Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2319060

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ରଥଯାତ୍ରା ପରଦିନ ଖୋଲି ପାରେ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଏବଂ ଅନ୍ୟ ୧୦ ମୁଖ୍ୟ ଖବର

1.ରଥଯାତ୍ରା ପରଦିନ ହିଁ ଖୋଲିବ ରତ୍ନ ଭଣ୍ଡାର। ଏନେଇ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି। ଅତ୍ୟାଧୁନିକ ଟେକ୍ନାଲୋଜି ବ୍ୟବହାର କରାଯାଇ ରତ୍ନ ଭଣ୍ତାରର ସ୍ଥିତି ଯାଞ୍ଚ ହେବ। ଏହା ସହ ଏଠାରେ ଗଚ୍ଛତ ଥିବା ଧନରତ୍ନର ଗଣତି ଓ ମଣତି କରାଯିବ। ୨୦ ଦିନ ଧରି ହି କାର୍ଯ୍ୟ ଚାଲିବାକୁ ସ୍ଥିର ହୋଇଛି। ଏଥିନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଦିନ ବସିବାକୁ ଯାଉଥିବା ସୂଚନା ମିଳିଛି। ପୂର୍ବୁ ଏହି ତାରିଖକୁ ଏଏସ୍‍ଆଇ ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ତାକୁ ଅସ୍ୱୀକାର କରିଥିଲେ। 

2.ଉତ୍ତରପ୍ରଦେଶର ହାଥରସ୍‍ଠାରେ ହୋଇଥିବା ଦଳା ଚକଟାରେ ପ୍ରାଣହାନୀ ଘଟିଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତି ୧୧୬ ଜଣଙ୍କ ପ୍ରାଣ ଯାଇଥିବା ଜଣାପଡ଼ିଛି। ବାବାଙ୍କ ପାଦ ଧୂଳି ସଂଗ୍ରହ କରିବାକୁ ଯାଇ ହୋଇଥିବା ଭିଡ଼ ଓ ତଦ୍‍ ଜନିତ ଦଳା ଚକଟାରୁ ଏପରି କାଣ୍ଡ ହୋଇଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି। 

3.ହାଥରସ୍‍ ଦଳା ଚକଟାରେ ମୁଖ୍ୟ ଅଭିଯୁକ୍ତ ତଥା ଆତ୍ମଘୋଷିତ ଭୋଲେ ବାବାଙ୍କୁ ପୁଲିସ ଠାବ କରିବାରେ ସମର୍ଥ ହୋଇନାହିଁ। ଳମୈନପୁରୀ ଜିଲ୍ଲାରେ ଥିବା ତାଙ୍କ ଆଶ୍ରମ ରାମକୁଟୀରରେ ସେ ନଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଓ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

4.ଆତ୍ମଘୋଷିତ ଭୋଲେ ବାବା ପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ଗୁଇନ୍ଦା ବିଭାଗରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ। ସେ ୧୮ ବର୍ଷ କାର୍ଯ୍ୟ କରିବା ପରେ ୧୯୯୦ରେ ଧାର୍ମିକ ରାସ୍ତା ଆପଣାଇ ଚାକିରି ଛାଡ଼ିଥିଲେ। ସବୁବେଳେ ଧଳା ପିନ୍ଧୁଥିବା ଭୋଲେ ବାବାଜିଙ୍କର ସତ୍‍ସଙ୍ଗ ପାଇଁ ଗରିବ ଓ ମଧ୍ୟବିତ୍ତଙ୍କ ବର୍ଗରେ ବେଶ୍‍ ଜଣାଶୁଣା ଥିଲେ। 

5.ନିର୍ଦ୍ଧାରିତ ତାରିଖଠାରୁ ଗୋଟିଏଦିନ ଆଗୁଆ ଶେଷ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ।  ଜୁନ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ସମୁଦାୟ ୭ଟି କାର୍ଯ୍ୟଦିବସ ଥିଲା। ପ୍ରଥମ ଦୁଇଦିନ ଧରି ୫୩୯ ଜଣ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ ସାମୟିକ ବାଚସ୍ପତି ଭର୍ତ୍ତୃହରି ମହତାବ। ଏହାପରେ ବାଚସ୍ପତି ନିର୍ବାଚନ ଏବଂ ସଦସ୍ୟମାନଙ୍କ ଅଭିନନ୍ଦନରେ ଗୋଟିଏ ଦିନ ବିତିଥିଲା। ଚତୁର୍ଥ ଦିନରେ ରାଷ୍ଟ୍ରପତି ଦୁଇ ସଦନକୁ ସମ୍ବୋଧିତ କରିଥିଲା। ପଞ୍ଚମ ଦିନରେ ବିରୋଧି ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବଦଳରେ ନିଟ୍‍ ପରୀକ୍ଷାରେ ତ୍ରୁଟିକୁ ନେଇ ମୁଲତବୀ ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତାବ କରାଯାଇଥିଲା। ହେଲେ ଗୃହର ପରମ୍ପରା ଏହାକୁ ଅନୁମତି ଦେଉ ନ ଥିବାରୁ ହୋ ହଲ୍ଲାରେ ଗୃହ ହୋଇଥିଲା ମୁଲତବୀ। ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର। ସୋମବାର ମଧ୍ୟ ରାତ୍ରିଯାଏ ଏ ପ୍ରସ୍ତାବ ବିଷୟରେ ଆଲୋଚନା ହେବା ପରେ ମଙ୍ଗଳବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ରହିଥିଲା। ସମୁଦାୟ ୬୮ ସାଂସଦ ପ୍ରାୟ ୧୮ ଘଣ୍ଟା ଧରି ପ୍ରସ୍ତାବ ଉପରେ ନିଜର ମତାମତ ରଖିଥିଲେ। ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

