Top 10 News Headlines: ପଢନ୍ତୁ ସକାଳର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2191362

Top 10 News Headlines: ପଢନ୍ତୁ ସକାଳର ୧୦ଟି ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ପଢନ୍ତୁ ସକାଳର ୧୦ଟି ବଡ଼ ଖବର

H1. ବଦଳିଲା ସ୍କୁଲ ସମୟ
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସ୍କୁଲ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି। ଏନେଇ ଜିଲ୍ଲାପାଳ ଚଞ୍ଚଲ ରଣା ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସ୍କୁଲ ସକାଳ ସାଢେ ୬ଟାରୁ ଆରମ୍ଭ ହୋଇ ଦିନ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲୁ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ସମୟ ଅନୁଯାୟୀ ସ୍କୁଲରେ ପାଠପଢା ଜାରି ରହିବ। ଖୋର୍ଦ୍ଧା ଜିଲ୍ଲା ଅଧିନରେ ଆସୁଥିବା ସମସ୍ତ ସରକାରୀ, ବେସରକାରୀ ତଥା ସରକାର ଅନୁଦାନପ୍ରାପ୍ତ ସମସ୍ତ ସ୍କୁଲ ଏହି ସମୟରେ ଖୋଲିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏଠାରେ କହି ରଖୁ କି ପୂର୍ବରୁ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ପାଠପଢା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ରାଜ୍ୟରେ ବର୍ଦ୍ଧିତ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। 

H2. ହିଞ୍ଜିଳିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଶନିବାର ସକାଳୁ ସକାଳୁ ଦୁର୍ଘଟଣାରେ ୨ ପ୍ରାଣହାନୀ। ଗଞ୍ଜାମ ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା ନେଇଗଲା ୨ ଦଣ୍ଡୁଆଙ୍କ ଜୀବନ।ଏକ ପିକଅପ୍ ଭ୍ୟାନ ଓଲଟି ଦୁଇ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ଅଛି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ(Berhampur Medical) ରେ ଭର୍ତ୍ତି କରାଯାଇଛି ।

H3. ଦୁର୍ଘଟଣାରେ ବାପ-ପୁଅ ମୃତ
ସମ୍ପର୍କୀୟଙ୍କ ଘରୁ ହସଖୁସିରେ ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିଲେ ବାପପୁଅ। ହେଲେ ବାଟରେ ଘଟିଲା ଅଘଟଣ। ଆଉ ଏକସଙ୍ଗେ ଚାଲିଗଲେ ବାପପୁଅ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା । ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁହାଁ ଛକ ନିକଟରେ ଘଟିଛି। ମୃତକଦ୍ୱୟ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଓ ତାଙ୍କ ପୁଅ ମୁନା ଜେନା।

H4. ରାଜ୍ୟରେ ନିଆଁବର୍ଷା
କଲବଲ କରୁଛି ଖରା । ଗତକାଲି ରାଜଧାନୀରେ ପାରଦ ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ୯ଟି ସ୍ଥାନରେ ୪୨ ଉପରେ ତାପମାତ୍ରା ରେକର୍ଡ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା । ଆଜି ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ୭ ଓ ୮ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ଦୁଇଦିନ ତାତିରେ ବ୍ରେକ୍ ଲାଗିବ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

H5. ଆଜି ମହାବାରୁଣି ସ୍ନାନ
ଆଜି ମହାବାରୁଣି ସ୍ନାନ। ଅନେକ ବର୍ଷ ପରେ ମହା ବାରୁଣି ଯୋଗ ପଡ଼ିଥିବାରୁ ଯାଜପୁର ବୈତରଣୀ ନଦୀ ଦଶ୍ୱାଶମେଧ ଘାଟରେ ବୁଡ଼ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ହୋଇଛି। ଆଜି ସକାଳ ୬.୦୯ ଠାରୁ ୧୨.୫୭ ଯାଏ ବୁଡ଼ ଯୋଗ ରହିଛି। ଏହି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ସେମାନଙ୍କ ପିତୃପୁରୁଷଙ୍କ ମୋକ୍ଷ ଓ ସ୍ୱର୍ଗ ପ୍ରାପ୍ତି ଉଦ୍ଦେଶ୍ୟରେ ବୈତରଣୀ ନଦୀରେ ବୁଡ଼ ପକାଇବା ସହ ପିଣ୍ଡ ଦାନ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

H6. କୋଟିଆରେ ମୁଖ୍ୟ ଶାସନ ସଚିବ
କୋରାପୁଟ କୋଟିଆରେ ନିର୍ବାଚନ ଲାଗି ଆନ୍ଧ୍ରପ୍ରଦେଶ ପ୍ରସ୍ତୁତି ଚଳାଇଥିବା ବେଳେ କୋଟିଆ ବୁଲିଛନ୍ତି ମୁଖ୍ୟ ଶାସନ ସଚିବ। କୃଷି ସଚିବ ଅରବିନ୍ଦ ପାଢୀଙ୍କ ସହ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କୋଟିଆରେ ବିକାଶ ମୂଳକ କାମର ସମୀକ୍ଷା କରିଛନ୍ତି। ଆନ୍ଧ୍ର ସୀମାରେ ଥିବା କୋରାପୁଟ ଜିଲ୍ଲାର ଶେଷ ପଞ୍ଚାୟତର ବାରବନ୍ଧ ଗାଁକୁ ଯାଇ ଆଦିବାସୀଙ୍କ ଷ୍ଟ୍ରବେରୀ ଚାଷ ଦେଖିଛନ୍ତି । ଚାଷ ସଂପର୍କରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହାସହ କୋଟିଆ ପଂଚାୟତର କୁରୁଡିପଦର ଗସ୍ତ କରି ବିଜୁ ପକ୍କାଘର କାମ ଦେଖି ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । 

