Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2055684

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10ଟି ବଡ଼ ଖବର

Krushi Odisha: ଆଜିଠୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ‘କୃଷି ଓଡ଼ିଶା’ ଉତ୍ସବ ପାଳନ ହେବାକୁ ଯାଉଛି । ଏଥିରେ ପ୍ରାୟ ୫ହଜାର ମହିଳା ଚାଷୀ, ୨ହଜାର ମହିଳା ଏସଏଚଜି ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ସାମିଲ ହେବେ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ସାଧାରଣ ନିର୍ବାଚନୀ ବର୍ଷରେ ଗାଁ ଗହଳିରୁ ଚାଷୀ ଓ ମହିଳା ଏସଏଚଜିଙ୍କୁ ଭୁବନେଶ୍ୱର ଆଣି ନିଜର ପ୍ରଚାର ପ୍ରସାର ଉପରେ ନବୀନ ପଟ୍ଟନାୟକ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର ଇନଷ୍ଟିଚ୍ୟୁଟ୍‌, ସିଜିଆଇଏଆର ଇନଷ୍ଟିଚ୍ୟୁଟ, ବେସରକାରୀ ସଂଗଠନ ସହଯୋଗରେ ୧୭ଟି ଟେକନିକାଲ ଅଧିବେଶନ, କୃଷି ବୈଜ୍ଞାନିକ ଆଲୋଚନା ଓ ସେମିନାର ଆଦି ହେବ । 

Puri Parikrama Project: ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ। ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ ମୋହର ମାରିଛି। ନିଷ୍ପତ୍ତି ଅନୁଯାୟୀ, ଜାନୁଆରୀ ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ।

Longest Sea Atal Setu: ଅଟଳ ସେତୁ ନାମ ଅନୁସାରେ ଲୋକପ୍ରିୟ MTHL ଅର୍ଥାତ୍ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ଉଦଘାଟନ ପାଇଁ ପ୍ରସ୍ତୁତ ହୋଇ ରହିଛି। ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ। ଭାରତର ସବୁଠାରୁ ଦୀର୍ଘ ସମୁଦ୍ର ସେତୁ ୨୧.୮ କିଲୋମିଟର ଲମ୍ବା MTHL ୧୭ ହଜାର ୮୪୩ କୋଟି ଟଙ୍କାରେ ନିର୍ମାଣ ହୋଇଛି। ଏହାର ୧୬.୫୦ କିମି ସମୁଦ୍ର ଭାଗରେ ଓ ୫.୫୦ କିମି ସ୍ଥଳ ଭାଗରେ ରହିଛି। ତେବେ ଏହି ସେତୁ ନିର୍ମାଣ ନେଇ ୧୯୬୨ ମସିହାରେ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା।  ତେବେ ଆଜି ଏହାର ଉଦଘାଟନ କରାଯିବ।ଏହି ୬ ଲେନ୍  ବିଶିଷ୍ଟ ଏହି ସେତୁ ସେବରୀ ରୁ ନ୍ୟୋହା ପର୍ଯ୍ୟନ୍ତ ଯାଇଛି। ଏହାଦ୍ୱାରା ମୁମ୍ବାଇ, ନଭି ମୁମ୍ବାଇ, ରାୟଗଢ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଓ ମୁମ୍ବାଇ-ଗୋଆ ହାଇୱେ ପଥକୁ ସହଜ କରିବା ସହ ଦୂରତା କମିବା ନେଇ ଆଶା କରାଯାଉଛି। 

Swachh Survekshan 2023: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରିପୋର୍ଟ। ଭୁବନେଶ୍ୱରକୁ ମିଳିଛି ୱାଟର ପ୍ଲସ୍‌ ଉତ୍କର୍ଷତା ଆୱାର୍ଡ। ଗର୍ବର ସହିତ ଓଡିଶାର ଏକମାତ୍ର ସହର ଭାବରେ ଏହି ସମ୍ମାନ ହାତେଇଛି ସ୍ମାର୍ଟସିଟି ଭୁବନେଶ୍ୱର। ଏହାସହ ଆବର୍ଜନା ମୁକ୍ତ ସହର ଭାବରେ ଭୁବନେଶ୍ୱରକୁ ମିଳିଛି ୩ ଷ୍ଟାର ରେଟିଂ। ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଗତ ଥର ୮୦ ତାଲିକାରେ ଥିବା ବେଳେ ଏଥର ୩୪ ର‍୍ୟାଙ୍କ ହାସଲ କରିଛି ରାଜଧାନୀ ଭୁବନେଶ୍ୱର। ସ୍ମାର୍ଟସିଟିକୁ ସ୍ୱଚ୍ଛ ଓ ସବୁଜମୟ ରଖିବାରେ ସହଯୋଗ କରିଥିବା ସମସ୍ତ ବିଏମସି କର୍ମଚାରୀ ଏବଂ ରାଜଧାନୀ ବାସିନ୍ଦାଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ ମାଧ୍ୟମରେ କୃତଜ୍ଞତା ଜ୍ଞାପନ କରିଛି ବିଏମସି।

