Top 10 News Today: ଆସନ୍ତା ୨୭ ଏବଂ ୨୮ରେ ଜିଲ୍ଲାପାଳ ସମ୍ମିଳନୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2445214

Top 10 News Today: ଆସନ୍ତା ୨୭ ଏବଂ ୨୮ରେ ଜିଲ୍ଲାପାଳ ସମ୍ମିଳନୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ଆସନ୍ତା ୨୭ ଏବଂ ୨୮ରେ ଜିଲ୍ଲାପାଳ ସମ୍ମିଳନୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today:

Headlines 01-  ଆସନ୍ତା ୨୭ ଏବଂ ୨୮ ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ବସିବ । ସଚିବସ୍ତରୀୟ ବୈଠକରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ନିଷ୍ପତ୍ତି ନିଆଯାଇଛି । ମୋହନ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ବିଭିନ୍ନ ବିଭାଗ ସଚିବଙ୍କ ସହ ଜିଲ୍ଲାପାଳମାନେ ଯୋଗଦେବେ । ଏଥିସହ ଏସ୍‌ପିମାନଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

Headlines 02- ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ ଦୂର କରିଛି ବୋର୍ଡ । ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ପକ୍ଷରୁ ପଠାଯିବ ନାହିଁ ବରଂ ସ୍କୁଲ କର୍ତ୍ତୃପକ୍ଷ ନିଜସ୍ବ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ ବୋଲି କୁହାଯାଇଛି । ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି ।

Headlines 03- ରାଜସ୍ଥାନର ବଲୋତ୍ରା ଜିଲ୍ଲାରେ ଆଜି ମଧ୍ୟାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା 3.2 ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭବ କରିବା ମାତ୍ରେ ଲୋକମାନେ ଘରୁ ପଦାକୁ ବାହାରି ଆସିଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ,  ପ୍ରାୟ 1:43 ସମୟରେ ବଲୋତ୍ରା ଠାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବଲୋତ୍ରା ଥିଲା ବୋଲି କୁହାଯାଉଛି। ପ୍ରାୟ ୫ କିମି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା।

Headlines 04- ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀ ତିରୁପତି ପ୍ରସାଦ ବିବାଦ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଲଡୁରେ ଚର୍ବିର ବ୍ୟବହାରକୁ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ସନାତନ ଧର୍ମର ଲୋକଙ୍କୁ ଜାଗ୍ରତ ହେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଧର୍ମ ପାଇଁ ବର୍ତ୍ତମାନ ସ୍ୱର ଉଠାଯିବନି ତେବେ ଦିନେ ନା ଦିନେ ସମସ୍ତେ ପଶ୍ଚାତାପ କରିବେ । ଏଥିସହ ତିରୁପତି ମନ୍ଦିରରେ ଯେଉଁ ଭକ୍ତ ପ୍ରସାଦ ଗ୍ରହଣ କରିଛନ୍ତି ସେମାନଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି ଧିରେନ୍ଦ୍ର ଶାସ୍ତ୍ରୀ । ସେ କହିଛନ୍ତି ଯେ, ଯେଉଁମାନେ ମନ୍ଦିରରେ ପ୍ରସାଦ ଗ୍ରହଣ କରିଛନ୍ତି ସେମାନେ ୯ ଦିନ ପର୍ଯ୍ୟନ୍ତ ଅନୁତାପ କରିବା ଉଚିତ ଯାହା ଦ୍ୱାରା ଶୁଦ୍ଧତା ହୋଇପାରିବ।

