Top 10 News: ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2048169

Top 10 News: ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News: ପଢି ନିଅନ୍ତୁ ବର୍ତ୍ତମାନର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News: ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Headlines:

1- ରାଜଧାନୀରେ ବଢିଲା ଶୀତକାଳୀନ ଛୁଟି: ଗତ କିଛି ଦିନ ହେବେ ଶୀତର ପ୍ରକୋପ ବେଶ ବଢିବାରେ ଲାଗିଛି । ଏପରି ସ୍ଥିତି ଦେଖି ସ୍କୁଲ ଛୁଟି ଅବଧି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଆଗାମୀ ୫ ଦିନ ଯାଏଁ ଦିଲ୍ଲୀର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରଯାଇଛି । ଶିକ୍ଷା ମନ୍ତ୍ରୀଙ୍କ ଟ୍ବିଟ ଅନୁଯାୟୀ, ପ୍ରବଳ ଥଣ୍ତା ହେତୁ ଦିଲ୍ଲୀର ସମସ୍ତ ସ୍କୁଲ ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ନର୍ସରୀରୁ ୫ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି ।

2-  ବାବା ଧବଳେଶ୍ବରଙ୍କୁ ଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳ ୮ଟାରେ ରେଳମନ୍ତ୍ରୀଙ୍କ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ମନ୍ଦିରରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଏହାପରେ ସେ କଟକ ଜିଲ୍ଲାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

3- କୁଜଙ୍ଗରେ ପକ୍ଷୀଗଣନା: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ଜିଲ୍ଲାର ୫ଟି ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଥିବା ବେଳେ ସବୁଠୁ ଅଧିକ ପକ୍ଷୀ ପାରାଦୀପ ପିପିଏଲ୍ ପରିସର ମଧ୍ୟରେ ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ସକାଳୁ ଘନ କୁହୁଡି ହୋଇଥିଲେ ମଧ୍ୟ ପାରାଦୀପ ପିପିଏଲ୍ ପରିସର ମଧ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। କୁଜଙ୍ଗ ବନଖଣ୍ଡ ପକ୍ଷରୁ ହୋଇଥିବା ପକ୍ଷୀ ଗଣନା ରେ ୪୭ ପ୍ରଜାତିର ୪୪ହଜାର ପକ୍ଷୀ ପିପିଏଲ୍ ପରିସରକୁ ଆସିଥିବା ସୂଚନା ଦିଆଯାଇଛି। ସେହିପରି ଏରସମା ବ୍ଲକ୍ ର ହାଉଓ୍ବାଖାନା, ଜଟାଧାର ନଦୀ, ନୂଆଗାଁ ଓ ବାଲିକୁଦା ବ୍ଲକ ର ବନ୍ଦର ନିକଟକୁ ମିଶାଇ ମୋଟ ୫୮ହଜାର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ରାଜନଗର ବନଖଣ୍ଡ ଓ କୁଜଙ୍ଗ ରେଞ୍ଜ ପକ୍ଷରୁ ମୋଟ ୫ଟି ଟିମ୍ ଗଠନ କରାଯାଇ ଜଗତସିଂହପୁର ଜିଲ୍ଲାରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି।

4-  କାର୍ଗିଲ୍ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ୍ ହେଲା ସୁପର ହର୍କ୍ୟୁଲସ ବିମାନ ସି-୧୩୦: କାର୍ଗିଲ୍ ଏୟାରଷ୍ଟ୍ରିପରେ ରାତି ସମୟ କିମ୍ୱା ଅନୁକୂଳ ପାଗ ନଥିବା ସମୟରେ ବିମାନ ଲାଣ୍ଡିଂ କରିବା କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ଗତ ରାତିରେ ବାୟୁସେନାର ସୁପର ହର୍କ୍ୟୁଲସ ବିମାନ ସି-୧୩୦ ଲାଣ୍ଡିଂ କରିବାରେ ସଫଳ ହୋଇଛି । ବାୟୁସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ମିଳିଥିବା ସୂଚନା ମୁତାବକ ଏହି ଲାଣ୍ଡିଂ ପ୍ରକ୍ରିୟା ବାୟୁସେନା ଯବାନଙ୍କ ପାଇଁ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଥିଲା ।

5- ଇଟାଲିରେ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ: ଇଟାଲିରେ ଜଣେ ଭାରତୀୟ ଏମବିଏମ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂତନା ମୁତାବକ ମୃତ ଛାତ୍ର ରାମ ରାଉତଙ୍କ ଘର ଢାଡଖଣ୍ଡ ସିଂହଭୂମି ଅଞ୍ଚଳରେ । ତେବେ ଛାତ୍ର ଜଣଙ୍କର ମୃତ୍ୟୁକୁ ନେଇ ଘରଲୋକେ ସନ୍ଦେହ ପ୍ରକଟ କରିଛନ୍ତି । କେଉଁ କାରଣରୁ ମୃତ୍ୟୁ ହୋଇଛି ତାହର ସଠିକ୍ ସୂଚନା ମିଳିପାରିନାହିଁ । ମୃତଦେହକୁ ଘରକୁ ଫେରେଇ ଆଣିବା ସହ ଘଟଣାର ତଦନ୍ତ ପାଇଁ ପରିବାର ସଦସ୍ୟ ଦାବି କରିଛନ୍ତି ।

