Top 10 News Today: ରବିବାର ୪ ଘଣ୍ଟା ବନ୍ଦ ଜଗା ଦର୍ଶନ ଖବର ସହ ଅନ୍ୟ ଖବର
Advertisement
Article Detail0/zeeodisha/odisha2366461

Top 10 News Today: ରବିବାର ୪ ଘଣ୍ଟା ବନ୍ଦ ଜଗା ଦର୍ଶନ ଖବର ସହ ଅନ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Today: ରବିବାର ୪ ଘଣ୍ଟା ବନ୍ଦ ଜଗା ଦର୍ଶନ ଖବର ସହ ଅନ୍ୟ ଖବର

Top 10 News Today: 

01- ୱାଏନାଡ୍‌ରେ ହୋଇଥିବା ଭୟଙ୍କର ଭୂସ୍ଖଳନ ଘଟଣାରେ ପଞ୍ଚମ ଦିନରେ ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ୍। ସେନା ସମେତ ଏନଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସାମିଲ୍ ହୋଇଛନ୍ତି।  ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ମୃତ୍ୟୁସଂଖ୍ୟା ୩୪୦ରେ ପହଞ୍ଚିଥିବା ବେଳେ ଏବେ ବି ୨୦୦ ଜଣ ନିଖୋଜ ରହିଥିବା ଆନୁଷ୍ଠାନିକ ଭାବେ କୁହାଯାଇଛି । ତେବେ ଏହା ମଧ୍ୟରେ କେରଳର ଜଙ୍ଗଲରୁ ଏକ ଚମତ୍କାର ଘଟଣା  ସାମ୍ନାକୁ ଆସିଛି । ଝଡ଼, ତୋଫାନ, ବର୍ଷା, ମାଟି, କାଦୁଆ, ଭଗ୍ନ ଗୃହ ଭିତରୁ ଅନେକ ମୃତଦେହକୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରୁଥିବା ବେଳେ ଏବେ ୬ ଜଣ ଶିଶୁଙ୍କୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଛି । 

02-  ଅର୍ପଣ ଚାଉଳର ସଦୁପଯୋଗ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅର୍ପଣ ଚାଉଳ ଭଗବାନଙ୍କ ନିକଟରେ ଅର୍ପଣ ଯୋଗ୍ୟ ନୁହେଁ ତେଣୁ ଏହାକୁ ମନ୍ଦିର ଭିତରେ ବ୍ୟବହାର କରାଯାଇ ପାରିବନି ବୋଲି ସେବାୟତ କହିଛନ୍ତି ତେଣୁ ଏନେଇ ପରିଚାଳନା କମିଟି ଯାହା ନିଷ୍ପତ୍ତି ନେବ ତାହାକୁ ସରକାର ମାନିବେ ବୋଲି ମନ୍ତ୍ରୀ କହିଛନ୍ତି । FCI ଗୋଦାମରେ ହଜାର ହଜାର କ୍ବିଣ୍ଟାଲ ଚାଉଳ ଗଛିତ ହୋଇ ରହିଛି । ସେଥିରୁ କିଛି ଚାଉଳ ଖରାପ ହେବା ଆରମ୍ଭ ହେଲାଣି । ଉକ୍ତ ଚାଉଳରେ ଭକ୍ତଙ୍କ ଭାବାବେଗ ରହିଥିବାରୁ ପରିଚାଳନା କମିଟି ନିଷ୍ପତ୍ତି ପରେ ସରକାର ସେନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ହରିଚନ୍ଦନ ।

03- INCର ତାଗିଦ ପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି DMET । ତେବେ ରାଜ୍ୟରେ ଥିବା ୧୪୭ଟି ନର୍ସିଂ କଲେଜର ଭାଗ୍ୟ କଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇଣ୍ଡିଆନ୍ ନର୍ସିଂ କାଉନସିଲର ତାଗିଦ ପରେ ଏବେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଡିଏମଇଟି । ରାଜ୍ୟରେ ଏମିତି ୧୪୭ଟି ଜିଏନଏମ ଏବଂ ନର୍ସିଂ କଲେଜର ଏନଓସିକୁ ଡିଏମଇଟି ରବ୍ଦ କରିଛନ୍ତି ।

04- ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଗାଁ ଛକ ନିକଟରେ ୨ କାଉଡ଼ିଆ ଓ ଜଣେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଟ୍ରକ୍‌ ଟି ଓଲଟିଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ ଟି ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ନେଇ ସୂଚନା ରହିଛି। 

05- ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶ୍ରୀ ପ୍ରଧାନଙ୍କୁ ଗତକାଲିଠାରୁ ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ପ୍ରଭାସ କୁମାର ପ୍ରଧାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା, ସ୍କୁଟି, କାର, ପୋଷ୍ଟଲ୍ ଡିପୋଜିଟ, ଇନ୍ସୁରାନ୍ସ, ସୁନା, ନଗଦ ଟଙ୍କା ଓ ଆସବା ପତ୍ର ଆଦି ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୧୮ ଲକ୍ଷ ୬୩ ହଜାର ୭୫୩ ଟଙ୍କା ମୂଲ୍ୟର ଆକଳନ କରିଛି ଭିଜିଲାନ୍ସ ବିଭାଗ। 

06- ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଅମୃତ ମୋହନ ପ୍ରସାଦ ସିଆରପିଏଫ ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା କ୍ୟାଡରର ଏହି ଆଇପିଏସ ଅଧିକାରୀ ଏବେ ଓଡ଼ିଶାର ଜେଲ୍ ଡିଜି ଭାବେ ନିୟୋଜିତ ଅଛନ୍ତି। ସେ ୨୦୨୫ ଅଗଷ୍ଟ ମାସ ଶେଷ ଯାଏ ସିଆରପିଏଫ ଡିଜି ରହିବେ। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଅମ୍ରିତ ମୋହନ ପ୍ରସାଦ ଓଡ଼ିଶାରେ ଜେଲ ଡିଜି ଅଛନ୍ତି। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କରିଥିବା ଆବେଦନକୁ ପୂର୍ବରୁ ରାଜ୍ୟ ସରକାର ମଞ୍ଜୁର ଦେଇଥିଲେ।

07- ଜଣେ ରସିକିଆ ପ୍ରେମିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତର ନାମ ସତ୍ୟଜିତ ମାନଗୋବିନ୍ଦ ସାମଲ ଏବଂ ତାଙ୍କ ବୟସ ୩୪। ସତ୍ୟଜିତଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ବୋଲି ଜଣାପଡିଛି । କିନ୍ତୁ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ କିଛି ମାସ ଧରି ରହୁଥିଲେ। ମାଟ୍ରିମୋନିଆଲ ସାଇଟ୍ ମାଧ୍ୟମରେ ଯୁବତୀ ଏବଂ ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ ସହ ଚାଟ୍ କରି ପ୍ରଥମେ ସମ୍ପର୍କ ଗଢିବା ପରେ ସେମାନଙ୍କଠାରୁ ଲୁଟ୍ କରୁଥିବା ଅଭିଯୁକ୍ତକୁ ଗିରଫ କରିବା ସମୟରେ ତାଠାରୁ ନଗଦ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା, ଗୋଟିଏ ବୋଲେନୋ କାର, ବୁଲେଟ୍, ବନ୍ଧୁକ ସହ ଗୁଳି, ୩ଟି ମୋବାଇଲ ଏବଂ ୨ଟି ବିବାହ ଏଗ୍ରିମେଣ୍ଟ ପେପର ଜବତ କରିଛି ପୋଲିସ ।

08- ୦୪ ଅଗଷ୍ଟ ରବିବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୨ଟାରୁ ସନ୍ଧ୍ୟା ଘ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

09-ପ୍ୟାରିସ ଅଲିମ୍ପିକ୍ସରେ ସୁଟର ମନୁ ଭାକରଙ୍କ ହ୍ୟାଟ୍ରିକ୍  ତୃତୀୟ ମେଡାଲ ଆଶା ମଉଳିଯାଇଛି । ୨୫ ମିଟର ପିସ୍ତଲ ଫାଇନାଲ୍‌ରେ ଚତୁର୍ଥ ସ୍ଥାନ ପାଇଛନ୍ତି ମନୁ । ଏହା ପୂର୍ବରୁ ୨ଟି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିବାରେ ସକ୍ଷମ ହେବା ସହ ତୃତୀୟ ମେଡାଲ ଆଶା ରଖିଥିଲେ ।

10-  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି। ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ମଡେଲ୍ ଆକଳନ କରିଛି। ପ୍ରଭାବରେ ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ବରଗଡ ଓ କେନ୍ଦୁଝର। ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହା ସହ ଆଜି ଅନୁଗୋଳ, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର  ଜିଲ୍ଲାର କେତେକ ଅଞ୍ଚଳରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । 

Also Read- Mercury Transit in Leo 2024: ଆଗାମୀ ୨ ମାସ ପର୍ଯ୍ୟନ୍ତ ୬ଟି ରାଶି ହେବେ ଧନବାନ !