Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2098843

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର ପଢ଼ିନିଅନ୍ତୁ ସଂକ୍ଷେପରେ...

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- ମଦ ନୀତି ମାମଲାରେ ଇଡିର ଡାକରାକୁ ପାଳନ ନକରିବାରୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। କେଜ୍ରିୱାଲ୍‌ଙ୍କୁ ଇଡି ବାରମ୍ବାର ଡାକିବା ପରେ ବି ସେ ହାଜର ହୋଇନଥିବା କାରଣରୁ ତଦନ୍ତକାରୀ ସଂସ୍ଥା ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା, ଯାହାର ଶୁଣାଣି ଆଜି ହୋଇଯାଇଛି । ତେବେ ଏନେଇ ଆଜି ଅପରାହ୍ନ ୪ଟାରେ ରାୟ ପ୍ରକାଶ ପାଇବ ।

2- ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ  ସଂସଦ ପୁରସ୍କାର-୨୦୨୩ରେ ସମ୍ମାନିତ କରାଯାଇଛି। ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ହେଉଛନ୍ତି ଡକ୍ଟର ସସ୍ମିତ ପାତ୍ର । ସେହିପରି, ଲୋକସଭା ସାଂସଦ ଶଶି ଥରୁରଙ୍କୁ ମଧ୍ୟ ଶ୍ରଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଅବଦନ ପାଇଁ ଆଉ ୬ ସାଂସଦଙ୍କୁ ପୁରସ୍କୃତ କରାଯାଇଛି। ଲୋକମତ ଶ୍ରେଷ୍ଠ ସାଂସଦ ପୁରସ୍କାର ଏହା ଥିଲା ପଞ୍ଚମ ସଂସ୍କରଣ। ଏହି ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

3- ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ବାରମ୍ୱାର ମୁଲତବି ହୋଇଥିଲା ଗୃହ । ବିଧାନସଭାରେ ଆଜି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସମବାୟ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ରହିଥିଲା । କିନ୍ତୁ ଗୃହ ଆରମ୍ଭରୁ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିରୋଧୀ ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଯାହା ଫଳରେ ସଠିକ୍ ଭାବରେ ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଶ୍ରୀମତି ପ୍ରମିଳା ମଲ୍ଲିକ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ । 

4- ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ।  ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ପୂର୍ବରୁ ପାଟନା ହାଇକୋର୍ଟ ବିଚାରପତି ଥିଲେ ଜଷ୍ଟିସ୍‌ ଶରଣ ସିଂ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିବା ଜଷ୍ଟିସ୍‌ ଶରଣ ସିଂ ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୨୦୧୨ ଏପ୍ରିଲ ୫ରେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ ।

5- ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା । ପ୍ରଥମ ଦିନରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ସାଧୁସନ୍ଥଙ୍କ ଆଗମନ ମେଳାକୁ ଭକ୍ତିମୟ କରିଦେଇଛି । ନାମ ସଂକୀର୍ତ୍ତନ ଶବ୍ଦରେ ଗୁଞ୍ଜରିତ ହେଉଛି ପୀଠ । ଲୋକମାନେ ମେଳାରୁ ବିଭିନ୍ନ ପ୍ରକାରର ସାମଗ୍ରୀ କିଣିବା ସହିତ ଚଟପଟା ଖାଦ୍ୟର ମଜା ଉଠାଉଥିବା ଦେଖିବାକୁ ମିଳିଛି । ମେଳାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

6- ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ବାହାରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଥିସହିତ ରାଉରକେଲା ବେଦବ୍ୟାସ ମନ୍ଦିରରେ ରାହୁଲ ରୁଦ୍ରାଭିଷେକ କରିଛନ୍ତି । ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ ।

7- ରାୟଗଡା ଜିଲ୍ଲା କାଶୀପୁର ଅନ୍ତର୍ଗତ ଭାଟିପାସ ଗାଁରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଦୁଇ ନାବାଳକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଗୁରୁନାଥ ଗଉଡକୁ ଗିରଫ କରିଛି । କେଉଁ କାରଣରୁ ଅଭିଯୁକ୍ତ ଏପରି ଚରମ ପଦକ୍ଷପ ନେଲା ସେନେଇ ଥାନାରେ ପଚରାଉଚରା କରୁଛି ପୋଲିସ ।

8- ଆମେରିକାର ଇଣ୍ଡିଆନା ୱେସଲି ୟୁନିଭରସିଟିରୁ ଆଇଟିରେ ମାଷ୍ଟର କରୁଥିବା ହାଇଦ୍ରାବାଦର ବାସିନ୍ଦା ସୟଦ ମଜହିର ଅଲ୍ଲୀଙ୍କୁ ଚିକାଗୋରେ ଚାରି ଜଣ ଲୋକ ଲୋକ ଅତି ନିର୍ମମ ପିଟିଛନ୍ତି। ଆକ୍ରମଣକାରୀମାନେ ତାଙ୍କ ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଛନ୍ତି। ଫେବୃଆରୀ ୪ରେ ଘଟିଥିବା ଏହି ଆକ୍ରମଣରେ ଭାରତୀୟ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ କାଉନସିଲର ତଥା ମଜଲିସ୍ ବାଚାଓ ତେହେରିକଙ୍କ ମୁଖପାତ୍ର ଅମଜାଦ ଉଲ୍ଲା ଖାନ ସୋସିଆଲ ମିଡିଆରେ ଏହି ଘଟଣା ସହ ଜଡିତ ଭିଡିଓ ସେୟାର କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକାର ଭାରତୀୟ ଦୂତାବାସର ସହାୟତା ପାଇଁ ନିବେଦନ କରିଛନ୍ତି।

9-  ବିଶା‌ଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଜସପ୍ରୀତ ବୁମ୍ରାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବୁମ୍ରା ନିଜର ଏହି ଚତ୍ମକାର ପ୍ରଦର୍ଶନ ବଳରେ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇପାରିଛନ୍ତି।ଖବର ଅନୁଯାୟୀ, ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତର ବିଜୟ ହାସଲ ପରେ ବୁମରାଙ୍କୁ ନେଇ ଚର୍ଚ୍ଚା ବଢିଥିଲା । ସ୍ପିନରଙ୍କୁ ସୁହାଉଥିବା ପିଚ୍‌ରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଳକୁ ଏହି ବିଜୟ ଭେଟି ଦେଇଥିଲେ । ଏହାସହ ପ୍ରଥମ ପାଳିର ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟୱାଲ ଏବଂ ଦ୍ବିତୀୟ ପାଳିରେ ଶତକୀୟ ପାଳି ଖେଳିଥିବା ଶୁବମନ ଗିଲ୍‌ଙ୍କୁ ପଛରେ ପକାଇ ମ୍ୟାଚ୍‌ର ମ୍ୟାନ୍ ଅଫ ମ୍ୟାଚ୍ ହୋଇଥିଲେ । ବର୍ତ୍ତମାନ ତାଙ୍କର ୮୮୧ ପଏଣ୍ଟ ରହିଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ବୁମରା ୬ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ସେ ୩ଟି ୱିକେଟ୍ ନେଇଥିଲେ । ତେବେ ତିନୋଟି ଯାକ ଫର୍ମାଟରେ ବୁମରା ଶୀର୍ଷରେ ରହିଥିବା ପ୍ରଥମ ବୋଲର ହୋଇଛନ୍ତି ।

10- ରାଜ୍ୟରେ ଥଣ୍ତା କମିବା ସହ ଗରମ ବଢିଛି । ଫେବୃଆରୀ ମାସରେ ଟାଣ ଖରାର ଆରମ୍ଭ ଲୋକଙ୍କୁ କଲବଲ କରିବା ଆରମ୍ଭ କରିଛି । ପାରଳାଖେମୁଣ୍ତି, ଭବାନୀପାଟଣାରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଛି।  ଟିଟିଲାଗଡ, ମାଲକାନଗିରିରେ ତାପମାତ୍ରା ୩୪.୫ ଡିଗ୍ରୀ । ଭୁବନେଶ୍ବରରେ ତାପମାତ୍ରା  ବି ପ୍ରାୟ ୩୪.୪ ଡିଗ୍ରୀ ରହିଛି। ତାପମାତ୍ରା ସ୍ବାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Also Read- କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି

Also Read- Entertainment News: ଫେବୃଆରୀ ୧୧ ତାରିଖରେ ଦେଖନ୍ତୁ ‘ଗଦର-୨’