Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2365051

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today: 

01-  କେରଳ ୱାଏନାଡ୍ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ଏବେ ସଂଖ୍ୟା ୩୦୮ରେ ପହଞ୍ଚିଛି। NDRF, SDRF, ସେନା ଓ ଅନେକ ସ୍ବେଚ୍ଛାସେବୀ ଟିମ୍ ୪ ଦିନ ହେବ ରେସ୍କ୍ୟୁ ଅପରେସନ୍ ଜୋରଦାର ଚଳାଇଠନ୍ତି । ଅନ୍ୟପଟେ ୱାଏନାଡରୁ ଆଜି ଓଡ଼ିଶା ଫେରୁଛି ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଷ୍ଣୁପ୍ରସାଦଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ପରାଳ ଗାଁକୁ ନିଆଯିବ ବୋଲି ସୂଚନା ମିଳିଛି  ।

02- ମମତା ମହାନ୍ତ ବିଜେପିରେ ମିଶିବା ସମ୍ପର୍କରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଅରବିନ୍ଦ ଢ଼ାଲି । ଭବିଷ୍ୟତରେ ବିଜେଡି ଭୁଷୁଡି ଯିବ ବୋଲି ଅରବିନ୍ଦ କହିଛନ୍ତି । ଜାତୀୟ ଏବଂ ଆଞ୍ଚଳିକ ଦଳକୁ ନେଇ ବିବରଣୀ ଦେବା ସହ କହିଥିଲେ ଯେ,‘ଜାତୀୟ ଦଳର ବିଲୟ ହୁଏନି, ଆଞ୍ଚଳିକ ଦଳର ବିଲୟ ହୋଇଥାଏ’ । ବିଜେଡି ସୁପ୍ରିମୋଙ୍କୁ ଦଳୀୟ ନେତା ଦେଖା ନକରିପାରିବା ଏବଂ ଦଳରେ ବାକ୍ ସ୍ୱାଧୀନତା ନ ଥିଲା ବୋଲି ମତ ଦେଇଛନ୍ତି ଢାଲି । ସେହିପରି ବରିଷ୍ଠ ନେତା ଅମର ଶତପଥି କହିଛନ୍ତି ଯେ, ବର୍ତ୍ତମାନ ସଂଗଠନ ଠିକ୍‌ କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି ବିଜେଡି ।

03-  ଅଗଷ୍ଟ ୭, ୮  ଏବଂ ୯ ତାରିଖରେ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ । ପୁଣେ ଓ ଅହମ୍ମଦାବାଦରେ ସମ୍ମିଳନୀ ହେବା ନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଯୋଗଦେବେ । ନିବେଶକଙ୍କ ସହ ବିଭିନ୍ନ ପ୍ରକାରର ବିଷୟକୁ ନେଇ ଆଲୋଚନା ସହ ଗୋଲ ଟେବୁଲ୍ ବୈଠକ ହେବ । ଶିଳ୍ପ, MSME ମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟ ରଖାଯାଇଛି ।

04-  ରାହୁଲ ଗାନ୍ଧିଙ୍କ ହାଲୱା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ କଙ୍ଗନା ରଣାୱତ । ଆପଣଙ୍କୁ କହିରଖୁଛୁ ଯେ, ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲରେ ରାହୁଲ ଲେଖିଛନ୍ତି କି ଏହା ସତ୍ୟ କି 2 ଇନ 1ଙ୍କୁ ମୋର ଚକ୍ରବ୍ୟୁହ ଭାଷଣ ପସନ୍ଦ ଆସିନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ିର କିଛି ଅଧିକାରୀ ସେମାନଙ୍କର ନାଁକୁ ଉହ୍ୟ ରଖି ଚଢାଉ ହେବା ନେଇ ଯୋଜନା କରୁଛନ୍ତି। ମୁ ସେମାନଙ୍କୁ ହାତ ଖୋଲା କରି ସ୍ୱାଗତ କରିବାକୁ ପ୍ରସ୍ତୁତ ରହିଛି। ସେମାନଙ୍କୁ ଚାହା ଓ ବିସ୍କୁଟ ଦେବି। ରାହୁଲ ଗାନ୍ଧୀ ନିଜର ପୋଷ୍ଟ ସହିତ ଇଡିର ନିର୍ଦ୍ଦେଶକଙ୍କୁ ଟ୍ୟାଗ କରିଛନ୍ତି।

05- ଆଳୁ ସମ୍ପର୍କରେ ପ୍ରତିକ୍ରିୟା ରଖି ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ । ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଭଲ କ୍ୱାଲିଟିର ଆଳୁ ଆସିବ । ଦୀର୍ଘ ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ଦେଖାଦେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ୟୁପିରୁ ଯେଉଁ ଆଳୁ ଆସିବ ତାହା ମୂଲ୍ୟ ୩୦ ଟଙ୍କା ମଧ୍ୟରେ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 

06- -ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ରେଡ୍‌ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେତୁ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା ମିଳିଛି ।  ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୫ଟି ପ୍ଲଟ ରହିଥିବା କୁହାଯାଉଛି ।

07-  ଧର୍ମଗଡ଼ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ତାଙ୍କୁ ଟଙ୍କା ସହ ଧରିଥିଲା ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ୪ ଲକ୍ଷ ୯୨ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। 

08-  ହାତୀ ଦାନ୍ତ କାରବାରରେ ସାତ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ବ୍ୟକ୍ତି ମାନଙ୍କ ଠାରୁ ପାଞ୍ଚଟି ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି। ବାରିପଦା ବନ ବିଭାଗ ସହ ଶିମିଳିପାଳର ସ୍ପେସାଲ ଟିମ୍ , STF,JTF ମିଳିତ ଭାବେ ଚଢ଼ାଉ କରି ଏହି ପରି ଏକ ବଡ଼ ଧରଣର ରାକେଟକୁ ଧରିବାରେ ସଫଳ ହୋଇଛି । ମୟୁରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଧିନ କପ୍ତିପଦା ରେଞ୍ଜର ବିଦ୍ୟାଧରପୁର ଗାଁରେ ଏହି ଚଢ଼ାଉ କରାଯାଇଥିଲା। ବନ ବିଭାଗର ଜଣେ କର୍ମଚାରୀ ଗ୍ରାହକ ସାଜି ଏହି ଚଢ଼ାଉ କରିଥିଲେ।

09- ପ୍ୟାରିସ ଅଲିମ୍ପିକ୍ସରେ ତୀରନ୍ଦାଜିର ମିକ୍ସଡ ଇଭେଣ୍ଟରେ ଭାରତ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ତେବେ କ୍ୱାର୍ଟର ଫାଇନାଲ ଲଢ଼େଇରେ ମଧ୍ୟ ଭାରତ ଦମଦାର ପ୍ରଦର୍ଶନ କରିବା ନେଇ ଆଶା ରହିଛି । ଧୀରଜ ଓ ଅଙ୍କିତା ଭକତ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପରେ ବର୍ତ୍ତମାନ ଦର୍ଶକଙ୍କ ଆଶା ବଢିଯାଇଛି । ପୁରୁଷ ଟିମ ଇଭେଣ୍ଟ ଓ ମହିଳା ଟିମ ଇଭେଣ୍ଟରେ ଉଭୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଯେଉଁ କାରଣରୁ ଭାରତ ଉଭୟ ବର୍ଗର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ। ସେହିପରି ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁଙ୍କ ସ୍ୱର୍ଣ୍ଣ ପଦକ ହାସଲ ସ୍ୱପ୍ନ ଚୁରମାର ହୋଇଛି। ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ୧୯-୨୧ ଓ ୧୪-୨୧ରେ ହାରି ନିରାଶ ହୋଇଛନ୍ତି ସିନ୍ଧୁ ।

10- ଗତକାଲିର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା  ଏବଂ ଦକ୍ଷିଣ ବାଂଲାଦେଶ ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ସମୟରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ପାର୍ଶ୍ଵବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି  ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ଲମ୍ବିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାରେ ସମ୍ଭାବନା ରହିଛି । ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଛି । କିନ୍ତୁ ଲଘୁଚାପ କ୍ଷେତ୍ର ଓଡ଼ିଶା ଠାରୁ  ଯଥେଷ୍ଟ ଦୂରରେ ସକ୍ରିୟ ରହିଥିବାରୁ ଏବଂ ଧୀରେ ଧୀରେ  ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ରାଜ୍ୟ ଠାରୁ ଦୁରେଇ ଯାଉଥିବାରୁ , ରାଜ୍ୟରେ ଆସନ୍ତା କାଲିଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି । ଏ ସୂଚନା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଛି ।