Top 10 News Headlines: ଓଡ଼ିଶାରେ ପ୍ରଜା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ସ୍ୱାଭିମାନୀ ଓଡ଼ିଆ ତଥା ସାମ୍ବିଧାନିକ ସଭାରେ ଓଡ଼ିଶାର ଆଉ ଜଣେ ସଦସ୍ୟ ଥିବା ସାରଙ୍ଗଧର ଦାସଙ୍କ ଆଜି ଜନ୍ମଦିନ। ୧୮୮୬ ମସିହା ଆଜିର ଦିନରେ ଢେଙ୍କାନାଳ ଜିଲ୍ଲା ହରେକୃଷ୍ଣପୁରରେ ସାରଙ୍ଗଧର ଦାସଙ୍କ ଜନ୍ମ । ନିଜ ଉଦ୍ୟମରେ ବିଦେଶରେ ପାଠ ପଢ଼ିବା ପରେ ସେ ଶିଳ୍ପ ଗଢିବା ନେଇ ଢେଙ୍କାନାଳ ଚାଲିଆସିଥିଲେ। ସେଠାରେ ସେ ଏକ ଚିନି କଳ ସ୍ଥାପନ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଅନେକ ଋଣ ଯନ୍ତାରେ ପଡ଼ି ଶେଷରେ ତାହାକୁ ବିକ୍ରି କରିଥିଲେ। ପରବର୍ତ୍ତୀ ସମୟରେ ସାରଙ୍ଗଧର ସ୍ୱାଧୀନତା ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ବିଶେଷକରି ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ୧୯୪୬ ମସିହାରେ ଓଡ଼ିଶା ବିଧାନପରିଷଦକୁ ନିର୍ବାଚିତ ହୋଇଥିଲେ। ପ୍ରଥମ କରି ନୀତି ବିରୁଦ୍ଧରେ ଯାଇ ସେ ବିଧାନ ପରିଷଦରେ ଓଡ଼ିଆରେ ଭାଷଣ ଦେଇଥିଲେ। ସ୍ୱାଧୀନତା ପରେ ପ୍ରଥମ ନିର୍ବାଚନରେ ସେ ସମାଜବାଦୀ ଦଳର ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୫୬ ସେପ୍ଟେମ୍ବର ୧୮ରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ସେଇ ମହାନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ସହ ନଜର ପକାଇନେବା ଏଇ ସମୟର ପ୍ରମୁଖ ୧୦ ଖବର ଉପରେ...
Trending Photos
Top 10 News Headlines: 1.ଆଜି ଦକ୍ଷିଣ ଆଫ୍ରିକା ବନାମ ନେଦରଲ୍ୟାଣ୍ଡ: ହିମାଚଳ ପ୍ରଦେଶ କ୍ରିକେଟ୍ ଏକାଡେମୀ ଷ୍ଟାଡିୟମ୍ ରେ ଖେଳାଯିବାକୁ ଥିବା ବିଶ୍ୱକପ୍ର ୧୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ତ । ଅପରାହ୍ଣ ୨ଟାରୁ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଶ୍ରୀଲଙ୍କା ବନାମ ଅଷ୍ଟ୍ରେଲିଆ ମ୍ୟାଚରେ ଅଷ୍ଟ୍ରଲିଆ ୫ ଓ୍ୱିକେଟରେ ବିଜୟୀ ହୋଇଛି। ୮୮ ବଲ୍ ପୂର୍ବରୁ ମ୍ୟାଚ୍ ଶେଷ ହୋଇଥିଲା। ଏଯାବତ୍ ଖେଳାଯାଇଥିବା ମ୍ୟାଚ ଅନୁଯାୟୀ, ବିଶ୍ୱକପ୍ ୨୦୨୩ ପଏଣ୍ଟ ତାଲିକାରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ୩ଟି ଲେଖାଏଁ ମ୍ୟାଚ୍ ଜିତି ୬ ପଏଣ୍ଟ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା, ପାକିସ୍ତାନ ୪ ପଏଣ୍ଟ ହାସଲ କରିଥିବାବେଳେ ଇଂଲଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ, ଅଷ୍ଟ୍ରେଲିଆ ୨ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ କୌଣସି ମ୍ୟାଚ୍ ଜିତି ପାରି ନଥିବାରୁ ପଏଣ୍ଟ ତାଲିକାରେ ଶୂନ ଅର୍ଜନ କରିଛନ୍ତି।
