Top 10 News Today: ବିଜେଡି ଛାଡିଲେ ସୁନନ୍ଦା, ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ଦର୍ଶନ ବନ୍ଦ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2494259

Top 10 News Today: ବିଜେଡି ଛାଡିଲେ ସୁନନ୍ଦା, ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ଦର୍ଶନ ବନ୍ଦ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ବିଜେଡି ଛାଡିଲେ ସୁନନ୍ଦା, ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ଦର୍ଶନ ବନ୍ଦ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

ଆଜି ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ।  ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ  ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ବୁଧବାର ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ।

ପଞ୍ଚାୟତ ସ୍ତରରେ ସ୍ୱୟଂସିଦ୍ଧା ଯୋଜନା
ପ୍ରାକୃତିକ ଦୁର୍ବିପାକର ସଠିକ ଢଙ୍ଗରେ ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ମିଶନ ସକ୍ତି ସ୍ୱୟଂସିଦ୍ଧା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧିନରେ ମହିଳାମାନଙ୍କୁ ସ୍ୱତନ୍ତ୍ର ତାଲିମ ନେବେ। ଏହି ସ୍ୱୟଂସିଦ୍ଧା ଟିମ ବିପର୍ଯ୍ୟୟ ସମୟରେ ପଞ୍ଚାୟତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ। ଏହାଛଡ଼ା ଏଣିକି ପ୍ରତି ଗାଁରେ ବିପର୍ଯ୍ୟୟ ମୁକାବିଲା ପାଇଁ ରେସପନ୍ସ ଟିମ ଗଢାଯିବ। ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସରେ ଏନେଇ ଘୋଷଣା କରିଛନ୍ତି ସରକାର। 

ରାତି ୯ଟା ପର୍ଯ୍ୟନ୍ତ ବାଣଫୁଟା କଟକଣା
ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଟକଣା ଜାରି କରାଯାଇଛି। ଦୀପାବଳିରେ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ଧାର୍ଯ୍ୟ କରାଯାଇଛି। କେବଳ ୧୨୫ ଡେସିବଲରୁ କମ ଶବ୍ଦଯୁକ୍ତ ସବୁଜ ବାଣ ଫୁଟାଇ ପାରିବେ। ଏହି ନିୟମକୁ କଡ଼ାକଡ଼ି କରିବାକୁ କମିଶନରେଟ ପୋଲିସ ତତ୍ପର ହୋଇଛି। ନିୟମ ଉଲ୍ଲଂଘନକାରୀଙ୍କୁ ତଣ୍ଡ ଗଣିବା ସହିତ ଜେଲ ଦଣ୍ଡ ଦିଆଯିବ ବୋଲି ଚରମବାଣୀ ଶୁଣାଇଛି କମିଶନରେଟ ପୋଲିସ। 

ଦିନକରେ ୧୮୫ କୋଟି ଟଙ୍କାର ସୁନା କାରବାର
ଧନତେରସ ରାଜ୍ୟରେ ୧୮୫ କୋଟି ଟଙ୍କାର ସୁନା ବ୍ୟବସାୟ ହୋଇଥିବା ଏକ ଆନୁମାନିକ ହିସାବ ଅନୁସାରେ ଜଣାପଡ଼ିଛି। ଧନତେରସ ଦିନ ପାଖାପାଖି ଅଢେଇ କ୍ୱିଣ୍ଟାଲର ସୁନା ବିକ୍ରି ହୋଇଥିବା ବେଳେ ଗତବର୍ଷ ତୁଳନାରେ ୧୫ ରୁ ୨୦ ପ୍ରତିଶତ ଅଧିକ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି। ସୁନା ଦର ଉଚ୍ଚା ରହିଥିଲେ ମଧ୍ୟ ଧନତେରସରେ ସୁନା ବ୍ୟବସାୟୀଙ୍କ ପକ୍ଷରୁ ଦିଆଯାଇଥିବା ଲୋଭନୀୟ ଅଫର ଗ୍ରାହକଙ୍କୁ ସୋରୁମ ମୁହାଁ କରିଥିଲା। ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ ଆଦି ସହର ସମେତ ଭୁବନେଶ୍ୱରରେ ମଧ୍ୟ କାରବାର ବେଶ ଉତ୍ସାହଜନକ ରହିଥିଲା। 

