Top 10 News Today: ଫେରିଗଲା ଶତାଧିକ ଆଳୁ ଟ୍ରକ ଖବର ସହ ଅନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2354354

Top 10 News Today: ଫେରିଗଲା ଶତାଧିକ ଆଳୁ ଟ୍ରକ ଖବର ସହ ଅନ୍ୟ ଅପଡେଟ୍

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଫେରିଗଲା ଶତାଧିକ ଆଳୁ ଟ୍ରକ ଖବର ସହ ଅନ୍ୟ ଅପଡେଟ୍

Top 10 News Today:

01- ଆଜି ବିଧାନସଭା ଶୂନ୍ୟ କାଳରେ ଆଳୁ, ଶିଳ୍ପ ଏବଂ  ଆମ ଓଡିଶା ନବୀନ ଓଡିଶା ପ୍ରସଙ୍ଗ ଉଠିଥିବା ଦେଖିବାକୁ ମିଳିଛି । ଦୁଇଟି ପ୍ରସଙ୍ଗରେ ଗୃହ ସରଗରମ୍ ହୋଇଥିବାବେଳେ ମୁହାଁମୁହିଁ ହୋଇଥିଲେ ଗଣେଶ୍ବର ଓ ଆଶ୍ରିତ। ଅନ୍ୟପଟେ ବିଧାନସଭାରେ ଶିଳ୍ପ ପ୍ରସଙ୍ଗରେ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ଗତ ପାଞ୍ଚ ବର୍ଷରେ ୫୧୨ ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ ପାଇଁ ଏମଓୟୁ କରିଥିବା ବେଳେ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇପାରିଛି ।

02- କାର୍ଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ନିଜ ବକ୍ତବ୍ୟରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ନିଜ ଅଭିଭାଷଣରେ ମୋଦୀ କହିଥିଲେ ଯେ, ନିଜ ଇତିହାସରୁ କିଛି ଶିଖିଲାନି ପାକିସ୍ଥାନ । ୧୯୯୯ ଜୁଲାଇ ୨୬ର ବିଜୟକୁ ସାରା ଦେଶ ମନେ ପକାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

03- କୁବେର ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତିର ତାଲିକା ଶେଷ ହେଉନି । ରାଜ୍ୟ ବାହାରେ ମଧ୍ୟ ଯନ୍ତ୍ରୀଙ୍କ ଫ୍ଲାଟ ଠାବ କରିଛି ଭିଜିଲାନ୍ସ ଟିମ୍ । ଉତ୍ତରପ୍ରଦେଶ ମଥୁରାରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ ରହିଛି । ଏଥିସହ ବିଭିନ୍ନ ବୀମା କମ୍ପାନୀରେ ୨.୨୬ କୋଟିର ଜମା ରହିଥିବା ସୂଚନା ମିଳିଛି । ଢେଙ୍କାନାଳ ସପ୍ତଶଯ୍ୟାରେ ୮ ଏକର ଫାର୍ମ ହାଉସରେ ୨ କୋଠା ସହ ଫାର୍ମ ହାଉସରେ ଗାଈ, ଦେଶୀ କୁକୁଡା, ବତକ ଫାର୍ମ ରହିଛି । ଗତକାଲି ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରୁ ୩୪ଟି ପ୍ଲଟ୍‌ ଠାବ ହୋଇଥିଲା । ୨ଟି ଟ୍ରକ୍‌, ୨ଟି ଚାରିଚକିଆ, ୪ ବାଇକ୍‌ ସହ ସୁନା ଅଳଙ୍କାର ମିଳିଥିଲା ।

04- ରପ୍ତାନୀ ଅନୁମତି ନପାଇ ଓଡ଼ିଶା ସୀମାରେ ଅଟକିଥିବା ଶତାଧିକ ଆଳୁଟ୍ରକ ପଶ୍ଚିମବଙ୍ଗ ଫେରିଯାଇଛି । ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଅଟକାଇଥିଲା ଆଳୁ ଟ୍ରକ । ଅନ୍ୟପଟେ ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଶ୍ଚିମବଙ୍ଗ ଆଳୁ ନଦେଲେ ରାଜ୍ୟକୁ ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

