାଗ ଖୋଦ୍ ନିଜ ବିଭାଗର ନିଷ୍ପତ୍ତି ଉପରେ ରୋକ ଲଗାଇଥିବା ଜଣାପଡ଼ିଛି। ଏନେଇ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଗତ ୧୪ ତାରିଖରେ ଅଣ ଆଦିବାସୀମାନେ ଆଦିବାସୀଙ୍କ ଜମି କିଣିପାରିବେ ବୋଲି ବିଭାଗୀୟ ପ୍ରସ୍ତାବ କ୍ୟାବିନେଟ ବୈଠକରେ ଗୃହୀତ ହୋଇଥିଲା। କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚ ଶିକ୍ଷା, ଆତ୍ମ ନିଯୁକ୍ତି, ବ୍ୟବସାୟ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଆଦିବାସୀମାନେ ଜମି ବିକ୍ରି କରିପାରିବେ ବୋଲି କୁହାଯାଇଥିଲା।
5- ବନ୍ଦ ହେଲା କେଦାରନାଥ ଓ ବଦ୍ରିନାଥ: ବନ୍ଦ ହୋଇଛି ବଦ୍ରିନାଥ ମନ୍ଦିରର ଦ୍ୱାର। ପ୍ରବଳ ଶୀତ ପାଇଁ ବନ୍ଦ ହୋଇଛି ବଦ୍ରିନାଥ ମନ୍ଦିର। ଏହା ସହିତ ଚାରିଧାମ ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଛି। ଶେଷ ଦିନରେ ୧୦ ହଜାରରୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ତେବେ ଶେଷ ଦିନରେ ୧୫ କ୍ୱିଣ୍ଟାଲ ଫୁଲରେ ମନ୍ଦିରକୁ ସଜା ଯାଇଥିଲା। ଏହାର ଦୁଇ ଦିନ ପୂର୍ବରୁ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ ହୋଇଯାଇଥିଲା। ଚଳିତ ବର୍ଷ ଏପ୍ରିଲ ୨୫ ତାରିଖରେ କେଦାରନାଥ ମନ୍ଦିରର ଦ୍ୱାର ଖୋଲାଯାଇଥିବା ବେଳେ ଗତ ୧୪ ତାରିଖରେ ମନ୍ଦିରର କପାଟ ବନ୍ଦ ହୋଇଛି।
6- ୧୮ ଲକ୍ଷ ଫେରାଇଲେ ସରକାର: ଇଞ୍ଜିନିୟରଙ୍କ ଅଫିସରୁ ଆସବାବ ଉଠାଇ ଆଣିବା ପରେ ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ଫେରାଇଛନ୍ତି ସରକାର। ୧୯୯୮ ମସିହାରେ ଭୁବନେଶ୍ୱରର ନ’ତାଲା ନିର୍ମାଣ କାର୍ଯ୍ୟରେ କନ୍ଷ୍ଟ୍ରକ୍ସନ ଇଣ୍ଡିଆର ଠିକାଦାର ଦୀନେଶ ପାଠକ ନିୟୋଜିତ ହୋଇଥିଲେ। ତାଙ୍କର ପ୍ରାପ୍ୟ ୧୮ ଲକ୍ଷ ଟଙ୍କା କିନ୍ତୁ ଦେଇପାରି ନଥିଲେ ସରକାର। ଏଣୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ଆଦେଶ ପରେ ଅର୍ଥ ଦେବା ଲାଗି ବାରମ୍ବାର ସମୟ ଘୁଞ୍ଚାଇ ଚାଲିଥିବା ମୁଖ୍ୟଯନ୍ତ୍ରୀଙ୍କ ଅଫିସରରୁ ଆଜି କୋର୍ଟ କର୍ମଚାରୀ ଆସବାବ ଉଠାଇ ଆଣିଥିଲେ।
7- ସାମ ଅଲ୍ଟମ୍ୟାନ ବହିଷ୍କୃତ: ପ୍ରମୁଖ ଏଆଇ ନିର୍ମାତା ଚାଟ୍ ଜିପିଟିର ସିଇଓ ତଥା ଓପନ୍ ଏଆଇ କମ୍ପାନୀର ସହ ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନଙ୍କୁ ବହିଷ୍କାର କରାଯାଇଛି । କମ୍ପାନୀର ମୁଖ୍ୟ ଟେକ୍ନିକାଲ୍ ଅଧିକାରୀ ମୀରା ମୁରତିଙ୍କୁ ଏକ ଅନ୍ତରୀଣ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। କମ୍ପାନୀ ଏବେ ନୂଆ ସିଇଓଙ୍କୁ ଖୋଜୁଥିବା କହିଛି।
