Top 10 News Today : ଘନିଭୂତ ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା, ଭଙ୍ଗା ହେବ ଦିଲ୍ଲୀସ୍ଥିତ ଓଡିଶା ଭବନ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2421284

Top 10 News Today : ଘନିଭୂତ ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା, ଭଙ୍ଗା ହେବ ଦିଲ୍ଲୀସ୍ଥିତ ଓଡିଶା ଭବନ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today : ଘନିଭୂତ ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା, ଭଙ୍ଗା ହେବ ଦିଲ୍ଲୀସ୍ଥିତ ଓଡିଶା ଭବନ ଏବଂ ଅନ୍ୟ ମୁଖ୍ୟ ଖବର

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ
ହୋଇଛି। ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପୁରୀଠାରୁ ୧୧୦ କିମି ଦୂର କେନ୍ଦ୍ରୀଭୂତ ହୋଇଛି। ଆଜି ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବା ସହ ଉପକୂଳ ଓଡ଼ିଶାରେ  ୪୦ରୁ ୬୦ କି.ମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବୁଡ଼ିଲା ମାଲକାନଗିରି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷାରେ ମାଲକାନଗିରି ସ୍ଥିତି ସଙ୍ଗୀନ। ବର୍ଷା ପାଣିରେ ବୁଡିଲା ପୋଲ। କାଙ୍ଗୁରୁକୁଣ୍ଡା ପୋଲ, ଏମ୍ ଭି ୯୦ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ଫୁଟର ପାଣି ଚାଲିବାରୁ ଯାତାୟତ ଠପ୍‌ ହୋଇଛି । ସେହିପରି ପାଙ୍ଗମ, ଏମ୍‌ଭି ୭, ଏମ୍‌ଭି ୯୦ ଆଦି ଅନେକ ପୋଲରେ ୧୦ ଫୁଟ ପାଣି ପ୍ରବାହିତ ହେଉଛି। ପୋଟେରୁ ସହରର ଅନେକ ଘର ଭିତରେ ବର୍ଷା ପାଣି ପଶିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି ଆମ୍ବୁଲାନ୍ସ, ବସ୍, ଟ୍ରକ ଓ ବାଇକ । ମାଲାକାନଗିରିରୁ ମୋଟୁ, କାଲିମେଳାରୁ ମୋଟୁ, କାଲିମେଳାରୁ ପଡିଆ ଓ ୩ ରାଜ୍ୟକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଓ ରାସ୍ତା ଉପରେ ପାଣି ଯୋଗୁଁ ଯାତାୟାତ ଠପ୍ ହୋଇଛି।

ଚାଷୀଙ୍କ ଖାତାକୁ ଗଲା ୯୨୫ କୋଟିରୁ ଅଧିକ ଟଙ୍କା
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆସିଲା ସିଏମ୍ କିଷାନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ ୯୨୫ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଏଥିସହ ସିଏମ୍ ଓ ପିଏମ୍ କିଷାନରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜିକରଣ ପାଇଁ ସିଏମ କିଷାନ୍‌ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବଲପୁରରେ ଖୋଲିବ ଦ୍ୱିତୀୟ ଏମସ
ରାଜ୍ୟରେ ଆଉ ଏକ ଏମ୍ସ ହସ୍ପିଟାଲ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଏମସ୍ ସମ୍ବଲପୁରରେ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି। ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି। 