6- ୮୦ ଗୋରୁ ଉଦ୍ଧାର, ଗୋଚାଲାଣକାରୀ ଥାନାରେ ଅଟକ: ଖୋର୍ଦ୍ଧା ସ୍ଥିତ ଜଙ୍କିଆ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥରୁ ଗୋଚାଲାଣକାରୀଙ୍କୁ ମାଡି ବସିଛି ପୋଲିସ । ଏକ କଣ୍ଟେନରରେ ୮୦ ଗୋରୁ ଚାଲାଣ କରାଯାଉଥିବା ସମୟରେ କୋଣସି ସୂତ୍ରରୁ ପୋଲିସ ଏ ସମ୍ପର୍କରେ ଖବର ପାଇଥିଲା । ପରେ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ଗୋଚାଲାଣ ସମ୍ପର୍କରେ ଜଣାପଡିଥିଲା । ଘଟଣାରେ ଗାଡି ଡ୍ରାଇଭର ସମେତ ୩ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

7- କପିଳାସରେ ଦନ୍ତା ହାତୀର ମୃତ୍ୟୁ: ବୌଦ୍ଧରୁ ଟ୍ରାଙ୍କୁଲାଇଜ୍ ହୋଇ ଢେଙ୍କାନାଳ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଆସିଥିବା ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ବ୍ୟାପକ ଫସଲ ନଷ୍ଟ କରିବା ଅଭିଯୋଗ କାରଣରୁ ଗତକାଲି ବନବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିଥିଲା । ଆଜି ସକାଳେ ହାତୀଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ଅନ୍ୟପଟେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ସେନେଇ କିଛି ଜଣାପଡିନାହିଁ ।

8- ଭିତରକନିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା: ବିଭିନ୍ନ ବିଦେଶାଗତ ଓ ଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ଫାଟିପଡୁଛି ଭିତରକନିକା ଜାତୀୟ ଉଦ୍ୟାନ । ଶୀତ ଋତୁରେ ବିଦେଶରୁ ଅନେକ ପକ୍ଷୀ ଏଠାକୁ ଚାଲିଆସୁଥିବାରୁ ଭିତରକନିକାର ସୌନ୍ଦର୍ଯ୍ୟ ଦୈଗୁଣିତ ହୋଇଛି । ଏଥର ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା କୁହାଯାଉଛି । ଗତବର୍ଷ ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଆସିଥିବା ସମୟରେ ଚଳିତଥର ୧ ଲକ୍ଷ ୫୧ ହଜାର ୪୨୧ପକ୍ଷୀ ଆସିଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।

9- ସମ୍ୱଲପୁର ପୋଲିସକୁ ସଫଳତା, ଡକାୟତଙ୍କୁ ଏନକାଉଣ୍ଟର: ଟ୍ରେନ୍ ରେ ଡକାୟତି କରୁଥିବା ଏକ ଗ୍ୟାଂଗକୁ ଗୋଡାଇ ଗୋଡାଇ ଏନକାଉଣ୍ଟର କରିଛି ସମ୍ୱଲପୁର ପୋଲିସ । ସମୁଦାୟ ୧୨ଜଣ ଡକାୟତ ମିଳିମିଶି ଏପରି କାର୍ଯ୍ୟ କରୁଥିବାର ଅଭିଯୋଗ ଆସିବା ପରେ ପୋଲିସ ସେମାନଙ୍କ ନିକଟରେ ପହଞ୍ଚିଥିଲା । ଡକାୟତଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ସେମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଫଳରେ ପୋଲିସ ଏନକାଉଣ୍ଟର କରିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ କିଛି ଜଣ ରାୟଗଜା ଏବଂ କୋରାପୁଟର ହୋଇଥିବା ସମୟରେ ଆଉ କିଛିଜଣ ଆନ୍ଧ୍ରପ୍ରଦେଶର ହୋଇଥିବା ଜଣାପଡିଛି । ସେମାନଙ୍କଠାରୁ ବନ୍ଧୁକ ଏବଂ ଭୁଜାଲୀ ଜବତ ହୋଇଛି ।

10- ଶୁଖିଲା ରହିବ ପାଗ: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରଭାବ ନ ଥିବାରୁ ରାଜ୍ୟରେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।  ବାୟୁ ମଣ୍ତଳର ନିମ୍ନ ଭାଗରେ ଜଳୀୟ ବାଷ୍ପର ମାତ୍ରା , ବାୟୁ ଚଳାଚଳରେ ନିଷ୍କ୍ରିୟତା ଓ ନିର୍ମଳ ଆକାଶ ହେତୁ  କେତେକାଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେଉଛି।  ଏହି ଦୃଶ୍ୟମାନ ଦୂରତା ୨୦୦ ମିଟର ରହୁଛି।  ଏହାକୁ ଦୃଷ୍ଟିରେ ରଖି  ଆସନ୍ତା ତିନି ଦିନ ଯାଏଁ  ବିଭିନ୍ନ ସ୍ଥାନକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି।

Also Read- ପ୍ରଭୁ ଶ୍ରୀରାମଙ୍କ ଅନନ୍ୟ ଭକ୍ତ ଶ୍ରୀନିବାସ, ୬୪ ବର୍ଷ ବୟସରେ ୮ହଜାର କିମି ପଦଯାତ୍ରା

Also Read- Baba Ramdev: 'ରାମ ମନ୍ଦିରକୁ ନେଇ ରାଜନୀତି କଲେ ଅସ୍ତିତ୍ୱ ରହିବନି' ବାବା ରାମଦେବ