6.ବନ୍ଦ କରାଯାଇଥିବା ସ୍କୁଲ୍‍ ପାଖରେ ଯଦି ବିକଳ୍ପ କୌଣସି ସ୍କୁଲ୍‍ ନଥିବା ଏବଂ ସ୍ଥାନୀୟ ଲୋକଙ୍କ ଚାହିଦା ଥିବ ତେବେ ସେ ସ୍କୁଲ୍‍ଗୁଡ଼ିକୁ ପୁଣିଥରେ ଚାଲୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଏଥିନେଇ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗକୁ ଆବଶ୍ୟକ ସର୍ବେକ୍ଷଣ କରିବା ଏବଂ ସ୍ଥାନୀୟ ଲୋକଙ୍କ ମତାମତ ସଂଗ୍ରହ କରିବାକୁ କୁହାଯାଇଛି।

7.ଏଥର ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା କରାଯାଇଛି।  ଦୁଇଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଜୁଲାଇ ୮ ତାରିଖକୁ ଛୁଟି ଘୋଷଣା କରବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଆଜିର ରଥଯାତ୍ରା ସମନ୍ବୟ ବୈଠକ ମଞ୍ଚରୁ ନିର୍ଦ୍ଦେଶ ଦେଇଛନ୍ତି। ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

8.ବିଭିନ୍ନ ବର୍ଗରେ ଲୋକଙ୍କୁ ମିଳୁଥିବା ସରକାରୀ ଭତ୍ତା ପରିମାଣକୁ ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି  ନେଇ ସରକାର ଚିନ୍ତା କରୁଛନ୍ତି।   ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ସେ ନେଇ ପ୍ରସ୍ତୁତି ଚାଲିଛି ଏବଂ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

9.କୋଲକାତାର ଏକ ଘରୋଇ ଫାର୍ମକୁ ଚାଉଳ ପରିବହନ ଠିକା ଦେବାକୁ ୧ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଜଣେ ମହାପ୍ରବନ୍ଧକ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରସ୍ଥିତ ଏଫସିଆଇ, ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ପ୍ରେମ ସିଂ ଭନୋତ୍, ଏଫସିଆଇ ଏକାଉଣ୍ଟସ୍ ମ୍ୟାନେଜର ସଞ୍ଜୟ ଦେ, କୋଲକାତାର ମେସର୍ସ ଏସପି ଟ୍ରେଡର୍ସ ଏଣ୍ଡ ସପ୍ଲାୟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମାଲିନା ଦେ ଆଲିଆସ୍ ସୌମୀ ଭଟ୍ଟାଚାର୍ଯ୍ୟ ଏବଂ କୋଲକାତାର ଜଣେ ମଧ୍ୟସ୍ଥ ସୟେଦ ହସନେନ୍ ଅହମ୍ମଦ। ଏହି ଚାରି ଜଣଙ୍କ ସମେତ କୋଲାକାତାର ଆଉ ଜଣେ ମଧ୍ୟସ୍ଥ ସ୍ୱପନ କୁମାର ଘୋଷାଲ ଏବଂ କେତେକ ଅପରିଚିତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । 

10.ଆସନ୍ତା  ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪) ଆରମ୍ଭ ହୋଇଛି। ଏହି ପରୀକ୍ଷା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିନକୁ ୩ଟି ଶିଫ୍ଟରେ ପରୀକ୍ଷା ହେବ। ରାଜ୍ୟରେ ପିଜି ନାମଲେଖା ପାଇଁ ମୋଟ ୧୧୨ଟି ଶିକ୍ଷାନୁଷ୍ଠାନରେ ୨୮,୯୦୬ଟି ସିଟ୍‌ ରହିଛି। ଏଥିଲାଗି ସମୁଦାୟ ୬୩,୧୮୪ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି।  ସରକାରଙ୍କ ଷ୍ଟାଫ୍‍ ସିଲେକ୍ସନ ବୋର୍ଡ ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଉଛି।