Top 10 News Today: ଗୋଟିଏ ଦିନରେ ବିଜେଡି ଛାଡିଲେ ୪ ସୁପରଷ୍ଟାର... ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Trending Photos
Top 10 News Today:
01- ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଆଜି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଦାନ କରାଯାଇଛି ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନ । ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯାଇଛି । ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ଆସନ୍ତାକାଲି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ ।
02- ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ତଥା ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି । ୮ ହଜାର ପୃଷ୍ଠାର ଚାର୍ଜ ସିଟରେ ସମସ୍ତ ତଥ୍ୟ ଇଡି ପକ୍ଷରୁ ଉପସ୍ଥାପନ କରାଯାଇଛି । ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ଉକ୍ତ ଚାର୍ଜସିଟରେ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜଗଦୀଶ ଆରୋରାଙ୍କ ସମେତ ଠିକାଦାର ଅନିଲ ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଜଣାପଡିଛି । ଏଥିସହ ଚାର୍ଜସିଟ୍ରେ ଜଗଦୀଶ ଆରୋରାଙ୍କର ଜଣେ ଘନିଷ୍ଠ ସହଯୋଗୀ ତାଜେନ୍ଦ୍ର ସିଂହ, ଏନବିସିସିର ପୂର୍ବତନ ଅଧିକାରୀ ଦେବେନ୍ଦ୍ର କୁମାର ମିତ୍ତଲଙ୍କ ନାମ ମଧ୍ୟ ସାମିଲ ଥିବା ସୂଚନା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜସିଟ୍ରେ NKG କମ୍ପାନୀକୁ ମଧ୍ୟ ଅଭିଯୁକ୍ତ ବୋଲି ବିବେଚନା କରାଯାଇଛି ।
03- ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଂସଦ ତଥା ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର । ତେବେ ସେ କେଉଁ ଦଳରେ ଯୋଗ ଦେବେ କୌଣସି ସ୍ପଷ୍ଟିକରଣ ରଖିନଥିବା ସମୟରେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।
04- ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ବିଜେଡି ଛାଡିଛନ୍ତି । ଆକାଶ ଏକ ଭିଡିଓ ଜାରି କରି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ମୁଁ ଦଳ ଛାଡିଛି । ଆଗକୁ ମୋ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ କାମ କରିବି । ଜନସାଧାରଣଙ୍କ ସେବା କରିବା ପାଇଁ ମୋ ଜୀବନ ଉତ୍ସର୍ଗୀକୃତ ।
05- କଂଗ୍ରେସର ହାତ ଛାଡ଼ିଛନ୍ତି ଚିରଞ୍ଜିବୀ ବିଶ୍ୱାଳ । ଜଗତସିଂହପୁର ବିଧାୟକ ଭାବେ ନିଜର ଦବଦବା ବଜାୟ ରଖିଥିବା ଚିରଞ୍ଜିବୀ କେଉଁ ଦଳକୁ ଯିବେ ତାର କିଛି ସ୍ପଷ୍ଟତା ଆସିନଥିବା ବେଳେ ବହୁତ ଦିନର ତର୍କ ଉପରେ ପୂର୍ଣ୍ଣଚ୍ଚେଦ ଟାଣିଛନ୍ତି ଚିରଞ୍ଜିବୀ। ୨୦୧୪ ରୁ ୨୦୧୯ ଯାଏଁ ଜଗତସିଂହପୁରର ବିଧାୟକ ଥିଲେ ଚିରଞ୍ଜିବୀ ବିଶ୍ୱାଳ।
06- ଏଗଜିଟ୍ ପୋଲ୍ ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ୧୯ ତାରିଖରୁ ଲାଗିବାକୁ ଯାଉଛି କଟକଣା । ଏ ନେଇ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ନିର୍ବାଚନ କମିସନ । ବିଜ୍ଞପ୍ତିରେ କୁହାଯାଇଛି ଯେ, ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏଗଜିଟ୍ ପୋଲ୍ ଉପରେ କଟକଣା ରହିବ । ଅର୍ଥାତ୍ ଏହି ଅବଧି ଭିତରେ କୌଣସି ପ୍ରକାରର ଏକଜିଟ୍ ପୋଲ ପ୍ରସ୍ତୁତି, ପ୍ରକାଶନ ଓ ପ୍ରସାରଣ ହେବ ନାହିଁ ।
07- ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଥିଲା । ବିଭିନ୍ନ ପଦ ପଦବୀ ପାଇଁ ସମୁଦାୟ ୫୦ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, ଯୁଗ୍ମ ସମ୍ପାଦକ ସହ ଅନନ୍ୟ ପଦବୀ ପାଇଁ ଭୋଟିଂ ହୋଇଛି। ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ଓ ବାର୍ ଆସୋସିଏସନର ସଦସ୍ୟ ଭୋଟିଂରେ ସାମିଲ ହୋଇଥିଲେ ।
08- ବିଜେଡି ଛାଡିଛନ୍ତି ଉତ୍ତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା ଜଣାପଡିଛି । ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ରୁ ଯାଏଁ ବିଧାୟକ ଥିଲେ । ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା । ୨୦୧୯ରେ ଦଳ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିକେଟ୍ ଦେଇଥିଲା । ଏଥର ମଧ୍ୟ ଏହି ଆସନରେ ବିଜେଡି ସର୍ପରାଇଜ୍ କାର୍ଡ ଖେଳିବା ନେଇ ଚର୍ଚ୍ଚା ହେଉଛି ।
09- ଟିଟିଲାଗଡ଼ ଉପ-କାରାଗାରରୁ ଫେରାର ହୋଇ ଦିଲ୍ଲୀରୁ ଧରାପଡିଲେ କଏଦୀ । ଗତ ୯ ତାରିଖ ଦିନ ସୁମିତ ବିହାରୀ ଏବଂ ଶୋଭାବନ ରଣା ନାମକ ଦୁଇ କଏଦୀ କୌଶଳକ୍ରମେ ଜେଲ୍ରୁ ଫେରାର ହୋଇଯାଇଥିଲେ। ତେବେ ସେମଧ୍ୟରୁ ସୁମିତକୁ ଦିଲ୍ଲୀରୁ ଗିରଫ କରାଯାଇଛି । ସେ କେମିତି ଫେରାର ହେବାରେ ସଫଳ ହେଲା ତାହାର ସିନ୍ ରିକ୍ରିଏସନ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।
10- ଖରାରେ ସିଝୁଛି ସାରା ରାଜ୍ୟ। ଶୁକ୍ରବାର ରାଜ୍ୟର ୨୫ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି। ଏହାସହ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ଭବାନୀପାଟଣା, ନୟାଗଡ, ବୌଦ୍ଧ, ଟିଟିଲାଗଡ଼ ଓ ବଲାଙ୍ଗୀରରେ ପାରଦ ୪୦ ଡିଗ୍ରୀ ରେକର୍ଡ଼ ହୋଇଛି। ଆହୁରି ୫ ଦିନ ରାଜ୍ୟରେ ଏଭଳି ଅସହ୍ୟ ତାତି ଅନୁଭୂତ ହେବ । ଦିନ ଓ ରାତି ଉଭୟ ତାପମାତ୍ରା ବଢିବା ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାଶ କହିଛନ୍ତି। କିଛି ସ୍ଥାନରେ ବର୍ଷା ପ୍ରଭାବରେ ଆକାଶ ନିର୍ମଳ ସହ ରାଜ୍ୟରେ ପାଗ ଶୁଖିଲା ରହିଛି। ଫଳରେ ଗରମ ଏବଂ ଗୁଳୁଗୁଳି ମଧ୍ୟ ଅଧିକ ହେଉଛି। ବର୍ତ୍ତମାନ ଆଭ୍ୟନ୍ତରିଣ ଓଡି଼ଶାରେ ସ୍ବାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି। ଉପକୂଳ ଓଡି଼ଶାରେ ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ଥିଲା।
Also Read- BSNL Fiber Broadband Plan: ଗ୍ରାହକଙ୍କ ପାଇଁ ୨ଟି ଶସ୍ତା ପ୍ଲାନ, ମାଗଣା Disney + Hotstar
Also Read- Grah Gochar April 2024: ୪ଟି ବଡ଼ ଗ୍ରହ ଚଳନ ପ୍ରଭାବରୁ ୫ରାଶିର ବ୍ୟକ୍ତିଙ୍କୁ ଶୁଭଫଳ