05- ଲଗାଣ ବର୍ଷାରେ ମାୟାନଗରୀ ମୁମ୍ୱାଇ ସମେତ ପୁଣେର ପରିସ୍ଥିତି ବିଗିଡି ଯାଇଛି । ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିବା ସହ ଲୋକଙ୍କ ଘରେ ପାଣି ପଶିଛି। ବର୍ଷା ଜଳ ରାସ୍ତାରେ ଲହଡି ମାରିବା କାରଣରୁ ଅନେକ ସ୍ଥାନରେ ଯାନବାହନ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ମୋଟର ପମ୍ପ ଲଗାଯାଇ ପାଣି ନିଷ୍କାସନ କରାଯାଉଛି ।

06- ଗତ ସାଧାରଣ ନିର୍ବାଚନରେ ଅନିୟମିତତା ଅଭିନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦୁଇ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍‌ । ଦୁଇ ବିଧାୟକ ହେଲେ ବାଲେଶ୍ୱର ଜିଲ୍ଲା ସୋର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ମାଧବ ଧଡ଼ା ଓ କଳାହାଣ୍ଡି ଜିଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ମନୋରମା ମହାନ୍ତି ।

07- ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ତେଣୁ ବୈଠକରେ ଯୋଗ ଦେବାକୁ ଆଜିଠୁ ୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତ କରିପାରନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାର ଅଛି। ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ୨୦୪୭କୁ ଭାରତକୁ ବିକଶିତ ଦେଶ କରି ଗଢ଼ିବା ଉପରେ ଆଲୋଚନା ହେବ।

08- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇଟି ନୂଆ ଇ.ଏସ.ଆଇ ହସ୍ପିଟାଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। କେନ୍ଦୁଝର ଓ ସୋନପୂର ସହରରେ ଏହି ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକ ଓ ସେମାନଙ୍କ ପରିବାର ଉତ୍ତମ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

09- ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଆଜି ଆନୁଷ୍ଠାନିକ ଭାବରେ ୨୬ ଜୁଲାଇ ଶୁକ୍ରବାର ଦିନ ସେଇନ୍ ନଦୀରେ ଏକ ଐତିହାସିକ ଉଦଘାଟନୀ ସମାରୋହ ସହିତ ଆରମ୍ଭ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ଭାରତ ମଧ୍ୟ ଏକ ପ୍ରମୁଖ ଅଂଶ ହେବାକୁ ଯାଉଛି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଉଦଘାଟନ ଭାରତୀୟ ସମୟ ରାତି ୧୧ଟାରେ ହେବ। ଏହାସହ ଏହା ଭାରତରେ ଲାଇଭ୍ ଷ୍ଟ୍ରିମିଂ ଏବଂ ପ୍ରସାରଣ ପାଇଁ ଉପଲବ୍ଧ ହେବ। ଅଲିମ୍ପିକ୍ ଇତିହାସରେ ପ୍ରଥମ ଥର ପାଇଁ ଷ୍ଟାଡିୟମ୍ ଭିତରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇନାହିଁ।

10- ଲଘୁଚାପ ନେଇ ୧୩ ଜିଲ୍ଲାକୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ ତେଣୁ ଉତ୍ତର ଓଡ଼ିଶା ସହ ୧୩ ଜିଲ୍ଲାକୁ ସଜାଗ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଜିଲ୍ଲା ସ୍ତରରେ ପ୍ରସ୍ତୁତ ରହିବା ନେଇ ଅବଗତ କରିବାକୁ ନିର୍ଦ୍ଦେଶ ମିଳିଛି । ୧୩ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ।

Also Read- Budget 2024: ଓଡ଼ିଆ ସିନେମା ବଜେଟ୍ ନେଇ ଚିନ୍ତା ପ୍ରକଟ କଲେ କଳାକାର