2.ଆଜି ସମଲିଙ୍ଗି ମାମଲା ବିଚାର: ଆଜି ସମଲିଙ୍ଗୀ ବିବାହ ଉପରେ ରାୟ ପ୍ରକାଶ କରିପାରନ୍ତି ସୁପ୍ରିମକୋର୍ଟ । ସ୍ୱତନ୍ତ୍ର ବିବାହ ଆଇନ ଅନୁସାରେ ସେମାନଙ୍କୁ ବିବାହ କରିବା ଲାଗି ଅନୁମତି ଦେବାକୁ କୋର୍ଟଙ୍କ ହସ୍ତକ୍ଷେପ ମଗାଯାଇଛି। ୧୦ ଦିନରେ ୪୦ ଘଣ୍ଟାର ଶୁଣାଣି ପରେ ମେ ୧୧ ତାରିଖରେ ଏହି ମାମଲାର ବିଚାର ଶେଷ କରାଯାଇ ରାୟ ସଂରକ୍ଷିତ ରଖାଯାଇଥିଲା। ଆଜି ତାହା ପ୍ରକାଶ ପାଇବା ସମ୍ଭାବନା ରହିଛି। ବିବାହ ଏକ ମୌଳିକ ଅଧିକାର ନୁହେଁ ଓ ଏ ବାବଦରେ ସୁପ୍ରିମକୋର୍ଟଙ୍କ ରାୟ ବିଧି ପ୍ରଣୟନବ୍ୟବସ୍ଥାକୁ ପ୍ରଭାବିତ କରିବେ ବୋଲି ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ସୂଚନା ଦେଇଥିଲେ।
3. ୨୬ ସପ୍ତାହର ଗର୍ଭପାତକୁ ନା: ପ୍ରାୟ ୨୬ ସପ୍ତାହର ଗର୍ଭକୁ ନଷ୍ଟ କରିବା ଲାଗି ଆସିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଭ୍ରୁଣ ସୁସ୍ଥ ଓ ସ୍ୱଭାବିକ ଥିବା ମେଡିକାଲ୍ ରିପୋର୍ଟ କହିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି
4.ଶ୍ରୀଜିଉ ଶୋଇବେ ୪ ଘଣ୍ଟା: ପବିତ୍ର କାର୍ତ୍ତିକ ମାସରେ ପୁରୀରେ ଶ୍ରଦ୍ଧାଳୁଙ୍କ ଗହଳିକୁ ଆଖିରେ ରଖି ନୀତିକାନ୍ତିକୁ ସୁପରିଚାଳନା କରିବା ଲାଗି ଛତିଶା ନିଯୋଗ ପକ୍ଷରୁ ସ୍ଥିର କରାଯାଇଛି। ଏହିକ୍ରମରେ ରାତି ୧୨ଟାରେ ମହାପ୍ରଭୁଙ୍କ ପହୁଡ଼ କରିବା ପାଇଁ ସ୍ଥିର କରାଯାଇଛି। ଭୋର ୪ଟାରେ ଦ୍ୱାର ଓ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୬ଟାରୁ ସାଢ଼େ ସାତଟା ଭିତରେ ରାଇଦାମୋଦର ବେଶ ଅନୁଷ୍ଠିତ ହେବ। ୧୦ଟାରେ ବାଳଧୂପ, ୧୨ଟାରେ ପ୍ରଥମ ଭୋଗ ମଣ୍ଡପ, ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ, ୩ଟାରେ ଦିବା ପହୁଡ଼, ରାତି ୧୦ଟାରେ ଚନ୍ଦନ ଲାଗି ୧୧ଟାରେ ବଡ଼ ସିଂହାର ବେଶ କରାଯାଇ ୧୨ଟା ବେଳେ ପହୁଡ଼ ପାଇଁ ନୀତି ସ୍ଥିର କରାଯାଇଛି।
5.ପରିବା ବେପାରୀଙ୍କ ଜିଦ୍: ୨୦ ତାରିଖ ଅର୍ଥାତ୍ ଶୁକ୍ରବାରଠାରୁ ଆନ୍ଦାଳନ ଓହ୍ଲାଇବ ଭୁବନେଶ୍ୱର କଞ୍ଚା ପରିବା ମହାସଂଘ । ଫଳରେ ପରିବା ଦୋକାନ ସବୁ ବନ୍ଦ ରହିବ। ଏହାଦ୍ବାରା ରାଜଧାନୀର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ସଂଘ କହିଛି । ୟୁନିଟ-୧ ହାଟ ପ୍ରବେଶ ଦ୍ୱାର ନିକଟରେ ତୋରଣ ହୋଇଥିବାରୁ ହାଟ ଭିତରକୁ ପରିବା ଗାଡ଼ି ଆସିପାରୁ ନାହିଁ। ସଙ୍କୁଚିତ ରାସ୍ତାକୁ ଆହୁରି ଜବରଦଖଲ ନକରିବା ତଥା ଏପରି ତୋରଣକୁ ବାରଣ କରିବା ପାଇଁ ସଂଘ ବିଏମ୍ସିକୁ ବାରମ୍ବାର କହିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛନ୍ତି।
6.ଭୂଷଣରେ ଇଡି ଚଢ଼ାଉ: ଅର୍ଥନୀତିକ ହେରଫେର ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଭୂଷଣ ଷ୍ଟିଲ୍ ଲିମିଟେଡ୍ରର ମାଲିକଙ୍କ ବିରୁଦ୍ଧରେ ଚଢ଼ଉ କରାଯାଇଛି। ଭୁବନେଶ୍ୱର ସମେତ ଦିଲ୍ଲୀ, ହରିୟାଣା, କୋଲକତା ଓ ମୁମ୍ବାଇରେ ଥିବା ତାଙ୍କ ଆବାସ ଓ କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ସମୟରେ ୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା କୁହାଯାଇଛି।
7.ଏକାମ୍ର ସମୀକ୍ଷା: ଭୁବନେଶ୍ୱରର ଐତିହ୍ୟକୁ ପୁନଃର୍ଜୀବିତ କରି ସହରର ବିକାଶ କରିବା ଦିଗରେ ପ୍ରଣୟନ କରାଯାଇଥିବା ‘ଏକାମ୍ର’ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି।ସମୟ ଅନୁସାରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ବିଭିନ୍ନ ଅଧିକାରୀ ଓ ନିୟୋଜିତ ସଂସ୍ଥାକୁ କୁହାଯାଇଛି।
8.ବାର୍କୋର୍ଟରେ ଜେଏମ୍ଏଫ୍ସି କୋର୍ଟ: ଦେବଗଡ଼ ଜିଲ୍ଲା ବାରକୋଟଠାରେ ଅତିରିକ୍ତ ସିଭିଲ୍ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟ ସ୍ଥାପନ ପାଇଁ ସରକାର ଅନୁମୋଦନ କରିଛନ୍ତି। ଏଥିପାଇଁ ୧୨ଟି ଗେଜେଟେଡ଼ ଓ ଅଣ ଗେଜେଟେଡ୍ ପଦବୀ ସୃଷ୍ଟି କରାଯାଇଛି। ଏହି ପଦକ୍ଷେପ ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହେବ ବୋଲି ଆଶା କରାଯାଇଛି।
9.ମିନି ଅଙ୍ଗନବାଡ଼ିର ପଦୋନ୍ନତି: ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡ଼ିକୁ ପୂର୍ଣ୍ଣାଙ୍ଗ ଅଙ୍ଗନବାଡ଼ିରେ ପରିଣତ କରାଯାଇଛି। ଏଥିପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାରଟଙ୍କା ଖର୍ଚ୍ଚ ହେବ। ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ବହନ କରିବେ
10.ବାଇଡେନ୍ ଯିବେ ଇସ୍ରାଏଲ୍: ହମାସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିବା ଇସ୍ରାଏଲ୍କୁ ନିଜର ସମର୍ଥନ ଆହୁରି ଦୃଢ଼ୀଭୂତ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା କାଲି ଇସ୍ରାଏଲ୍ ଗସ୍ତ କରିବେ। ଏହି ସମୟରେ ମାନବିକ ସହାୟତା ପାଇଁ ରାସ୍ତା ଖେଲିବା ବିଷୟରେ ଚର୍ଚ୍ଚା ହେବ। ଏବେ ୧୧ ଦିନରେ ଯୁଦ୍ଧ ପହ୍ୟ୍ଚିଛି। ଯେଉଁଥିରେ ପ୍ରାୟ ୪ ହଜାର ଲୋକ ପ୍ରାଣ ହରାଇଛନ୍ତି।