Budget Session: ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ଫେବୃଆରୀ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ଏହା ଶେଷ ବଜେଟ ହେବାକୁ ଯାଉଛି। ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟ ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆସନ୍ତା ୩୧ରୁ ବିଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରୀ ୧ରେ ଆଗତ ହେବ କାମଚଳା ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। 

Pankaj Tripathi: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ଭାରତୀୟ ନିର୍ବାଚନ ଆୟୋଗଙ୍କ ନ୍ୟାସନାଲ ଆଇକନ୍ ପଦର ଇସ୍ତଫା ଦେଇଛନ୍ତି । ନିଜ ଫିଲ୍ମ 'ମେଁ ଅଟଲ ହୁଁ'ପାଇଁ ସେ ଏହି ପଦରୁ ଓହରିଛନ୍ତି । ଉଲ୍ଲେଖଯୋଗ୍ୟ, ଯେ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି କାରଣରୁ ପଙ୍କଜ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମୟରେ ଫିଲ୍ମର ଖୁବ ଜୋରସୋରରେ ପ୍ରମୋସନ କରାଯାଉଛି। 

One Nation One Election: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ'କୁ ନେଇ ଆପତ୍ତି ଜଣାଇଛନ୍ତି। ୱାନ ନେସନ ୱାନ ଇଲେକ୍ସନ  ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟିକୁ ସେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମମତା ବାନାର୍ଜୀ 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ'କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଲେଖିଛନ୍ତି ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଆୟୋଜନ କରିବା ଭାରତର ସାମ୍ବିଧାନିକ ବ୍ୟବସ୍ଥା ବିରୁଦ୍ଧ ଅଟେ।

Ram Mandira Ceremony: ପାଖେଇ ଆସୁଛି ସେହି ଶୁଭ ଦିନ। ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ସେହି ବିରଳ ମୁହୂର୍ତ୍ତ ଅପେକ୍ଷାରେ ରହିଛି ଭାରତବର୍ଷ। ଆସନ୍ତା ଜାନୁଆରୀ ୨୨ରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଏହି ପବିତ୍ର ଦିନ ପାଇଁ ସଜେଇ ହେଉଛି ସମଗ୍ର ଅଯୋଧ୍ୟା ନଗରୀ । ଏହି ସମାରୋହରେ ସାମିଲ ହେବା ପାଇଁ ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି । ତେବେ ପୁରୀର ପରିକ୍ରମା ପ୍ରକଳ୍ପ ଉତ୍ସବରେ ଯୋଗଦେବାକୁ ଥିବା ଶଙ୍କରାଚାର୍ଯ୍ୟ ରାମଲାଲାଙ୍କ ଏହି ଉତ୍ସବରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି ।  

National Youth day: ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତେବେ ଆଜି ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ । ଏହାସହ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ସାରା ଭାରତ ବର୍ଷ National Youth Day ଭାବେ ପାଳନ କରିଥାଏ। 

Vaccine Drive For Cervical Cancer: ଜରାୟୁ କର୍କଟ ବିରୋଧରେ ଲଢ଼ିବାକୁ ଆସିଲା ଅମୋଘ ଅସ୍ତ୍ର । ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ସ୍ୱଦେଶୀ ଭ୍ୟାକସିନ୍ । ଦୂର ହେଇଯିବ ଦୁରାରୋଗ୍ୟ ଜରାୟୁ କର୍କଟ । ଏଥିପାଇଁ ବାହାରିଲା ସଂଜୀବନୀ । ସେରମ୍ ଇନଷ୍ଟିଚ୍ୟୁଟ୍ ବାହାର କରିଛି ସ୍ୱଦେଶୀ ଟିକା । ପ୍ରଥମ ପର୍ଯ୍ୟାୟରେ ୨୦ କୋଟି ଡୋଜ୍ ଭାରତ ସରକାରଙ୍କୁ ଉପଲବ୍ଧ କରାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବାବେଳେ ଏହାର ବଜାର ଦର ୨ଶହରୁ ୪ ଶହ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ସେରମ୍ ସିଇଓ ଅଦର ପୁନାଓ୍ୱାଲା । ତିନି ବର୍ଷ ମଧ୍ୟରେ ତିନaଟି ପର୍ଯ୍ୟାୟରେ ଯୋଜନା କରାଯାଇଥିବା ଟୀକାକରଣ ଡ୍ରାଇଭ୍ ଚଳିତ ବର୍ଷ ଦ୍ୱିତୀୟ ତ୍ରୟୋମାସିକରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକ ହେଉଥିବା ଟୀକାକରଣର ସରକାର ୬.୫-,୭ କୋଟି ଡୋଜର ଷ୍ଟକ୍ ପାଇବା ପରେ ଏହି ଅଭିଯାନ ଆରମ୍ଭ ହେବ।