Headlines 05- ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସାଦ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିରରେ ମହାପ୍ରସାଦର ମାନକୁ ନେଇ ଉଠିଛି ପ୍ରଶ୍ନ। କେବଳ ମହାପ୍ରସାଦ ନୁହେଁ ବରଂ ଶୁଖୁଲି ଭୋଗ ଓ ଦୀପରେ ନକଲି ଘିଅ ବ୍ୟବହାର ହେଉଥିବା ଆଶଙ୍କା କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଆଇନଜୀବୀ ଦୀଲିପ ବରାଳ। ଯାହାକୁ ସିଧାସଳଖ ଖଣ୍ଡନ କରିଛି ସୁଆରମହାସୁଆର ନିଯୋଗ। ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅର ମାନ ଯାଞ୍ଚ ନେଇ ଭକ୍ତମହଲ ରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ ଓ ଦ୍ଵୀପରେ ଲାଗୁଥିବା ଘିଅ ସବୁ ଓମ୍ଫେଡ ଶୁଦ୍ଧ ଘିଅ।ସେଭଳି କିଛି ଅଭିଯୋଗ ନାହିଁ।ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ସମ୍ଭାବନା ରହିଥିବା ସହ ଖୁବଶୀଘ୍ର ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅକୁ ଫୁଡ୍ ସେପ୍ଟି ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Headlines 06- ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦାବି ଉପରେ ଆଲୋଚନା ନେଇ କାଲି ନର୍ସିଂ ସଂଘକୁ ଡାକିଛୁ । ଆଲୋଚନା ସଫଳ ହେବା ନେଇ ସରକାର ଆଶାବାଦୀ ଅଛନ୍ତି । ସ୍ବାସ୍ଥ୍ୟ ସେବାରେ କୌଣସି ବ୍ୟାହତ ହେବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Headlines 07- ଓଡ଼ିଶାରେ ପ୍ରସ୍ତାବିତ ଇଭି ଯାନ ପ୍ରକଳ୍ପକୁ ଜେଏସ୍‍ଡବ୍ଲୁ ପ୍ରତ୍ୟାହାର କରିବା ନେଇ ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରିଛି କମ୍ପାନୀ। ଚୁକ୍ତି ଅନୁସାରେ କମ୍ପାନୀ ଏଠାରେ ୪୦ ହଜାର କୋଟି ଟଙ୍କା ନିବେଶରେ ବସାଇବାକୁ ଥିବା ଇଭି ଯାନ ପ୍ରକଳ୍ପରୁ କମ୍ପାନୀ ହଟୁ ନାହିଁ ବୋଲି ଏକ ଲିଖିତ ବିବୃତ୍ତି ଜାରି କରିଛି। କମ୍ପାନୀର କର୍ପୋରେଟ୍‍ ଷ୍ଟ୍ରାଟେଜୀ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରଞ୍ଜନ ନାୟକ ଏହା କହିଛନ୍ତି। 

Headlines 08- ବିବାଦରେ ରହି ଆସିଥିବା ଭରତପୁର ଥାନାରେ ଆଜି ଶେଷରେ ଲାଗିଛି ସିସିଟିଭି। ୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି। ଥାନାରେ ଭିତରେ ଓ ବାହାରେ ଏହି ସିସିଟିଭି ଲାଗିଛି। ଖୁବ୍ ଶୀଘ୍ର ବାକି ସମସ୍ତ ସିସିଟିଭି ଲାଗିବ ବୋଲି ଜଣାପଡ଼ିଛି। ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତତ୍କାଳୀନ ଥାନାଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ସବୁ ଥାନାରେ ସିସିଟିଭି ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭରତପୁର ଥାନାର ନୂଆ କୋଠା ନିର୍ମାଣ କରାଯିବା ସହ ସିସିଟିଭି ଲଗାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ହେଲେ ୧୪ ତାରିଖ ଶନିବାର ବିଳମ୍ବିତ ରାତିର ଏହି ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।

Headlines 09- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଓଡିଶାର ଦୁଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ଦ୍ବିତି ଚନ୍ଦ୍ର ସାହୁ ଏବଂ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୪ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡିଶାରୁ ଏହି ଦୁଇ ଜଣ କୃତୀ ଶିକ୍ଷକ ସ୍ଥାନ ପାଇବା ଆମ ପାଇଁ ଗର୍ବର ବିଷୟ। ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଅଭିନବ ଶିକ୍ଷା ପଦ୍ଧତିର ପ୍ରୟୋଗରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ବିଜ୍ଞାନ ଶିକ୍ଷାକୁ ସହଜ ଉପାୟରେ ପିଲାମାନଙ୍କୁ ବୁଝାଇ ଜଣେ ସୁନାମଧନ୍ୟ ଓ ଆଦର୍ଶ ଶିକ୍ଷକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। 

Headlines 10- ଆସୁଛି ଆଉ ଏକ ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ୨ ଟି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ। ପ୍ରଭାବରେ ଆଗାମୀ କିଛି ଦିନ ଯାଏଁ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ ଘଡି ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏନେଇ କିଛି ଜିଲ୍ଲାକୁ ଆଜି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲା ଗୁଡିକ ହେଲା, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି , ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳ। ବିଶେଷକରି ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ୨୬ ତାରିଖ ପରେ ପୁଣି ପାଗରେ ପରିବର୍ତ୍ତନ ଆସିବ।

Also Read- Lucky Zodiac Sign: ୨୫ ସେପ୍ଟେମ୍ବରରେ ମହାଲକ୍ଷ୍ମୀ ରାଜଯୋଗ ଶୁଭସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Also Read- Shani Gochar 2024: ରାହୁଙ୍କ ନକ୍ଷତ୍ରରେ ଶନିଙ୍କ ପ୍ରବେଶ, ୫ଟି ରାଶିର ଭାଗ୍ୟ ବଦଳିବ