H7. ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶିତ
ଶୁକ୍ରବାର ବିଜୁ ଜନତା ଦଳ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଛି। ତୃତୀୟ ପର୍ଯ୍ୟାୟରେ ଦଳ ୯ ବିଧାନସଭା ଆସନ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ଆସନରୁ ନିର୍ବାଚନ ଲଢିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୦୮ ସିଟ୍ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

H8. କଂଗ୍ରେସର ନିର୍ବାଚନ ଇସ୍ତାହାର
୨୦୨୪ ଲୋକସଭା ନିର୍ବାଚନ ଲାଗି ଅପ୍ରେଲ ୫ ତାରିଖ ଶୁକ୍ରବାର କଂଗ୍ରେସ ଏହାର ଦଳୀୟ ଇସ୍ତାହାର ଘୋଷଣା କରିଛି। କଂଗ୍ରେସ ଏହାର ନାମ ‘ନ୍ୟାୟପତ୍ର ୨୦୨୪’ ରଖିଛି। ଏହି ଘୋଷଣାପତ୍ରରେ ଯୁବକ, କୃଷକ, ମହିଳା, ବୃଦ୍ଧ, ବ୍ୟବସାୟୀଙ୍କ ସମେତ ଅନ୍ୟାନ୍ୟ ବିଭାଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ‘ନ୍ୟାୟପତ୍ର ୨୦୨୪’  ମାଧ୍ୟମରେ ଅନେକ ପ୍ରକାରର ପ୍ରତିଶୃତି ଦେଇଛି କଂଗ୍ରେସ। ଦଳ ଜାତିଗତ ଜନଗଣନା, ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବା, କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ଯୋଗାଇ ଦେବା ଏବଂ ନୂତନ ଶିକ୍ଷା ନୀତିରେ ସଂଶୋଧନ କରିବା ଭଳି ପ୍ରସଙ୍ଗ ସ୍ଥାନ ପାଇଛି।  କଂଗ୍ରେସ ଏହାର ନିର୍ବାଚନ ପ୍ରତିଶୃତିକୁ ନ୍ୟାୟ ପତ୍ର ନାମରେ ନାମିତ କରିଛି। ଯେଉଁଥିରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ବିଷୟରେ ଆଲୋଚନା କରାଯାଇଛି। 

H9. ଗୀତ ଗାଇଲେ ଧୋନୀ
ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଏକ ବିଜ୍ଞାପନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ବିଜ୍ଞାପନରେ ଧୋନୀଙ୍କୁ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସେ ଏକ ଜଙ୍ଗଲିଆ ରାସ୍ତାରେ ସାଇକେଲ ଚଳାଇ ବୋଲୋ ଯେ କୋଏଲ ବାଗୋ ମେଁ ଗାଉଛନ୍ତି । ଆଇପିଏଲର ଚଳିତ ସଂସ୍କରଣରେ ଧୋନୀ ଅଧିନାୟକ ପଦରୁ ଓହରିଯିବା ଫଳରେ ରିତୁରାଜ ଗାଏକ୍ୱାଡଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ୪୨ ବର୍ଷୀୟ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଆଇପିଏଲ ଓ ୨ ଥର ଚାମ୍ପିୟନ୍ସ ଲିଗ ଜିତିଛି । ସେ ଓଭରାଲ ୨୩୫ ମ୍ୟାଚରେ ଚେନ୍ନାଇର ନେତୃତ୍ୱ ନେଇଛନ୍ତି।

H10. ୬ ୱିକେଟରେ ହାରିଲା ଚେନ୍ନାଇ
ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଲଗାତାର ଦ୍ୱିତୀୟ ପରାଜୟ । ଚେନ୍ନାଇକୁ ୬ ୱିକେଟର ହରାଇଛି ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୬୫ ରନ କରିଥିଲା ଚେନ୍ନାଇ । ଦଳ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ମାରିପାରିନଥିଲେ । ୱିକେଟ ଥାଇ ମଧ୍ୟ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଯେଉଁଥିପାଇଁ ସେମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କେବଳ ଶିବମ ଦୁବେ ୨୪ ବଲରୁ ୪୫ ରନ କରିବାକୁ ଦଳ ଏତେ ରନ କରିବାରେ ସକ୍ଷମ ହୋଇଥିଲା । ୧୬୬ ରନର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୧୮ ଓଭର ଏବଂ ଗୋଟିଏ ବଲରେ ମ୍ୟାଚ ଜିତିନେଇଥିଲା ।