ଦେଶକୁ ଫେରିଲା ୧୦୨ ଟନ ସୁନା
ଦେଶକୁ ସମୃଦ୍ଧ କରିବା ଲାଗି ଭାରତ ନିଜ ମାଟିକୁ ଫେରାଇ ଆଣିଛି ୧୦୨ ଟନ ସୁନା। ଅନେକ ବର୍ଷ ହେଲା ଇଂଲଣ୍ଡ ବ୍ୟାଙ୍କର ବହୁ ସୁରକ୍ଷିତ ଭଲ୍ଟ ବା ପ୍ରକୋଷ୍ଠରେ ଏହି ସୁନା ଗଚ୍ଛିତ ଥିଲା। ଯାହା ଭାରତର ବୈଦେଶିକ କାରବାରେ ସହାୟକ ହେଉଥିଲା। ଏଥିଲାଗି ଭାରତ ବ୍ୟାଙ୍କ ଅଫ୍‍ ଇଂଲଣ୍ଡକୁ ଅନେକ ଦେୟ ମଧ୍ୟ ପ୍ରଦାନ କରୁଥିଲା। ଏବେ  ଏହି ବିପୁଳ ସୁନାକୁ ସୁରକ୍ଷିତ ଭାବେ ନିଜ ମାଟିରେ ପହଞ୍ଚାଯାଇଛି।  ଏହି ସୁନାକୁ ଦେଶର ଗୋପନୀୟ ସୁରକ୍ଷିତ ସ୍ଥାନଗୁଡ଼ିକରେ ମହଜୁଦ କରିବା ପ୍ରକ୍ରିୟା ବି ଶେଷ ହୋଇଥିବା ସୂଚନା ମିଳିଛି। 

ବିଜେଡି ଛାଡ଼ିଲେ ସୁନନ୍ଦା
ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳରେ ସେ ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ଇସ୍ତଫା ପତ୍ରରେ ଅଭିଯୋଗ କରିଛନ୍ତି। ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି।

ବାହାନଗା ରେଳ ଦୁର୍ଘଟଣା:୩ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ
ବାହାନଗା ଟ୍ରେନ୍ ଟ୍ରାଜେଡି କେସର ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ଜାମିନ ମିଳିଛି। ତିନି ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ନମିଳିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ ଭାବରେ ଜାମିନ ଆବେଦନ କରିଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ବେଞ୍ଚ ତିନି ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ତିନି ‌ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାଲିଯାତ୍ରା ପାଇଁ ପ୍ଲଟିଂ ଆରମ୍ଭ
କଟକ ବାଲିଯାତ୍ରା ତଳ ପଡ଼ିଆରେ ଜୋର ଧରିଲାଣି ପ୍ରସ୍ତୁତି। ମଙ୍ଗଳବାରଠାରୁ ପ୍ଲଟ ନିଲାମ ଆରମ୍ଭ ହୋଇଛି। ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ଟି ଟିମକୁ ନେଇ ବିଭିନ୍ନ ସ୍ଥାନରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ବିଦ୍ୟତୁ ବିଭାଗ ପକ୍ଷରୁ ତାର ଟାଣିବା ଓ ଟ୍ରାନ୍ସଫର୍ମର ବସାଇବା କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି। ତେବେ ବର୍ଷକୁ ଥରେ ଏହି ବାଣିଜ୍ୟିକ ମହାକୁମ୍ଭ ପାଇଁ ଅନେକ ଛୋଟ ବଡ଼ ବ୍ୟବସାୟୀଙ୍କ ଥାଏ ଅପେକ୍ଷା। 

ରାଜଧାନୀରେ ବିଭତ୍ସ ହତ୍ୟା
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ହୋଟେଲ ଭିତରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ। ଡମଣା ଛକରେ ଥିବା ଏକ ହୋଟେଲ ଭିତରେ ହତ୍ୟାକାଣ୍ଡ ଘଟିଛି। ଜଣେ ୱେଟରକୁ ଆଉଜଣେ ଷ୍ଟାଫ ପନିକିରେ ହାଣି ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପନିକିରେ ହାଣି ସାରିବା ପରେ, ମୃତଦେହକୁ ଲୁଚାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତ। ପ୍ରମାଣ ନଷ୍ଟ ଉଦ୍ୟମ କରି ବିଫଳ ହେବାପରେ ଫେରାର ହୋଇଯାଇଛି ଅଭିଯୁକ୍ତ। ପୂର୍ବ ଶତ୍ରୁତା ଏବଂ ଗଣ୍ଡଗୋଳ ପରେ ଏହି ହତ୍ୟାକାଣ୍ଡ କରଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପରକୀୟାପ୍ରୀତିରୁ ଗୋଷ୍ଠୀ ସଂଘର୍ଷ; ଗଡ଼ିଲା ୫ ମୁଣ୍ଡ
ଗୋଷ୍ଠୀ ସଂଘର୍ଷରେ ୫ ମୃତ ୪ ଆହତ । ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ମୃତ ୫ ଜଣଙ୍କ ମଧ୍ୟରୁ ୩ ମହିଳା । ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ସୂଚନା । ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇଯାଇଛନ୍ତି । ଧରିବାକୁ ପୋଲିସ ତନାଘନା ଚଳାଇଛି , ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଂଚିଛନ୍ତି ।