ଭଙ୍ଗା ହେବ ଦିଲ୍ଲୀସ୍ଥିତ ଓଡିଶା ଭବନ
ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କଲେ ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀସ୍ଥିତ ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା। ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ ରିପୋର୍ଟ ଦିଆଯାଇଥିଲା। ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ଆଉ ଏକ ଚିଠି କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା କି, ମରାମତି ପରେ ବି ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ । ଏନେଇ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଚିଠି କରିଥିଲେ । ଏହା ରିପୋର୍ଟକୁ ବିଚାର କରିବା ପରେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟସଭାରୁ ଟିଏମସି ନେତାଙ୍କ ଇସ୍ତଫା
ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ବିରୋଧରେ ଜନଆକ୍ରୋଶ ଜାରି ରହିଥିବା ବେଳେ ଟିଏମସିରେ କୁହୁଳୁଥିବା ଅସନ୍ତୋଷ ପଦାରେ ପଡିଲାଣି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଆରଜି କର ହସପିଟାଲ ଘଟଣାରେ ମମତା ବାନାର୍ଜୀ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ଚରମ ଅସନ୍ତୋଷ ପ୍ରକାଶ କରି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଟିଏମସି ନେତା ଜବାହର ସରକାର । ମମତାଙ୍କୁ ନିଜର ଇସ୍ତଫା ନେଇ ଚିଠି ଲେଖି ଜଣାଇ ଦେଇଛନ୍ତି ଜବାହର । ନିଜ ଦଳର ହିଁ କିଛି ନେତାଙ୍କ ବିରୋଧରେ ଦବଙ୍ଗଗିରିର ଅଭିଯୋଗ ଆଣି ମମତାଙ୍କୁ ଚିଠି ଲେଖିଛନ୍ତି ଜବାହର । ଜବାହରଙ୍କ ଅସନ୍ତୋଷ ଓ ରାଜ୍ୟସଭାରୁ ଇସ୍ତଫା ମମତା ବାନାର୍ଜୀ ସରକାରଙ୍କ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

ବନ୍ଧା ହେଲେ ଏମ୍‌ଭିଆଇ
ବନ୍ଧା ହେଲେ ଭିଜିଲାନ୍ସ ଜାଲରେ ପଡ଼ିଥିବା ନୂଆପଡ଼ା MVI ବିଜୟ କୁମାର ବେହୁରିଆ । ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ତାଙ୍କୁ ବାନ୍ଧିଥିବା ଜଣାଯାଇଛି। ବିଜୟ ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ସାଙ୍ଗରେ ମୋଟା ଅଙ୍କର ଟଙ୍କା ଆଣୁଥିବା ଭିଜିଲାନ୍ସ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପୂର୍ବ ଯୋଜନା ମୁତାବକ ଅଧିକାରୀମାନେ ଖୋର୍ଦ୍ଧା ମେଡିକାଲ ଛକରେ ଜଗି ରହିଥିଲେ।

ଭାରତରେ ମଙ୍କିପକ୍ସ! ବିଦେଶ ଫେରନ୍ତାଙ୍କ ଶରୀରରେ ଲକ୍ଷଣ ଚିହ୍ନଟ
ଭାରତରେ ମଙ୍କିପକ୍ସର ଏଣ୍ଟ୍ରି ହୋଇଥିବା ନେଇ ଆଶଙ୍କା କରାଯାଉଛି। କାରଣ ଜଣେ ବିଦେଶ ଫେରନ୍ତା ଯୁବକ ମଙ୍କିପକ୍ସ ଆକ୍ରାନ୍ତରେ ଚିହ୍ନଟ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଦେଶ ଭ୍ରମଣ କରିଥିଲେ। ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଯିବାରୁ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ମଙ୍କିପକ୍ସ ହୋଇଛି କି ନାହିଁ, ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ
ସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଚରିଆପାଲି ଗ୍ରାମରେ। ସେମାନଙ୍କ ବାପା ସୁଲେନ୍ଦ୍ର ମଲ୍ଲିକଙ୍କ  ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ ଶୁଭରେଖା ମଲ୍ଲିକ(୧୨) ଓ  ସାନ ଝିଅ ସୁରଭୀ ମଲ୍ଲିକ (୩ ବର୍ଷ)। 

ଭାରତୀୟ ଦଳ ଘୋଷଣା
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି। ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଦାୟିତ୍ୱ ପାଇଛନ୍ତି। ଭାରତୀୟ ଦଳକୁ ୧୯ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ। ଦଳ- ରୋହିତ ଶର୍ମା (C), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ (WK), ଧ୍ରୁଭ ଜୁରେଲ (WK), ଆର ଅଶ୍ୱିନ, ଆର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ୍ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍ରା, ୟଶ ଦୟାଲ।