8- ଡିପଫେକ ସମସ୍ୟା: ଏଆଇ ଦ୍ୱାରା କୌଣସି ବ୍ୟକ୍ତିର ଛବିକୁ ଅନ୍ୟ କାହାର ଛବିରେ ଯୋଡ଼ି ଭିଡିଓ ପ୍ରସ୍ତୁତ କରିବା ଏବଂ ତାହାକୁ ସୋସିଆଲ୍ ମିଡିଆରେ ସେୟାର କରି ଅପପ୍ରଚାର କରିବା ଏବେ ମହଙ୍ଗା ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସମାଜ ପାଇଁ ବିପଦ ବୋଲି ବି ଅଭିହିତ କରିଛନ୍ତି। ଏଆଇ ବ୍ୟବହାର କରି କେହି ତାଙ୍କର ଏକ ଭିଡିଓ ପ୍ରସ୍ତୁତ କରି ଏହିପରି ଭାବେ ଅପପ୍ରଚାର କରିଥିବା ସେ କହିଛନ୍ତି। ଏହିଭଳି ବିପଦକୁ କାବୁ କରିବା ଲାଗି ଏଆଇ ନିର୍ମାତାମାନେ ସେଚତନ ହେବା ଆବଶ୍ୟକ। ଭିଡିଓରେ ଲୋକଙ୍କୁ ସତର୍କ କରିବା ଜରୁରୀ ବୋଲି ସେ କହିଛନ୍ତି।
9- ପ୍ରଧାନମନ୍ତ୍ରୀ ଦେଖିବେ ବିଶ୍ୱକପ: ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ କ୍ରିକେଟ୍ ଫାଇନାଲ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହିତ ଅଷ୍ଟ୍ରେଲିୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ, ଡେପୁଟି ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ମଧ୍ୟ ଫାଇନାଲ ମ୍ୟାଚ ଦେଖିବେ। ଏଥିପାଇଁ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚର ସୁରକ୍ଷା ତଥା ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଶୁକ୍ରବାର ଦିନ ଗାନ୍ଧିନଗରରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ପଟେଲ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
10- କାଲି ବିଶ୍ୱକପ ଫାଇନାଲ: ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଖେଳାଯିବ। ଗୁଜୁରାଟର ଅହମ୍ମଦାବାଦରେ ଏହି ମ୍ୟାଚ ଖେଳାଯିବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ବିଶ୍ୱକପରେ ଭାରତ ଅପରାଜେୟ ରହିଥିବା ବେଳେ ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଛି। ସେହିପରି ଅଷ୍ଟ୍ରେଲିଆ ସର୍ବାଧିକ ୫ଥର ବିଶ୍ୱକପ ହାତେଇ ସାରିଥିବା ବେଳେ ଭାରତ ମାତ୍ର ଦୁଇଥର ହାତେଇଛି। ତେବେ ବିଶ୍ୱକପ ହାତେଇବା ଲକ୍ଷ୍ୟରେ ଦୁଇ ଦଳ ମୈଦାନକୁ ଓହ୍ଲାଇବେ।
Also Read- Bollywood News: ପ୍ରଶଂସକଙ୍କୁ ଚାପୁଡ଼ା ମାରିବା ପରେ କ୍ଷମା ପ୍ରାର୍ଥନା କଲେ ଅଭିନେତା ନାନା ପାଟେକର
Also Read- World Cup Final: ଅହମ୍ମଦାବାଦ ପାଇଁ ଫ୍ଲାଇଟ୍ ଟିକେଟ୍ ଛୁଇଁଲା ୪୦ ହଜାର